ମାଡ଼ି ଆସୁଛି ୟାସ୍: ଆଜିଠାରୁ ପ୍ରକୋପ, ୨୬ ଅପରାହ୍ନ ଯାଏ ତାଣ୍ଡବ ରଚିବ

ମାଡ଼ି ଆସୁଛି ୟାସ୍

ବାଲେଶ୍ବର ପାଖାପାଖି ସ୍ଥଳଭାଗ ଛୁଇଁବା ସମ୍ଭାବନା

ଭୁବନେଶ୍ବର : ଗତକାଲି ବିଳମ୍ବିତ ରାତିରେ ହଠାତ୍ ସ୍ଥିର ହୋଇଗଲା ବାତ୍ୟା ‘ୟାସ୍’, ସୋମବାର ମଧ୍ୟାହ୍ନ ଯାଏ। ସମୁଦ୍ର ଭିତରେ ରହି ଯଥେଷ୍ଟ ବଳ ଗୋଟାଇଲା। ବାତ୍ୟା ରୂପ ଧାରଣ କରିବା ପରେ ଶକ୍ତିଶାଳୀ ହୋଇ ଅପରାହ୍ନ ୫ଟା ଯାଏ ଧୀର ଗତିରେ ଆଗକୁ ବଢ଼ିଲା। ଏବେ ଧୀରେ ଧୀରେ ଅଧିକ ଭୟଙ୍କର ରୂପ ଧାରଣ କରି ଘଣ୍ଟାପ୍ରତି ୧୨ କିଲୋମିଟର ବେଗରେ ଉପକୂଳ ଓଡ଼ିଶା ଆଡ଼କୁ ମାଡ଼ି ଆସୁଛି। ବେଳକୁ ବେଳ ଏତେ ଉଗ୍ର ହେଉଛି ଯେ ଆସନ୍ତାକାଲି ସକାଳ ସୁଦ୍ଧା ଏହା ଭୀଷଣ ବାତ୍ୟା ଓ ପରବର୍ତ୍ତୀ ୧୨ ଘଣ୍ଟାରେ ଅତି ଭୀଷଣ ବାତ୍ୟାରେ ରୂପାନ୍ତରିତ ହୋଇପାରେ। ଭାରତର ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଦେଉଛି ଯେ ୨୬ ତାରିଖ ମଧ୍ୟାହ୍ନ ସୁଦ୍ଧା ଏହା ଭଦ୍ରକ-ବାଲେଶ୍ବର ମଧ୍ୟରେ ସ୍ଥଳଭାଗକୁ ଛୁଇଁବ ଓ ପୂରା ବାଲେଶ୍ବର ସହର ଉପରେ ତାର ଆଖି ରହିବ। ଏହାର ପ୍ରଭାବରେ ଉତ୍ତର ଉପକୂଳରେ ୨୦୦ ମିଲିମିଟରରୁ ଅଧିକ ବର୍ଷା ହେବ। ଘଣ୍ଟାପ୍ରତି ୧୫୫ରୁ ୧୬୫, ବେଳେ ବେଳେ୧୮୫ କିଲୋମିଟର ବେଗରେ ପବନ ମାଡ଼ କରି ସମୁଦାୟ ଅଞ୍ଚଳରେ ଧ୍ବଂସର ତାଣ୍ଡବଲୀଳା ସୃଷ୍ଟି କରିବ। ଗୋଟିଏ ଧାଡ଼ିରେ କହିଲେ, ୨୬ ତାରିଖ ସକାଳେ ‘ୟାସ୍’ର ଭୀଷଣ ରୂପ ଦେଖିବ ଓଡ଼ିଶା।

ଭାରତର ପାଣିପାଗ ବିଜ୍ଞାନ କେନ୍ଦ୍ରର ମହାନିର୍ଦେଶକ ଡ. ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି ଯେ ଯେମିତି ପୂର୍ବାନୁମାନ କରାଯାଇଥିଲା, ସେହି ଅନୁସାରେ ଜଗତସିଂହପୁର, କେନ୍ଦ୍ରାପଡା, ଭଦ୍ରକ ଓ ବାଲେଶ୍ବରରେ ସବୁଠାରୁ ବେଶି ପବନ ହେବ। ସ୍ବାଭାବିକ ଭାବେ ବାଲେଶ୍ବର ସହରରେ ତାର ଭୀଷଣ ରୂପ ଦେଖିବାକୁ ମିଳିବ। ପୂର୍ବାହ୍ନରୁ ପ୍ରକୋପ ବଢ଼ିବ ଏବଂ ଅପରାହ୍ନ ସୁଦ୍ଧା ସ୍ଥଳଭାଗ ଛୁଇଁଯିବ। ଭୀଷଣ ବାତ୍ୟା ରୂପ ନେବା ପରେ ଏହାର ଆଖି ସୃଷ୍ଟି ହେବ, କିନ୍ତୁ ବାତ୍ୟାର ଆକାର ଏତେ ବିଶାଳ ଯେ ପୁରୀଠାରୁ ପଶ୍ଚିମବଙ୍ଗର ଚବିଶ ପ୍ରଗଣା ଯାଏ ପବନର ବେଗ ଘଣ୍ଟାପ୍ରତି ୬୦ କିଲୋମିଟରରୁ ଅଧିକ ରହିବ।
ଭାରତର ପାଣିପାଗ ବିଜ୍ଞାନ କେନ୍ଦ୍ର ସାଇକ୍ଲୋନ୍ ଵାର୍ଣ୍ଣିଂ ସେଣ୍ଟରର ମୁଖ୍ୟ ଆର୍ କେ ଜେନାମଣି କହିଛନ୍ତି ଯେ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତ ଆଜି ସକାଳ ସାଢେ ପାଞ୍ଚଟା ବେଳେ ବାତ୍ୟା ‘ୟାସ୍’ ରୂପ ଧାରଣ କରିଛି। ରିପୋର୍ଟ ଲେଖା ହେବା ବେଳକୁ ଏହା ପାରାଦୀପ ଠାରୁ ୩୬୦ କିଲୋମିଟର ଏବଂ ବାଲେଶ୍ବର ଠାରୁ ୪୬୦ କିଲୋମିଟର ଦୂରରେ କେନ୍ଦ୍ରୀଭୂତ ହୋଇଛି ଏବଂ ଘଣ୍ଟାପ୍ରତି ୯ କିଲୋମିଟର ବେଗରେ ଉତ୍ତର-ଉତ୍ତର ପଶ୍ଚିମ ଦିଗରେ ଅର୍ଥାତ୍ ଓଡ଼ିଶା ଆଡ଼କୁ ମାଡ଼ି ଆସୁଛି। ବାତ୍ୟାର ପ୍ରଭାବ ଉଭୟ ୨୫ ତାରିଖ ଏବଂ ୨୬ ତାରିଖରେ ପଡ଼ିବ। କେନ୍ଦ୍ରାପଡ଼ା, ଜଗତସିଂହପୁର, ବାଲେଶ୍ବର, ଭଦ୍ରକ, କେନ୍ଦୁଝର, ମୟୂରଭଂଜ, କଟକ ଏବଂ ଯାଜପୁର ସର୍ବାଧିକ ପବନ ପାଇବେ। ଖୋର୍ଦ୍ଧା ଏବଂ ପୁରୀରେ ପବନର ବେଗ ଘଣ୍ଟାପ୍ରତି ୮୦ରୁ ୯୦ କିଲୋମିଟର ରହିବ, ମଝିରେ ମଝିରେ ୧୧୦ କିଲୋମିଟର ବେଗରେ ଆସି ଝଟ୍‌କା ଦେବ।
ଶ୍ରୀ ଜେନାମଣିଙ୍କ କହିବା କଥା ହେଉଛି, ପୂର୍ଣ୍ଣିମା କାରଣରୁ ବାତ୍ୟାର ପ୍ରକୋପ ଟିକିଏ ଅଧିକ ଭାବେ ପଡ଼ିବ। ସମୁଦ୍ର ଫୁଲି ଉଠିବ। ବାଲେଶ୍ବରର କୁମ୍ଭୀରଗଡି ଅଞ୍ଚଳରେ ୩.୮ ମିଟର ଉଚ୍ଚାର ଜୁଆର ସୃଷ୍ଟି ହେବ ଏବଂ ୨ କିଲୋମିଟର ଯାଏ ଏହାର ମାଡ଼ିଆସିପାରେ। ସେହିଭଳି ଭଦ୍ରକରେ ମୋହନପୁର ନିକଟରେ ୨.୧ ମିଟର ଯାଏ ଉଠିବ ଓ ୭ କିଲୋମିଟର ଯାଏ ପ୍ରଭାବ ରଖିବ। କେନ୍ଦ୍ରାପଡ଼ା ଟିକାୟତ ନଗରରେ ମଧ୍ୟ ଦେଢ ଫୁଟ ଉଚ୍ଚାରେ ଜୁଆର ଉଠିବ। ପରିସ୍ଥିତିର ଗମ୍ଭୀରତା ଦେଖି ଆଜି ଧାମରା ଓ ପାରାଦୀପରେ ୪ ନମ୍ବର ଏବଂ ପୁରୀ ଓ ଗୋପାଳପୁରରେ ୩ନମ୍ବର ବିପଦ ସଙ୍କେତ ଜାରି କରାଯାଇଛି।
ପାଣିପାଗ ବିଭାଗ ଦର୍ଶାଇଛି ଯେ ବାତ୍ୟାର ପ୍ରଭାବରେ ୨୫ ତାରିଖରେ କେନ୍ଦ୍ରାପଡ଼ା, ଜଗତସିଂହପୁର, ଭଦ୍ରକ ଓ ପୁରୀରେ ପ୍ରବଳ ବର୍ଷା ହେବ। କିନ୍ତୁ ସକାଳ ସାଢ଼େ ଆଠଟା ପରେ ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ପୁରୀ ଓ ଖୋର୍ଦ୍ଧାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ। ସେହି ସମୟରେ ମୟୂରଭଂଜ, ଢେଙ୍କାନାଳ ଏବଂ ଗଂଜାମରେ ମଧ୍ୟ ପ୍ରବଳ ବର୍ଷା ହେବ। ସେହିପରି ୨୬ ତାରିଖ ସକାଳ ୮ଟା ପରେ ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ମୟୂରଭଂଜ,କେନ୍ଦୁଝର ଏବଂ ଢେଙ୍କାନାଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ। ଅନୁଗୁଳ, ଦେବଗଡ, ଖୋର୍ଦ୍ଧା, ପୁରୀ ଏବଂ ସୁନ୍ଦରଗଡରେ ସେହି ସମୟରେ ପ୍ରବଳ ବର୍ଷା ହେବ। ୨୭ ତାରିଖରେ ସୁନ୍ଦରଗଡ଼, ଦେବଗଡ ଏବଂ କେନ୍ଦୁଝରରେ ପ୍ରବଳ ବର୍ଷା ହେବ ବୋଲି ପୂର୍ବାନୁମାନ କରାଯାଇଛି। ୨୫ ତାରିଖ ଅପରାହ୍ନରୁ କେନ୍ଦ୍ରୀୟ ବଙ୍ଗୋପସାଗର ସଂଲଗ୍ନ ଅଞ୍ଚଳରେ ପବନର ଗତି ବଢ଼ିବ। ଘଣ୍ଟାପ୍ରତି ୯୦ରୁ ୧୦୦ କିଲୋମିଟର, ସ୍ଥଳବିଶେଷରେ ୧୧୦ କିଲୋମିଟର ବେଗରୁ ଉପକୂଳକୁ ଘାଣ୍ଟିବ। ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ବର ଓ ପୁରୀ ଜିଲ୍ଲାରେ ୬୦ରୁ ୮୦ କିଲୋମିଟରରେ ପବନ ହେବ ଓ ବେଳେ ବେଳେ ୯୦ କିଲୋମିଟର ବେଗରେ ଆସି ଝଟ୍‌କା ଦେବ। ଗଞ୍ଜାମ, ଖୋର୍ଦ୍ଧା, କଟକ, ଯାଜପୁର ଏବଂ ମୟୂରଭଂଜରେ ସେହି ସମୟରେ ଘଣ୍ଟାପ୍ରତି ୪୦ରୁ ୫୦ କିଲୋମିଟର ଏବଂ ସ୍ଥଳବିଶେଷରେ ପବନର ବେଗ ୬୦ କିଲୋମିଟର ଯାଏ ଛୁଇଁପାରେ। ୨୫ ତାରିଖ ଅପରାହ୍ନ ପରେ ଉପକୂଳ ଅଞ୍ଚଳରେ କିନ୍ତୁ ପବନର ଗତି ବଢ଼ିବ ଏବଂ ରାତି ସୁଦ୍ଧା ଘଣ୍ଟା ପ୍ରତି ୧୨୦ କିଲୋମିଟରରୁ ୧୩୦ କିଲୋମିଟର ଛୁଇଁସାରିଥିବ। କେତେବେଳେ କେତେବେଳେ ୧୪୦ କିଲୋମିଟର ବେଗରେ ଝଟ୍‌କା ଦେଇପାରେ। ୨୬ ତାରିଖରେ ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ବରରେରେ ପବନର ବେଗ ୧୮୫ କିଲୋମିଟର ଯାଏ ବଢ଼ିଯିବ। ସେହି ସମୟରେ ମୟୂରଭଂଜରେ ପବନର ବେଗ ଘଣ୍ଟାପ୍ରତି ୧୪୫ କିଲୋମିଟର ଯାଏ ଛୁଇଁପାରେ। ୨୬ ତାରିଖରେ ପୁରୀ, କଟକ, ଖୋର୍ଦ୍ଧା ଏବଂ ଯାଜପୁରରେ ପବନର ବେଗ ୮୦ରୁ ୯୦ କିଲୋମିଟର ରହିବ ଏବଂ ବେଳେ ବେଳେ ୧୧୦ କିଲୋମିଟର ବେଗରେ ଝଟ୍‌କା ଦେବ। ଗଞ୍ଜାମ, ଢେଙ୍କାନାଳ, କେନ୍ଦୁଝରରେ ଘଣ୍ଟାପ୍ରତି ୯୦ କିଲୋମିଟର ଛୁଇଁପାରେ ପବନ। ଅନୁଗୁଳ, ଦେବଗଡ ଏବଂ ସୁନ୍ଦରଗଡରେ ପବନର ବେଗ ୭୦ କିଲୋମିଟର ଛୁଇଁବା ସମ୍ଭାବନାକୁ ଏଡ଼ାଇ ଦେଇ ହେବନାହିଁ। ୨୭ ତାରିଖରେ କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ବର, ମୟୂରଭଂଜ, କେନ୍ଦୁଝର, ସୁନ୍ଦରଗଡ, ଦେବଗଡରେ ପବନର ବେଗ ଘଣ୍ଟା ପ୍ରତି ୫୦ରୁ ୬୦ ଏବଂ ବେଳେ ବେଳେ ୭୦ କିଲୋମିଟର ବେଗରେ ଧକ୍‌କା ଦେଇପାରେ। ଏହି ସମୟରେ ସମୁଦ୍ର ଭୀଷଣ ଅଶାନ୍ତ ରହିବ ଏବଂ ଫୁଲି ଉଠି କିଛି ସ୍ଥାନରେ ଆଗକୁ ମାଡ଼ିଆସିବ। ବାଲେଶ୍ବର ଏବଂ ଭଦ୍ରକରେ ୪ ମିଟର ଯାଏ ଏବଂ କେନ୍ଦ୍ରାପଡ଼ା, ଜଗତସିଂହପୁରରେ ୨ ମିଟର ଉଚ୍ଚର ଜୁଆର ମାଡ଼ିଆସିବ। ପାଣିପାଗ ବିଭାଗ କହିଛି, ବିଦ୍ୟୁତ ଖୁଣ୍ଟ ଠାରୁ ଆରମ୍ଭ କରି ଟେଲିଫୋନ୍ ଟାଵାର ଉପୁଡି ଯାଇପାରେ। କଚ୍ଚା ଘର ଭାଙ୍ଗିଯାଇପାରେ, ପକ୍କା ରୋଡ୍ ଭାସିଯିବା ବିଚିତ୍ର ନୁହେଁ। ରେଳ ଚଳାଚଳ ଗଭୀର ଭାବେ ପ୍ରଭାବିତ କରିବ ଏବଂ ଗଛପତ୍ର ଭାଙ୍ଗି ଛିନ୍‌ଛତ୍ର କରିଦେବ ବାତ୍ୟା ‘ୟାସ୍’।

Share Now:

Kalinga News Beuro

Next Post

ବ୍ଲାକ୍‌, ହ୍ବାଇଟ୍ ପରେ ‌ଏବେ ୟେଲୋ ଫଙ୍ଗସ୍‌: ଉତ୍ତର ପ୍ରଦେଶରେ ଚିହ୍ନଟ ହେଲେ ପ୍ରଥମ ରୋଗୀ

Tue May 25 , 2021
ନୂଆଦିଲ୍ଲୀ: କରୋନା ଆକ୍ରାନ୍ତଙ୍କ ଠାରେ ବ୍ଲାକ୍ ଏବଂ ହ୍ବାଇଟ୍‌ ଫଙ୍ଗସ୍‌ ପରେ ଏବେ ୟେଲୋ ଫଙ୍ଗସ୍‌ ଦେଖାଦେଲାଣି। ଉତ୍ତର ପ୍ରଦେଶରେ ଗାଜିଆବାଦ ଜିଲ୍ଲାରେ ୟେଲୋ ଫଙ୍ଗସ୍‌ରେ ଆକ୍ରାନ୍ତ ପ୍ରଥମ ରୋଗୀ ଚିହ୍ନଟ ହୋଇଛନ୍ତି ବୋଲି କର୍ଣ୍ଣ, ନାସା ଓ ଗଳା ବି‌ଭାଗ ବିଶେଷଜ୍ଞ ଡାକ୍ତର ବି ପି ତ୍ୟାଗୀ ସୂଚନା ଦେଇଛନ୍ତି। ସଂପୃକ୍ତ ରୋଗୀ ଜଣକ ସେଠାକାର ଏକ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ସଂପୃକ୍ତ ରୋଗୀଜଣକ ବ୍ଲାକ୍ ଏବଂ ହ୍ବାଇଟ୍ […]
ବ୍ଲାକ୍‌, ହ୍ବାଇଟ୍ ପରେ ‌ଏବେ ୟେଲୋ ଫଙ୍ଗସ୍‌

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial