ନୂଆଦିଲ୍ଲୀ : ଆଜିକାଲି ବିଭିନ୍ନ ଅତ୍ୟାବଶ୍ୟକ ସାମଗ୍ରୀ ଓ ସେବାର ଦର ବୃଦ୍ଧି ସାଧାରଣ ଲୋକମାନଙ୍କୁ ଚିନ୍ତାଗ୍ରସ୍ତ କରିଥିବାବେଳେ ଆଉ ଏକ କ୍ଷେତ୍ରରେ ଦରବୃଦ୍ଧି ହେବାକୁ ଯାଉଛି। ତାହା ହେଉଛି ଚାରି ଚକିଆ ଓ ଦୁଇ ଚକିଆ ଯାନର ବୀମା ପ୍ରିମିୟମ। ଆସନ୍ତା ଜୁନ ୧ରୁ ଚାରି ଚକିଆ ଓ ଦୁଇ ଚକିଆ ଯାନର ବୀମା ପ୍ରିମିୟମ ବଢିବାର ସମ୍ଭାବନା ରହିଛି। କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରାଳୟ ପକ୍ଷରୁ ଜାରି ଏକ ବିଜ୍ଞପ୍ତି ଅନୁସାରେ ଜୁନ ୧ରୁ ଥାର୍ଡ ପାର୍ଟି ମୋଟର ଯାନ ଇନସୁରାନ୍ସ ପ୍ରିମିୟମ ବୃଦ୍ଧି ପାଇବ। ବୀମା ମୂଲ୍ୟ ବଢିବା ଦ୍ବାରା ନୂଆ କାର ଓ ବାଇକର ଦର ମଧ୍ୟ ବୃଦ୍ଧି ପାଇବ। ପୂର୍ବରୁ ମହଙ୍ଗା ପେଟ୍ରୋଲ ଓ ଡିଜେଲ ଯୋଗୁଁ ଗ୍ରାହକମାନେ ଚାପରେ ଥିବାବେଳେ ବୀମା ପ୍ରିମିୟମ ଦରବୃଦ୍ଧି ସେମାନଙ୍କ ଉପରେ ଆଉ ଏକ ବୋଝ ହେବ ବୋଲି କୁହାଯାଉଛି। ବୁଧବାର ପ୍ରକାଶିତ ମନ୍ତ୍ରାଳୟର ବିଜ୍ଞପ୍ତି ଅନୁସାରେ ୧୦୦୦ ସିସି ଇଞ୍ଜିନ ବିଶିଷ୍ଟ ଘରୋଇ କାର ପାଇଁ ବୀମା ପ୍ରିମିୟମ ୨୦୯୪ ଟଙ୍କାକୁ ବୃଦ୍ଧି ପାଇଛି, ଯାହାକି ୨୦୧୯-୨୦ରେ ୨୦୭୨ ଟଙ୍କା ଥିଲା। ସେହିପରି ୧୦୦୦ସିସିରୁ ୧୫୦୦ ସିସି କାର ପାଇଁ ପ୍ରିମିୟମ ଦେୟ ୩୪୧୬ ଟଙ୍କାକୁ ବୃଦ୍ଧି ପାଇୂବ ଯାହାକି ଏବେ ୩୨୨୧ ଟଙ୍କା ରହିଛି। ୧୫୦୦ ସିସିରୁ ଅଧିକ ହେଲେ ପ୍ରିମିୟମ ମୂଲ୍ୟ ୭୮୯୭ଟଙ୍କାକୁ ବୃଦ୍ଧି କରାଯାଇଛି। ୧୫୦ ସିସି ରୁ ୩୫୦ ସିସି ପର୍ଯ୍ୟନ୍ତ ଦୁଇ ଚକିଆ ଯାନ କ୍ଷେତ୍ରରେ ପ୍ରିମିୟମକୁ ୧୩୬୬ ଟଙ୍କା ଓ ୩୫୦ ସିସିରୁ ଅଧିକ ହେଲେ ପ୍ରିମିୟମକୁ ୨୮୦୪ ଟଙ୍କାକୁ ବୃଦ୍ଧି କରାଯାଇଛି।
ଜୁନ ୧ରୁ ମହଙ୍ଗା ହେବ କାର, ବାଇକ ବୀମା ପ୍ରିମିୟମ

Share Now: