ନୂଆଦିଲ୍ଲୀ : ଗହମ ପରେ ଚିନି ରପ୍ତାନିକୁ ନିଷିଦ୍ଧ କରିବାକୁ ବିଚାର କରୁଛନ୍ତି ଭାରତ ସରକାର। ଦେଶରେ ଚିନି ଉପଲବ୍ଧତା ବୃଦ୍ଧି ଓ ଦର ନିୟନ୍ତ୍ରଣ ପାଇଁ ସରକାର ଏହି ପଦକ୍ଷେପ ଲାଗି ଚିନ୍ତା କରୁଥିବା ଜଣାଯାଇଛି। ଗଣମାଧ୍ୟମ ସୁତ୍ରରୁ ମିଳିଥିବା ସୂଚନା ଅନୁସାରେ ସରକାର ଚଳିତ ଚିନି ଋତୁରେ ଦେଶରୁ ମୋଟ ଚିନି ରପ୍ତାନିକୁ ୧୦ ନିୟୁତ ଟନ ମଧ୍ୟରେ ସୀମିତ ରଖିବାକୁ ନିଷ୍ପତ୍ତି ନେଇପାରନ୍ତି। ଚଳିତ ଚିନି ଋତୁରେ ଏପର୍ଯ୍ୟନ୍ତ ଭାରତରୁ ପ୍ରାୟ ସାଢେ ୭ ନିୟୁତ ଟନ ଚିନି ରପ୍ତାନି ହୋଇସାରିଛି। ଭାରତ ବିଶ୍ବର ବୃହତ୍ତମ ଚିନି ଉତ୍ପାଦନକାରୀ ହୋଇଥିବାବେଳେ ବ୍ରାଜିଲ ପରେ ବିଶ୍ବର ୨ୟ ବୃହତ୍ତମ ଚିନି ରପ୍ତାନିକାରୀ। ଏଣୁ ଭାରତ ରପ୍ତାନି କଟକଣା ଲଗାଇଲେ ବିଶ୍ବ ବଜାରରେ ଚିନି ଉପଲବ୍ଧତା ପ୍ରଭାବିତ ହେବ ଓ ଦର ବୃଦ୍ଧି ହେବ। ଗତ ଫେବୃଆରୀ ମାସରେ ରୁଷ ପକ୍ଷରୁ ୟୁକ୍ରେନ ଉପରେ ଆକ୍ରମଣ କରାଯିବା ପରେ ବିଶ୍ବରେ ବିଭିନ୍ନ ଖାଦ୍ୟ ସାମଗ୍ରୀର ଦର ବୃଦ୍ଧି ପାଇଛି। ଏହାକୁ ଦୃଷ୍ଟିରେ ରଖି କେତେକ ଦେଶ ରପ୍ତାନି କଟକଣା ଲଗାଇଛନ୍ତି। ଭାରତ ଗହମ ରପ୍ତାନି ଉପରେ କଟକଣା ଲଗାଇଥିବାବେଳେ ମାଲେସିଆ ପାମ ଅଏଲ ଉପରେ କଟକଣା ଲଗାଇଛି। ସେହିପରି ସର୍ବିଆ ଓ କାଜାଖସ୍ଥାନ ଶସ୍ୟ ରପ୍ତାନି ଉପରେ କଟକଣା ଲଗାଇଛନ୍ତି।
ଚିନି ରପ୍ତାନିକୁ ବି ନିଷିଦ୍ଧ କରିବ ଭାରତ

Share Now: