ପୁରୁଣା ଭୁବନେଶ୍ୱର: ଆସନ୍ତାକାଲି ବିଶ୍ୱ ପର୍ଯ୍ୟଟନ ଦିବସ। ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଏଥିପାଇଁ ବିଭିନ୍ନ ସଭା ଓ ଜନ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହେଉଛି। କିନ୍ତୁ ଐତିହ୍ୟସ୍ଥଳଗୁଡ଼ିକର ସଂରକ୍ଷଣ ଦିଗରେ ପ୍ରକୃତ ଉଦ୍ୟମ ହେଉଥିବା ପରିଲକ୍ଷିତ ହେଉନାହିଁ। ବର୍ଷ ବର୍ଷ ଧରି ଏକାମ୍ର କ୍ଷେତ୍ରରେ ଅବହେଳିତ ଅବସ୍ଥାରେ ଥିବା ବହୁ ଐତିହ୍ୟ ପୁଷ୍କରିଣୀକୁ ଦେଖିଲେ, ଏହା ଜଳଜଳ ହୋଇ ଦେଖାଯାଏ। ପ୍ରାୟ ସବୁ ପୁଷ୍କରିଣୀ ନିକଟସ୍ଥ ମନ୍ଦିରର ପୂଜାର୍ଚ୍ଚନା ଓ ବିଧିବିଧାନ ସହ ସମ୍ପୃକ୍ତ ଥିଲେ ବି ଗତ କିଛି ବର୍ଷ ହେଲା ସେସବୁର ଅପରିଷ୍କାର ଜଳ ମନ୍ଦିରରେ ବ୍ୟବହାର ହେଉନାହିଁ। ଦେବୀ ପାଦହରା, ରାମେଶ୍ୱର ପୁଷ୍କରିଣୀ, କୋଟି ତୀର୍ଥେଶ୍ୱର ପୁଷ୍କରିଣୀ, ସୂକ୍ଷ୍ମେଶ୍ୱର ପୁଷ୍କରିଣୀ, ଗୋସାଗରେଶ୍ୱର ପୁଷ୍କରିଣୀ ଓ ଗୋଡ଼ିପୋଖରୀ ଭଳି ବହୁ ଐତିହ୍ୟ ପୁଷ୍କରିଣୀ ପରିତ୍ୟକ୍ତ ଅବସ୍ଥାକୁ ଆସି ବଡ଼ ଶୋଚନୀୟ ହୋଇପଡ଼ିଛି। ଏମିତିକି କୋଟି କୋଟି ଟଙ୍କା ବ୍ୟୟରେ ବିନ୍ଦୁସାଗର ଓ କେଦାରଗୌରୀ ପୁଷ୍କରିଣୀ ପୁନରୁଦ୍ଧାର ହୋଇଥିଲେ ବି ପର୍ଯ୍ୟଟକମାନେ ବୁଡ଼ ପକାଇବାକୁ ବିମୁଖ ହେଉଛନ୍ତି।
ପୁରୁଣା ଭୁବନେଶ୍ୱରର କୀର୍ତ୍ତିରାଜି ସହ ଐତିହ୍ୟ ପୁଷ୍କରିଣୀର ଯୋଡ଼ି ହୋଇରହିଛି। ଏଥିସହିତ ସେମାନଙ୍କ ସହ ରହିଛି ସୁନ୍ଦର କିମ୍ବଦନ୍ତୀ। ମାତ୍ର ସେସବୁ ଏବେ ଆଉ ନାହିଁ। କର୍ପୁର ଉଡ଼ିଯାଇଛି, କପଡ଼ା ପଡ଼ିରହିଛି ନ୍ୟାୟରେ ଏହି ଐତିହ୍ୟ ପୁଷ୍କରିଣୀଗୁଡ଼ିକ ଏବେ ପରିତ୍ୟକ୍ତ ବା ଅବହେଳିତ ଅବସ୍ଥାରେ। କେଉଁଠି ଜବରଦଖଲ ହେଉଛି ତ କେଉଁଠି କାହାର ପାଦ ପଡ଼ୁନାହିଁ। ସେଥିମଧ୍ୟରୁ ଦେବୀ ପାଦହରା ପୁଷ୍କରିଣୀ ଅନ୍ୟତମ। ଶ୍ରୀଲିଙ୍ଗରାଜ ମନ୍ଦିରର ପୂର୍ବ-ଉତ୍ତର କୋଣରେ ରହିଛି ଏହି ପୁଷ୍କରିଣୀ। ଏହାର ଚାରିପଟେ ରହିଛି ୧୦୮ଶିବଲିଙ୍ଗ ମନ୍ଦିର। ଏଥିମଧ୍ୟରୁ ପ୍ରାୟ ୪୦ଟି ମନ୍ଦିରର ଶିବଲିଙ୍ଗ ନଥିବା ବେଳେ ୨୨ଟି ଭଗ୍ନ ଅବସ୍ଥାରେ ପଡ଼ିରହିଛି। ପୁଷ୍କରିଣୀର ପୁନରୁଦ୍ଧାର ପାଇଁ ଏଏସ୍ଆଇ ଏବେ କାମ ଆରମ୍ଭ କରିଥିଲେ ହେଁ ଏହାର ଚାରିପଟେ ଥିବା ଭଗ୍ନ ମନ୍ଦିରର ଉନ୍ନତୀକରଣ ହେବ ନାହିଁ ବୋଲି ଏଏସ୍ଆଇ କହିଛି। ସେହିପରି ପ୍ରସିଦ୍ଧ ପୁଷ୍କରିଣୀ ବିନ୍ଦୁସାଗର ଏବେ ପୁନରୁଦ୍ଧାର ହୋଇଥିଲେ ବି ସେଥିରେ ବୁଡ଼ ପକାଇବାକୁ ପର୍ଯ୍ୟଟକମାନେ ମନ କରୁନାହାନ୍ତି। ଦଳ ଭର୍ତ୍ତି ଜଳରାଶିକୁ ଦେଖି ପର୍ଯ୍ୟଟକମାନେ ନାକ ଟେକୁଛନ୍ତି।
ଏବେ ପାଣି ନିଷ୍କାସନ ପଥ ବନ୍ଦ ହୋଇଯାଇଥିବା ଯୋଗୁ ପାଣି ବାହାରି ପାରୁନାହିଁ। ତେଣୁ ପାଣି ପୁଣି ଅପରିଷ୍କାର ହେବାକୁ ବସିଲାଣି। ୨୦୨୧ ଜାନୁଆରି ୯ରେ ଇଣ୍ଡିଆନ୍ ଅଏଲ୍ର ସିଏସ୍ଆର ପାଣ୍ଠିରୁ ଚାରିକଡ଼ରେ ୪ଟି ପାଣି ମଟର ଲଗାଯାଇଥିଲା। ଓଡ଼ିଶା ସେତୁ ନିର୍ମାଣ ନିଗମ ଲିମିଟେଡ୍ ଏବଂ ଓବିସିସି ସହଯୋଗରେ ଏହି କାମ କରାଯାଇଥିଲା। ସେହିପରି ଦୟାନଦୀରେ ପାଣି ପମ୍ପ ଲଗାଯାଇ ସାମନ୍ତରାପୁର ୱାଟ୍କୋ କାର୍ଯ୍ୟାଳୟକୁ ପ୍ରାୟ ୧୭୮୦ମିଟର ପାଇପ୍ ବିଛା ହୋଇଛି। ସେଠାରେ ପାଣି ବିଶୋଧନ କରାଯାଇ ସାମନ୍ତରାପୁର, ଇଲେକ୍ଟ୍ରି ଅଫିସ୍, ନୂଆ ଲିଙ୍ଗରାଜ ମାର୍କେଟ ଦେଇ ତୀର୍ଥେଶ୍ୱର ରାସ୍ତାରେ ବିନ୍ଦୁସାଗର ଚାରିପଟକୁ ପାଇପ୍ ବିଛା ହୋଇଛି। ପ୍ରତିଦିନ ୨୦ଲକ୍ଷ ଲିଟର ପାଣି ବିନ୍ଦୁସାଗରକୁ ଆସି ପଡ଼ୁଛି। କିନ୍ତୁ କିଛି ଦିନ ହେଲା ପାଣି ନିଷ୍କାସନ ହେଉନାହିଁ। ତେଣୁ ଏବେ ପୁଣି ବିନ୍ଦୁସାଗରରେ ଚିଙ୍ଗୁଡ଼ିଆ ଦଳ ଭର୍ତ୍ତି ହୋଇଗଲାଣି। ସେହିପରି ରାମେଶ୍ୱର ପୁଷ୍କରିଣୀର ସମାନ ଅବସ୍ଥା। ଏହି ଐତିହ୍ୟ ପୁଷ୍କରିଣୀ ଅପରିଷ୍କାର ହୋଇ ପଡ଼ିଛି। କେଦାରଗୌରୀ ମନ୍ଦିର ପରିସରରେ ଥିବା ୪ଟି କୁଣ୍ଡର ପୁନରୁଦ୍ଧାର ପାଇଁ ପର୍ଯ୍ୟଟନ ବିଭାଗ ପକ୍ଷରୁ ୧କୋଟି ୩୦ଲକ୍ଷ ଟଙ୍କା ବ୍ୟୟ କରାଯାଇ କାମସରିଛି। କିନ୍ତୁ ଏହାର ମୂଳ ସମସ୍ୟା କୁଣ୍ଡରେ ନେଳି ପାଣି ଭାସିବା ବନ୍ଦ ହୋଇନାହିଁ। ରାମେଶ୍ୱର ପୁଷ୍କରିଣୀ, କୋଟି ତୀର୍ଥେଶ୍ୱର ପୁଷ୍କରିଣୀ, ସୂକ୍ଷ୍ମେଶ୍ୱର ପୁଷ୍କରିଣୀ, ଗୋସାଗରେଶ୍ୱର ପୁଷ୍କରିଣୀ, ଗୋଡ଼ିପୋଖରୀ ଆଦିର ପୁନରୁଦ୍ଧାର ହେଉନଥିବାରୁ ସେସବୁ ମଶା ବଂଶ ବୃଦ୍ଧି କରୁଛନ୍ତି। କେତେକ ପୋଖରୀରୁ ଜଳ ନିଷ୍କାସନ ହୋଇନପାରିବାରୁ ବର୍ଷାଦିନେ ଅନେକ ମନ୍ଦିରର ଦିଅଁ ଜଳବନ୍ଦୀ ଅବସ୍ଥାରେ ରୁହନ୍ତି। ସ୍ଥାନୀୟ ବାସିନ୍ଦା ପ୍ରଶାନ୍ତ କୁମାର ଚମ୍ପତି ଓ ନୀଳମଣି ମିଶ୍ରଙ୍କ କହିବା କଥା ଭୀମେଶ୍ୱର, ସୂକ୍ଷ୍ମେଶ୍ୱର, ରାମେଶ୍ୱର ପୁଷ୍କରିଣୀ, କେଦାରଗୌରୀ, ଗୋସାଗରେଶ୍ୱର ପୁଷ୍କରିଣୀ ସଫା ହେଉନାହିଁ। ମୁଖ୍ୟ କଥା ହେଉଛି ପାଣି ନିଷ୍କାସନ ବ୍ୟବସ୍ଥାରେ ସୁଧାର ଆସିପାରୁନାହିଁ। ଏବେ ବି ବିନ୍ଦୁସାଗର ପାଣିରେ ସ୍ନାନ କରି ହେଉନାହିଁ। ଏହାଦ୍ବାରା ଏକାମ୍ର କ୍ଷେତ୍ରର ଗରିମା ନଷ୍ଟ ହେଉଛି। ପାଣି ଅପରିଷ୍କାର ଯୋଗୁଁ ଶ୍ରଦ୍ଧାଳୁମାନେ ତୀର୍ଥ ପାଣିକୁ ମଧ୍ୟ ସିଞ୍ଚନ କରିବାକୁ ନାକ ଟେକୁଛନ୍ତି। ନନ୍ଦକୁଣ୍ଡ ପୁଷ୍କରିଣୀ, ଦେବୀ ପାଦହରା, କେଦାରଗୌରୀ, ଗୋସାଗରେଶ୍ୱର, ରାମେଶ୍ୱର ଆଦି ୧୫ରୁ ଊର୍ଧ୍ୱ ପୁଷ୍କରିଣୀ ପରିତ୍ୟକ୍ତ ହେବାକୁ ବସିଲାଣି। ଯେଉଁ ମନ୍ଦିରକୁ ପର୍ଯ୍ୟଟକ ଅଧିକ ଆସୁଛନ୍ତି ଏଏସ୍ଆଇ କେବଳ ସେହି ମନ୍ଦିର ବ୍ୟତୀତ ଅନ୍ୟ କିଛି କରୁନାହିଁ। ଏକାମ୍ର କ୍ଷେତ୍ରରେ ବହୁ ତୀର୍ଥ ପୁଷ୍କରିଣୀ ରହିଛି। ତୀର୍ଥଯାତ୍ରୀମାନେ ଏଠାରେ ସ୍ନାନ କରିବାକୁ ପୁଣ୍ୟ ବୋଲି ବିଚାର କରନ୍ତି। ବିଭିନ୍ନ ପର୍ବପର୍ବାଣୀରେ ସ୍ଥାନୀୟ ଲୋକ ମଧ୍ୟ ସ୍ନାନ କରନ୍ତି। ହେଲେ ଏହି ପାଣି ଏବେ ରୋଗବାହାକ ହୋଇଛି। ଏସବୁ ଐତିହ୍ୟ ପୁଷ୍କରିଣୀଗୁଡ଼ିକର ପ୍ରାଚୀନ ଗାଥା ଫେରାଇ ଆଣିବାକୁ ପଦକ୍ଷେପ ନେବାକୁ ଦାବି ହେଉଛି।
ଆଜି ବିଶ୍ୱ ପର୍ଯ୍ୟଟନ ଦିବସ : ପୁଣ୍ୟ ପୁଷ୍କରିଣୀ ପ୍ରତି ବିମୁଖ ପର୍ଯ୍ୟଟକ, ତୀର୍ଥ ପୋଖରୀରେ ବୁଡ଼ ପଡ଼ୁନି
Share Now: