ପାନ୍ଥନିବାସ ବିକ୍ରି ପାଇଁ ଷଡ଼୍‌ଯନ୍ତ୍ର

Konark Yatriniwas-2020

ଲାଭରେ ଚାଲୁଥିବା ଓଟିଡିସିକୁ ବୁଡ଼ାଇ ଦେବେ

ଭୁବନେଶ୍ବର : କରୋନା ସମୟରେ ରାଜ୍ୟରେ ପର୍ଯ୍ୟଟନ ଶିଳ୍ପ ବିପର୍ଯ୍ୟସ୍ତ ହୋଇପଡ଼ିଛି। ଏହି ସମୟରେ ପର୍ଯ୍ୟଟନକୁ ସଜାଡ଼ିବା ପରିବର୍ତ୍ତେ ରାଜ୍ୟ ପର୍ଯ୍ୟଟନ ବିଭାଗ ଏକ ଅଭାବନୀୟ କାର୍ଯ୍ୟ କରିବାକୁ ଯାଉଛି। ସରକାରୀ ମାଲିକାନାରେ ଥିବା ୫ଟି ପାନ୍ଥନିବାସକୁ ବିକି ଦେବା ପାଇଁ ସାଂଘାତିକ ଷଡ଼ଯନ୍ତ୍ର ରଚାଯାଇଛି। ଏଥିପାଇଁ ବିଭାଗ ସ୍ତରରେ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ବିଭିନ୍ନ ଆଳ ଦେଖାଇ ପାନ୍ଥନିବାସର ଘରୋଇକରଣ ପାଇଁ ଫାଇଲ୍‌ ପ୍ରସ୍ତୁତ ହୋଇ ସରକାରଙ୍କ ନିକଟକୁ ଯାଇଛି। ଲାଭରେ ଚାଲୁଥିବା ଓଟିଡିସିକୁ ବୁଡ଼ାଇବା ପାଇଁ ବିଭାଗର ଅଧିକ‌ାରୀମାନଙ୍କର ଏହି କଳାପାହାଡ଼ ରୂପ ଏବେ ଚର୍ଚ୍ଚାର ବିଷୟ ହୋଇଛି।
ବର୍ତ୍ତମାନ ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ(ଓଟିଡିସି) ଅଧୀନରେ ୨୦ଟି ପାନ୍ଥନିବାସ ଚାଲୁଛି। ଅଧିକାଂଶ ପାନ୍ଥନିବାସ ରାଜ୍ୟର ଗୁରୁତ୍ବପୂର୍ଣ୍ଣ ପର୍ଯ୍ୟଟନ ସ୍ଥଳୀଗୁଡ଼ିକର ପ୍ରମୁଖ ସ୍ଥାନରେ ରହିଛି। ସେଥିରୁ ୨/୩ଟିକୁ ବାଦ୍ ଦେଲେ ଅନ୍ୟଗୁଡ଼ିକ ଲାଭରେ ଚାଲିଛି। ରାଜ୍ୟ ବାହାରର ପର୍ଯ୍ୟଟକମାନେ ନିରାପତ୍ତା ଓ ଗୁଣାତ୍ମକ ସେବା ପାଇଁ ଏଠାରେ ରହିବାକୁ ପସନ୍ଦ କରୁଛନ୍ତି। ୨୦୦୩-୦୪ ପରଠାରୁ ଓଟିଡିସି ରାଜ୍ୟ ସରକାରଙ୍କ ଏକ ଲାଭଜନକ ପିଏସ୍‌ୟୁରେ ପରିଣତ ହୋଇଛି। ପ୍ରଥମ ଥର ପାଇଁ ୨୦୧୭-୧୮ରେ ଏହି ସଂସ୍ଥା ରାଜ୍ୟ ସରକାରଙ୍କୁ ଏକ କୋଟି ଟଙ୍କା ଲାଭାଂଶ ପ୍ରଦାନ କରିଥିଲା। ଏପରିକି ପାନ୍ଥନିବାସକୁ ଆଇଏସ୍‌ଓ ସାର୍ଟିଫିକେଟ୍‌ ପାଇଁ ମଧ୍ୟ ଆବେଦନ କରାଯାଇଥିଲା ଏଭଳି ପରିସ୍ଥିତିରେ ଓଟିଡିସିକୁ ଅଧିକ ଆଗକୁ ନେବା ପରିବର୍ତ୍ତେ ଏହାକୁ ବୁଡ଼ାଇ ଦେବା ପାଇଁ ପର୍ଯ୍ୟଟନ ବିଭାଗ ବିଧିବଦ୍ଧ ଯୋଜନା ପ୍ରସ୍ତୁତ କରିଛି। ବାଲେଶ୍ବର, ଭଦ୍ରକ, ତପ୍ତପାଣି, ଗୋପାଳପୁରରେ ଥିବା ପାନ୍ଥନିବାସ ଓ ଧଉଳିର ପାନ୍ଥିକାକୁ ଘରୋଇକରଣ କରିବାକୁ ଚକ୍ରାନ୍ତ ହୋଇଛି। କରୋନା ମାଡ଼ରେ ପର୍ଯ୍ୟଟନ ଭିତ୍ତିଭୂମି ଦୋହଲିଯାଇଥିଲା ବେଳେ ଏହାକୁ ଏକ ସୁଯୋଗ ଭାବି ଦେଇଛି ପର୍ଯ୍ୟଟନ ବିଭାଗ। ପାନ୍ଥନିବା‌ସଗୁଡ଼ିକୁ ଆହୁରି ଅତ୍ୟାଧୁନିକ ଓ ଉନ୍ନତ କରି ଓଡ଼ିଶାର ପରିଚୟ ଭାବେ ଏହାକୁ ସୃଷ୍ଟି କରିବା ପରିବର୍ତ୍ତେ ଘରୋଇ ସଂସ୍ଥା ହାତକୁ ଟେକି ଦେବା ପାଇଁ ବିଭାଗ ତତ୍ପରତା ପ୍ରକାଶ କରିବା ଆଶ୍ଚର୍ଯ୍ୟର ବିଷୟ। ପର୍ଯ୍ୟଟନ ବିଭାଗର ଅଧିକାରୀଙ୍କ ମୁଣ୍ଡରେ ଘରୋଇକରଣ ଭୂତ ଗତ ବର୍ଷ ଠାରୁ ସବାର ହେଲାଣି। ୨୦୧୯ ସାଧାରଣ ନିର୍ବାଚନର କିଛି ଦିନ ଆଗରୁ ଏହି ଷଡ଼ଯନ୍ତ୍ରର ଭିତ୍ତି ପଡ଼ିଥିଲା।

ପାନ୍ଥନିବାସଗୁଡ଼ିକୁ ଘରୋଇକରଣ କରିବା ପାଇଁ ଏକ ପ୍ରକ୍ରିୟା ବିଭାଗ ସ୍ତରରେ ଆରମ୍ଭ ହୋଇଥିଲା। ବେଶ୍‌ ସତର୍କତାର ସହ ଫାଇଲ୍‌ ଉପରକୁ ଉଠିଥିଲା। ଠିକ୍ ନିର୍ବାଚନ ଆଚରଣ ବିଧି ଲାଗୁ ହେବାର ପୂର୍ବ ସପ୍ତାହ‌େର ‌ହିଁ ଏହି ଅମଲତାନ୍ତ୍ରିକ କାରସାଦି ଦେଖିବାକୁ ମିଳିଥିଲା। କିନ୍ତୁ ତୃତୀୟ ମହଲା ପର୍ଯ୍ୟନ୍ତ ଫାଇଲ୍‌ ପହଞ୍ଚି ପାରି ନ ଥିଲା। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଏ ସମ୍ପର୍କରେ ଜାଣିବା ପରେ ଫାଇଲ୍‌ ଆଗକୁ ନ ନେବା ପାଇଁ ମୌଖିକ ନିର୍ଦ୍ଦେଶ ଦେଇଥିଲେ। ଫଳରେ ଫାଇଲ୍‌ ତଳକୁ ଫେରି ଯାଇଥିଲା। କିନ୍ତୁ ଆଶ୍ଚର୍ଯ୍ୟ କଥା ବର୍ତ୍ତମାନ ପୁଣି ଏହି ପ୍ରକ୍ରିୟା ଆରମ୍ଭ କରାଯାଇଛି। କରୋନା ସମୟରେ ପର୍ଯ୍ୟଟନ ଭିତ୍ତିଭୂମିକୁ ବିକାଶ ନ କରି ପାନ୍ଥନିବାସର ଭବିଷ୍ୟତ ବ୍ୟବସାୟ ପାଇଁ ବ୍ଲୁ ପ୍ରିଣ୍ଟ୍‌ ପ୍ରସ୍ତୁତ ନ କରି ବିଭାଗ ଘରୋଇକରଣ କାମରେ ମାତିଛି। କେବଳ ପାନ୍ଥନିବାସ ନୁହେଁ, ଲାଭରେ ଚାଲିଥିବା କୋଣାର୍କର ଚନ୍ଦ୍ରଭାଗାସ୍ଥିତ ଉଡେନ୍ ରେସ୍ତୋରାଁ ମଧ୍ୟ ଷଡ଼ଯନ୍ତ୍ରର ଶିକାର ହୋଇଛି। ଫନିରେ ଭାଙ୍ଗିଯାଇଥିବା ଏହି ରେସ୍ତୋରାଁ କିଛି ଲକ୍ଷ ଟଙ୍କା ଖର୍ଚ୍ଚ କଲେ ଏହା ପୁଣି କାର୍ଯ୍ୟକ୍ଷମ ହୋଇପାରିଥା’ନ୍ତା। ବାତ୍ୟା ପରେ ଏହାର ମରାମତି କାର୍ଯ୍ୟ ଆରମ୍ଭ ହୋଇଥିଲା। କିନ୍ତୁ ବିଭାଗ ପକ୍ଷରୁ ହଠାତ କାର୍ଯ୍ୟ ବନ୍ଦ କରି ଦିଆଯାଇଥିଲା। ବର୍ଷେ ହେଲାଣି ତାହାର ମରାମତି କରାଯାଉ ନାହିଁ। ଯଦି ଦୁଇ ମାସ ଭିତରେ ମେରାଇନ୍ ଡ୍ରାଇଭ୍‌ରେ ଇକୋ ରିଟ୍ରିଟ୍‌ ଉତ୍ସବ ଆୟୋଜନ କରାଯାଇପାରିଲା, ତେବେ ଏକ ବର୍ଷ ମଧ୍ୟରେ ଉଡେନ୍ ରେସ୍ତୋରାଁର ମରାମତି ହୋଇପାରିଲା ନାହିଁ କାହିଁକି ?
ପୂର୍ବରୁ କୋଣାର୍କ ଓ ପୁରୀରେ ଥିବା ପର୍ଯ୍ୟଟନ ବିଭାଗର ସମ୍ପତ୍ତିକୁ ଘରୋଇ ସଂସ୍ଥାକୁ ଲମ୍ବା ସମୟ ଲିଜ୍‌ରେ ଟେକି ଦିଆଯାଇଥିଲା। ଘରୋଇ ସଂସ୍ଥା ସେଥିରୁ ପ୍ରଚୁର ଲାଭ କରୁଥିଲା ବେଳେ ପର୍ଯ୍ୟଟନ ବିଭାଗ ତାହାକୁ କ୍ଷତି ବୋଲି ଦେଖାଇଥିଲା। ତାହା ପରେ କିଛି ବର୍ଷ ଘରୋଇକରଣ ଧାରା ବନ୍ଦ ହୋଇ ପାନ୍ଥନିବାସକୁ ଲାଭଜନକ ସଂସ୍ଥାରେ ପରିଣତ କରାଗଲା। କିନ୍ତୁ ବର୍ତ୍ତମାନ ପୁଣି ପର୍ଯ୍ୟଟନ ବିଭାଗରେ ପୁରୁଣା ରୋଗ ଫେରିଛି। ପ୍ରଶ୍ନ ଉଠୁଛି, ଲାଭଜନକ ପିଏସ୍‌ୟୁର ସମ୍ପତ୍ତିକୁ ଘରୋଇକରଣ କରି ପର୍ଯ୍ୟଟନ ବିଭାଗ କି ବାର୍ତ୍ତା ଦେବାକୁ ଚାହୁଁଛି? ସରକାର ଘରୋଇକରଣ ପାଇଁ ନୀତିଗତ ନିଷ୍ପତ୍ତି ନେଇଛନ୍ତି ନା କିଛି ଅଧିକାରୀଙ୍କ ମର୍ଜିରେ ଏହା କରାଯାଉଛି? କାହାକୁ ଆଖି ଆଗରେ ରଖି ଏପରି ଏକ ବିରାଟ ଷଡ଼ଯନ୍ତ୍ର ରଚନା କରାଯାଉଛି? ଘରୋଇକରଣ ଦ୍ୱାରା ରାଜ୍ୟ ପର୍ଯ୍ୟଟନ ଓ ସରକାରଙ୍କର କି ସ୍ବାର୍ଥ ସାଧନ ହେବ?

Share Now:

Kalinga News Beuro

Next Post

ରାଜଧାନୀରେ ଧୂର୍ତ୍ତ ମହିଳାଙ୍କ କାରନାମା : କର୍ମଚାରୀଙ୍କୁ ଧମକାଇ ଦୋକାନରୁ ଶାଢ଼ି ନେଇଗଲେ

Sat Aug 8 , 2020
ମାଗଣା ମାଛ ନେବା ବେଳେ ବି ଧରା ପଡ଼ିଥିଲେ ଭୁବନେଶ୍ବର : ଅଡି ଗାଡ଼ିରେ ଆସିଲେ। ମଲ୍‌ ଭିତରେ ପଶି ଦୋକାନରୁ ଦାମୀ ଶାଢ଼ି ବାଛିଲେ। କିନ୍ତୁ ମାଲିକଙ୍କ ପାର୍ଟନର୍‌ଙ୍କ ଲୋକ କହି ପଇସା ଦେଲେନି। ଶାଢ଼ି ନେଇ ବାହାରିଗଲେ। ସେଲ୍ସମ୍ୟାନ୍‌ ପଛରେ ଗୋଡ଼ାଇ ଗୋଡ଼ାଇ ପଇସା ଦେବାକୁ କହିବାରୁ ତାକୁ ନାଲିଆଖି ଦେଖାଇଲେ। ପିଛା କଲେ ବଳାତ୍କାର ମାମଲାରେ ଫସାଇଦେବି ବୋଲି କହିଲେ। ତେଣୁ ସେଲ୍ସମ୍ୟାନ୍‌ଜଣଙ୍କ କାନମୁଣ୍ଡା ଆଉଁସି […]
ମାଗଣା ମାଛ ନେବା ବେଳେ ବି ଧରା ପଡ଼ିଥିଲେ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial