ବିଏମ୍‌ସିପାଇଁ ଟିକସ ଆଦାୟ କଲେ କିନ୍ନର : ୨ଜଣଙ୍କଠାରୁ ୬୬ ହଜାର ଟଙ୍କା

ଭୁବନେଶ୍ୱର: କିନ୍ନରମାନେ ଆଜିଠାରୁ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ଅଞ୍ଚଳରେ ବକେୟା ହୋଲ୍ଡିଂ ଟିକସ ଆଦାୟ ଆରମ୍ଭ କରିଛନ୍ତି। ଟିକସ ଆଦାୟ କରିବାର ନୂଆ ରଣନୀତି ଭାବେ ଟି.ଜି. ସ୍ୱୀକୃତି ଏସ୍‌ଏଚ୍‌ଜି ଗୋଷ୍ଠୀକୁ ଏକ ବୁଝାମଣାପତ୍ର ମାଧ୍ୟମରେ ଦାୟିତ୍ୱ ଦିଆଯାଇଥିଲା ବେଳେ ଆଜି ଏହି କାର୍ଯ୍ୟର ଶୁଭାରମ୍ଭ ହୋଇଛି। ବିଏମ୍‌ସି କାର୍ଯ୍ୟାଳୟ ପ୍ରାଙ୍ଗଣରେ ଆଜି ଏହାର ଶୁଭାରମ୍ଭ ହୋଇଥିଲା। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଏମ୍‌ସି କମିଶନର ପ୍ରେମଚନ୍ଦ୍ର ଚୌଧରୀ କହିଲେ, ବକେୟା ହୋଲ୍ଡିଂ ଟିକସ ଆଦାୟ କରିବା ପାଇଁ ଏହି ଭିନ୍ନ ଧରଣର କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଏହାଦ୍ୱାରା ସାମାଜିକ ସ୍ରୋତରେ କିନ୍ନରମାନଙ୍କୁ ସାମିଲ କରାଇ ସେମାନଙ୍କର ଆର୍ଥିକ ସ୍ଥିତି ସୁଦୃଢ଼ କରାଯାଇପାରିବ। ଏହା ସହ ବିଏମ୍‌ସିର ବକେୟା ଟିକସ ଆଦାୟକୁ ବଢ଼ାଇବା ଦିଗରେ ମହାନଗର ନିଗମର ବିକାଶକୁ ତ୍ୱରାନ୍ୱିତ କରାଯାଇପାରିବ। ଏହି ଅବସରରେ ଟି.ଜି. ସ୍ୱୀକୃତି ଗ୍ରୁପ୍‌ର ୟୁନିଫର୍ମଧାରୀ ଦଶ ଜଣ ସଦସ୍ୟାଙ୍କୁ ପରିଚୟପତ୍ର ପିନ୍ଧାଇଥିଲେ କମିଶନର ପ୍ରେମ ଚନ୍ଦ୍ର ଚୌଧରୀ, ଅତିରିକ୍ତ କମିଶନର ସୁରଥ ଚନ୍ଦ୍ର ମଲ୍ଲିକ, ଅବନିକାନ୍ତ ପଟ୍ଟନାୟକ ଏବଂ ଉପକମିସନର ଶ୍ରୀମନ୍ତ ମିଶ୍ର। ଏହାପରେ ସମ୍ପୃକ୍ତ ଗ୍ରୁପ୍ ନିଜ ନିଜର ନାରା ବା ‌ସ୍ଲୋଗାନ୍ “ଟ୍ୟାକ୍ସ ଦିଜିଏ ଦୁଆ ଲିଜିଏ” କହିଥିଲେ। ଟି.ଜି. ସ୍ୱୀକୃତି ଗ୍ରୁପର ସଭାପତି ମେଘନା ସାହୁ କହିଛନ୍ତି, ଆଜିର ଦୁନିଆରେ କିନ୍ନରମାନଙ୍କୁ ଅନେକ କ୍ଷେତ୍ରରେ ହତାଦର କରାଯିବା ଏବଂ ସେମାନଙ୍କୁ ଉପଯୁକ୍ତ ରୋଜଗାର ପନ୍ଥା ମିଳୁନାହିଁ। ତେବେ ବିଏମ୍‌ସି ପକ୍ଷରୁ ଏପରି ସୁଯୋଗ କିନ୍ନରମାନଙ୍କ ଆର୍ଥିକ ମାନଦଣ୍ଡ ଦୃଢ଼ କରିବାରେ ସହାୟକ ହୋଇପାରିବ। କିନ୍ନର ଗୋଷ୍ଠୀର ସମସ୍ତ ସଦସ୍ୟା ବିଏମ୍‌ସିର ଆଭିମୁଖ୍ୟ ପୂରଣ କରିବା ପାଇଁ ଚେଷ୍ଟା କରାଯିବ ବୋଲି ସେ କହିଛନ୍ତି।
ଏହା ପରେ ସେମାନେ ସ୍ଥାନୀୟ ସହିଦନଗରକୁ ଯାଇ ବକେୟା ଥିବା ଚାରି ମାଲିକଙ୍କୁ ଭେଟିଥିଲେ। ଦୁଇ ମାଲିକଙ୍କଠାରୁ ବକେୟା ରାଶି ୬୬ ହଜାର ୨୬୪ ଟଙ୍କା ଆଦାୟ କରିଥିଲେ। ବିଏମ୍‌ସିର ବକେୟା ରାଶି ଆଜି ଦିନରେ ୧୧ କୋଟିରୁ ଅଧିକ ରହିଛି। ତେବେ ଏହାକୁ ଆଦାୟ କରିବାକୁ ଅଣ୍ଟା ଭିଡ଼ିଛନ୍ତି କିନ୍ନର। ବୁଝାମଣାପତ୍ର ଅନୁଯାୟୀ ଅଧିକରୁ ଅଧିକ ଆଦାୟ କରିପାରିଲେ ନିର୍ଦ୍ଧାରିତ ସ୍ଲାବ୍ ଅନୁସାରେ ଏହି ଗ୍ରୁପକୁ ଅଧିକ ପ୍ରୋତ୍ସାହନ ରାଶି ଦିଆଯିବ।

Share Now:

Kalinga News Beuro

Leave a Reply

Next Post

ସରକାରୀ ଚାକିରିରେ ଥାଇ ମୃତ୍ୟୁବରଣ କଲେ ପରିବାରର ଜଣେ ସଦସ୍ୟଙ୍କୁ ଚତୁର୍ଥ ଶ୍ରେଣୀରେ ମିଳିବ ନିଯୁକ୍ତି

Sat Feb 8 , 2020
ଭୁବନେଶ୍ୱର: ସରକାରୀ ଚାକିରିରେ ଥାଇ ମୃତ୍ୟୁବରଣ କରୁଥିବା ସରକାରୀ କର୍ମଚାରୀଙ୍କ ପରିବାରର ଜଣେ ସଦସ୍ୟଙ୍କୁ ଏଣିକି ଚତୁର୍ଥ ଶ୍ରେଣୀ କର୍ମଚାରୀ ଭାବେ ନିଯୁକ୍ତି ଦେବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ସଂପୃକ୍ତ ପରିବାରର ଦୁରାବସ୍ଥାକୁ ଦୃଷ୍ଟିରେ ରଖି ମୃତବ୍ୟକ୍ତିର ପରିବାରର ପ୍ରତିପୋଷଣ ନିମନ୍ତେ ସେହି ପରିବାରର ଏକ ସଦସ୍ୟଙ୍କୁ ତୃତୀୟ କିମ୍ବା ଚତୁର୍ଥ ଶ୍ରେଣୀ ପଦବିରେ ଅନୁକମ୍ପାମୂଳକ ନିଯୁକ୍ତି ଓଡ଼ିଶା ବେସାମରିକ ସେବା (ପୁନଃ ଥଇଥାନ ସହାୟତା) ନିୟମାବଳୀ, ୧୯୯୦ ବ୍ୟବସ୍ଥା […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial