ଆଜିଠୁ ପାର୍ବଣର ଶ୍ରୀଗଣେଶ : ଦୌତ୍ୟନଗରୀରେ ପୂଜାର ମାହୋଲ ସରଗରମ

ପାର୍ବଣର ଶ୍ରୀଗଣେଶ-1

କଟକ: ଆସନ୍ତାକାଲି ଗଣେଶ ପୂଜା। ଏଥିପାଇଁ ସଜେଇ ହୋଇଛି ସହର। ଗଲା ଦୁଇ ବ‌‌ର୍ଷ କରୋନା ପାଇଁ ରସହୀନ ହୋଇଯାଇଥିବା ପୂଜା ଚଳିତ ବର୍ଷ ଉତ୍ସାହର ସହ ପାଳନ ହେବାକୁ ଯାଉଛି। ଏବେ ରଙ୍ଗୀନ ଆଲୋକମାଳାରେ ଝଲସୁଛି ସହରର ସବୁ ଗଳିକନ୍ଦି, ସହରବଜାର, ସାହିବସ୍ତି। କରୋନା କଟକଣା ନଥିବାରୁ ସାଜସଜା, ସାଂସ୍କୃତିକ କାର୍ଯ୍ୟକ୍ରମ, ଭସାଣି ‌ଶୋଭାଯାତ୍ରା ପାଇଁ ଜୋରଦାର ପ୍ରସ୍ତୁତି ଚାଲିଛି। ସହରର ସମସ୍ତ ଶିକ୍ଷାନୁଷ୍ଠାନ, ବ୍ୟବସାୟ ପ୍ରତିଷ୍ଠାନ, କ୍ଲବ୍‌କୁ ମିଶାଇଲେ ଗଣେଶ ପୂଜା ମଣ୍ଡପ ସଂଖ୍ୟା ଏଥର ୩ ହଜାର ଟପିଯିବ। କୁହାଯାଏ, ମରାଠା ଶାସନ ସମୟରେ କଟକ ସହରରେ ଗଣେଶ ପୂଜାର ଶୁଭାରମ୍ଭ ହୋଇଥିଲା। କାଳୀଗଳିର ଗଣେଶ ମନ୍ଦିର ଏହାର ପ୍ରମାଣ ଦିଏ। କାଳୀଗଳି ଭଳି ବକ୍ସିବଜାର ବଢ଼େଇ ସାହିରେ ଆଉ ଏକ ପୁରାତନ ଗଣେଶ ମନ୍ଦିର ରହିଛି। ସତୁରୀ ଦଶକରେ ସହରରେ ମାତ୍ର ୪୦ରୁ ୫୦ଟି ସ୍ଥାନରେ ଗଣେଶ ପୂଜା ପାଳନ କରାଯାଉଥିବା ବେଳେ ଏବେ ପ୍ରତିବର୍ଷ ପୂଜା ମଣ୍ଡପ ସଂଖ୍ୟା ବଢ଼ିବାରେ ଲାଗିଛି। ଏବେ କଟକ ସହରରେ ୧୪ଟି ମଣ୍ଡପରେ ବୁଢ଼ା ଗଣେଶ ପୂଜା ପାଉଥିବା ବେଳେ ମୋଟ ପୂଜା ସଂଖ୍ୟା ୩ହଜାର ଟପିଲାଣି। ନୂଆପଡ଼ା ପ୍ରେସ୍‌ କଲୋନି ଅଞ୍ଚଳରେ ବଡ଼ ବଡ଼ ତୋରଣ ଦେଖିବାକୁ ମିଳୁଥିବା ବେଳେ ସହର ସାରା ଆକର୍ଷଣୀୟ ଆଲୋକସଜା ‌ଦେଖାଯାଇଛି।
ଆସନ୍ତା କାଲିଠୁ ସହରର ବିଭିନ୍ନ ପୂଜା ମଣ୍ଡପ ସମ୍ମୁଖରେ ମେଲୋଡି ଆରମ୍ଭ ହେଉଛି। ପୂଜା ସଂଖ୍ୟାକୁ ଦେଖି ପ୍ରଶାସନ ପକ୍ଷରୁ ତିନି ପର୍ଯ୍ୟାୟରେ ଭସାଣି କରାଯିବାକୁ ବିଜ୍ଞପ୍ତି ପ୍ରକାଶ ପାଇଛି। ପ୍ରଥମ ପର୍ଯ୍ୟାୟ ବିସର୍ଜନ ୪ ତାରିଖ ରବିବାର ରହିଥିବା ବେଳେ ଦ୍ଵିତୀୟ ପର୍ଯ୍ୟାୟ ଭସାଣି ସେପ୍ଟେମ୍ବର ୧୧ ତାରିଖ ରବିବାର ରଖାଯାଇଛି। ଦ୍ଵିତୀୟ ପର୍ଯ୍ୟାୟରେ ଅନନ୍ତବ୍ରତ ପାଳନ କରୁଥିବା କ୍ଲବ୍ ଭସାଣି କରି‌ବେ। ତୃତୀୟ ପର୍ଯ୍ୟାୟରେ ଘାଣ୍ଟଖିଆ ଗଣେଶ ବିସର୍ଜନ କରାଯିବାକୁ ଯୋଜନା ହୋଇଛି। ସେପ୍ଟେମ୍ବର ୧୮ତାରିଖରେ ଘାଣ୍ଟ ପଡ଼ୁଥିବାରୁ ବୁଢ଼ାଗଣେଶ ବା ଘାଣ୍ଟଖିଆ ଗଣେଶଙ୍କୁ ୧୮ତାରିଖ ବଦଳରେ ସେପ୍ଟେମ୍ବର ୨୫ତାରିଖରେ ବିସର୍ଜନ କରାଯିବା ଯୋଜନା ଚାଲିଛି। ଗଣେଶ ପୂଜା ମାହୋଲକୁ ଅଧିକ ଆକର୍ଷଣୀୟ କରିବାକୁ ବିଭିନ୍ନ ସ୍ଥାନରେ ଗଣେଶ ମହୋତ୍ସବର ଆୟୋଜନ କରାଯାଉଛି। କଟକ ଭୁବନେଶ୍ୱର ଦୌତ୍ୟନଗରୀ ଗଣେଶ ପୂଜା କମିଟି ପକ୍ଷରୁ ସ୍ୱତନ୍ତ୍ର ୧୦ ଦିନିଆ ମହୋତ୍ସବ ବାଲିଯାତ୍ରା ପଡ଼ିଆରେ ଆୟୋଜନ କରାଯାଉଛି।

Share Now:

Kalinga News Beuro

Next Post

କ୍ୟାବିନେଟ୍ ମଞ୍ଜୁରି : ରାଜ୍ୟମାନଙ୍କୁ ରିହାତି ଦରରେ ଡାଲି ଯୋଗାଇ ଦେବେ କେନ୍ଦ୍ର ସରକାର

Wed Aug 31 , 2022
ନୂଆଦିଲ୍ଲୀ: ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶକୁ ରିହାତି ଦରରେ ଚଣା (ଡାଲି) ଯୋଗାଇ ଦେବେ କେନ୍ଦ୍ର ସରକାର । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ କମିଟି ବୈଠକରେ ଏହି ପ୍ରସ୍ତାବକୁ ମଞ୍ଜୁରି ମିଳିଛି । ମୂଲ୍ୟ ସମର୍ଥନ ଯୋଜନା (ପିଏସଏସ) ଏବଂ ମୂଲ୍ୟ ସ୍ଥିରତା ପାଣ୍ଠି (ପିଏସଏଫ) ଅଧୀନରେ କିଣାଯାଇଥିବା ଡାଲି ଷ୍ଟକରୁ କେନ୍ଦ୍ର ସରକାର ଏହି ଚଣାଡାଲି ରାଜ୍ୟମାନଙ୍କୁ ଯୋଗାଇ […]
ରିହାତି ଦରରେ ଡାଲି

ଆହୁରି ପଢ଼ନ୍ତୁ