ନେଟୱର୍କ ନ ଥିବା ଅପହଞ୍ଚ ଅଞ୍ଚଳରେ କିଭଳି ହେବ ପଞ୍ଜୀକରଣ?

୧୮-୪୪ ବର୍ଷର ଲୋକଙ୍କ ଟିକାକରଣ

ହେବକି ଟିକାଦାନ କେନ୍ଦ୍ରରେ ପଞ୍ଜୀକରଣ ?

ଭୁବନେଶ୍ବର : ଜାତୀୟ ହାରଠାରୁ ଓଡ଼ିଶାରେ ଟେଲି ସାନ୍ଦ୍ରତା କମ୍। ଅଧିକାଂଶ ଲୋକଙ୍କ ପାଖରେ ଆଣ୍ଡ୍ରଏଡ୍‌ ମୋବାଇଲ ଫୋନ୍ ମଧ୍ୟ ନାହିଁ। ଏପରିକି ଫୋନ୍ ଥିଲେ ମଧ୍ୟ ନେଟୱର୍କ ଠିକ୍‌ରେ ଆସୁନାହିଁ। ଗତବର୍ଷ ଲକ୍‌ଡାଉନ୍ ସମୟରେ ଅନଲାଇନ୍‌ ପାଠପଢ଼ାକୁ ନେଇ ରାଜ୍ୟରେ ଟେଲି ସାନ୍ଦ୍ରତା ସ୍ଥିତିକୁ ନେଇ ବିକଳ ଚିତ୍ର ସାମ୍ନାକୁ ଆସିଥିଲା। କିଏ ପାଠ ପଢ଼ିବା ଲାଗି ଗଛରେ ଚଢ଼ିଥିଲା ତ ଆଉ କିଏ ପାହାଡ଼ ଉପରେ। ଏଭଳି ପରିସ୍ଥିତିରେ ଗ୍ରାମାଞ୍ଚଳରେ ରହୁଥିବା ୧୮-୪୪ବର୍ଷର ଲୋକମାନେ କିଭଳି ନିଜର ପଞ୍ଜୀକରଣ କରିବେ ଓ ଟିକା ନେବେ ତାହାକୁ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଚଳିତମାସ ପହିଲାରୁ କେନ୍ଦ୍ର ସରକାର ୧୮-୪୪ବର୍ଷର ଲୋକଙ୍କ ଟିକାକରଣ ପାଇଁ ଅନୁମୋଦନ କରିଛନ୍ତି। ବିଭିନ୍ନ ରାଜ୍ୟ ସରକାର ନିଜ ଖର୍ଚରେ ଏହି ବର୍ଗର ଲୋକଙ୍କ ଟିକାକରଣ କରିବା ଆରମ୍ଭ କରିଛନ୍ତି। ରାଜ୍ୟରେ ଆଜିଠାରୁ କେବଳ ଭୁବନେଶ୍ବରରେ ଏହି ବର୍ଗର ଲୋକଙ୍କ ଟିକାକରଣ ଆରମ୍ଭ ହୋଇଛି। ଆଗକୁ ‘କୋଭିସିଲ୍‌ଡ’ ଟିକା ଆସିବା ପରେ ରାଜ୍ୟବ୍ୟାପୀ ଏହି ବର୍ଗ ପାଇଁ ଟିକଦାନ ଆରମ୍ଭ କରାଯିବ। ଟିକାର ପଞ୍ଜୀକରଣ ପାଇଁ ଏବେ ଲୋକମାନଙ୍କୁ କୋ-ୱିନ୍‌ ଆପ ଡାଉନ୍‌ଲୋଡ୍‌ କରିବା ପରେ ଏଥିରେ ନିଜର ମୋବାଇଲ ନମ୍ବର ଦେବାକୁ ହେବ। ପରବର୍ତ୍ତୀ ସମୟରେ ସଂପୃକ୍ତ ମୋବାଇଲକୁ ଏକ ଓଟିପି ଆସିବ। ଏହି ଓଟିପି ଦେବା ପରେ ଜଣେ ନିଜର କୌଣସି ଏକ ପରିଚୟପତ୍ର ପ୍ରଦାନ କରି ନିଜର ପଞ୍ଜୀକରଣ କରିପାରିବେ। ଗୋଟିଏ ନମ୍ବରରେ ୪ଜଣଙ୍କର ପଞ୍ଜୀକରଣ ହୋଇପାରିବ। ୨୦୧୮-୧୯ ଅର୍ଥନୈତିକ ସର୍ବେକ୍ଷଣ କହୁଛି, ରାଜ୍ୟରେ ସମୁଦାୟ ୫୧,୩୧୧ଟି ଗ୍ରାମ ଥିବା ବେଳେ ତହିଁରୁ ୧୧ହଜାର ଗାଁରେ ମୋବାଇଲ ‌ସେବା ଉପଲବ୍ଧ ନାହିଁ। ସେହିପରି ଟେଲି ସାନ୍ଦ୍ରତା କ୍ଷେତ୍ରରେ ମଧ୍ୟ ଓଡ଼ିଶା ଜାତୀୟ ସ୍ତରଠାରୁ ପଛରେ ରହିଛି। ଜାତୀୟସ୍ତରରେ ଟେଲି ସାନ୍ଦ୍ରତା ୯୧ପ୍ରତିଶତରୁ ଅଧିକ ଥିବା ବେଳେ ରାଜ୍ୟରେ ତାହା ୭୯.୫୮ପ୍ରତିଶତ ରହିଛି। ଏଭଳି ପରିସ୍ଥିତିରେ ଗ୍ରାମାଞ୍ଚଳରେ ରହୁଥିବା ଏହି ବର୍ଗର ଲୋକମାନେ କିଭଳି ନିଜର ପଞ୍ଜୀକରଣ କରିବେ ଓ ସେମାନଙ୍କୁ ଟିକାଦାନର ତାରିଖ ଦିଆଯିବ। ତେଣୁ ବିନା ପଞ୍ଜୀକରଣରେ କ’ଣ ଏହି ବର୍ଗର ଲୋକ ଟିକା ନେବାରୁ ବଞ୍ଚିତ ରହି‌ଯିବେ? ଏଭଳି ଧାରଣା ଏବେ ଲୋକମାନଙ୍କ ଭିତରେ ସୃଷ୍ଟି ହୋଇଛି। ରାଜ୍ୟରେ ୧୮-୪୪ବର୍ଷର ୧କୋଟି ୯୩ଲକ୍ଷ ଲୋକ ରହିଥିବା ରାଜ୍ୟ ସରକାର କହିଛନ୍ତି। କରୋନା ସଂକ୍ରମଣ ବୃଦ୍ଧିକୁ ଦେଖି ରାଜ୍ୟ ସରକାର ଏହି ବର୍ଗର ଲୋକମାନଙ୍କୁ ଯଥାଶୀଘ୍ର ଟିକାକରଣ କରିବା ଲାଗି ପ୍ରସ୍ତୁତ ହୋଇଛନ୍ତି। ‘କୋଭାକ୍ସିନ୍’ ଟିକା ପ୍ରସ୍ତୁତ କରୁଥିବା ଭାରତ ବାଇଓଟେକ୍‌ ୧୦ଲକ୍ଷ ୩୪ ହଜାର ଡୋଜ୍ ଓ ‘କୋଭିସିଲ୍‌ଡ’ର କୋଟିଏ ଡୋଜ୍‌ ପାଇଁ ଦୁଇ ଟିକା ଉତ୍ପାଦକଙ୍କୁ ସରକାର ଚିଠି ଲେଖିଛନ୍ତି। ‘କୋଭାକ୍ସିନ୍’ ଟିକା କେବଳ ଭୁବନେଶ୍ବରରେ ଦିଆଯାଉଥିବା ବେଳେ ବଳକା ୧କୋଟି ଟିକା ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରଦାନ କରାଯିବ।
ରାଜ୍ୟ ଟିକାକରଣ ନୋଡାଲ ଅଧିକାରୀ ଡା. ବିଜୟ ପାଣିଗ୍ରାହୀ କହିଛନ୍ତି, କେନ୍ଦ୍ର ସରକାରଙ୍କ ପକ୍ଷରୁ ଏ ସଂପର୍କରେ କୌଣସି ସୂଚନା ଦିଆଯାଇ ନାହିଁ। ଏବେ ଟିକା ନେବା ପାଇଁ ଲୋକମାନଙ୍କ ମଧ୍ୟରେ ଭିଡ଼ ଦେଖିବାକୁ ମିଳୁଛି। ତେଣୁ ଆଗକୁ ହୁଏତ କେନ୍ଦ୍ର ସରକାର ଟିକାଦାନ କେନ୍ଦ୍ରରେ ପଞ୍ଜୀକରଣ ପାଇଁ ଅନୁମତି ଦେଇପାରନ୍ତି। ହେଲେ ଏଯାଏ ସେଭଳି କୌଣସି ନିର୍ଦ୍ଦେଶନାମା ଆସି ନଥିବା ଡା. ପାଣିଗ୍ରାହୀ ସୂଚନା ଦେଇଛନ୍ତି।

Share Now:

Kalinga News Beuro

Next Post

ରାଜ୍ୟ‌ର ବିଭିନ୍ନ ସ୍ଥାନରେ ‌ଆସନ୍ତା ୪ ଦିନ କାଳବୈଶାଖୀ ବର୍ଷା

Tue May 4 , 2021
ଭୁବନେଶ୍ବର : ରାଜ୍ୟରେ କାଳବୈଶାଖୀଜନିତ ବର୍ଷା ଜାରି ରହିଥିବାରୁ ଧୀରେଧୀରେ ରାଜ୍ୟରେ ପାରଦ ତଳକୁ ଖସୁଛି। ଆସନ୍ତା ୪ଦିନ ପର୍ଯ୍ୟନ୍ତ ରାଜ୍ୟ‌ର ବିଭିନ୍ନ ସ୍ଥାନରେ ‌କାଳବୈଶାଖୀ ବର୍ଷା ହେବାର ସୂଚନା ରହିଛି। ଆଜି ରାଜ୍ୟର ୧୮ ଜିଲ୍ଲାରେ କାଳବୈଶାଖୀଜନିତ ବର୍ଷା ହେବାର ସମ୍ଭାବନା ଥିବାରୁ ଏହି ସବୁ ଜିଲ୍ଲାରେ ୟେଲୋ-ୱାର୍ଣ୍ଣିଂ ଜାରି କରାଯାଇଛି। ଉକ୍ତ ଜିଲ୍ଲାଗୁଡ଼ିକ ହେଲା, ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, […]
ଆସନ୍ତା ୪ ଦିନ କାଳବୈଶାଖୀ ବର୍ଷା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial