ନୂଆଦିଲ୍ଲୀ: ଦିଲ୍ଲୀରୁ ଫେରୁଥିବା ବେଳେ ଉତ୍ତରାଖଣ୍ଡର ରୂଡ଼କୀ ଅନ୍ତର୍ଗତ ନର୍ସାନ୍ ସୀମାନ୍ତ ନିକଟ ହମ୍ମାଦପୁର ଝାଲରେ ଭାରତୀୟ କ୍ରିକେଟ୍ ଖେଳାଳି ଋଷଭ ପନ୍ତ ଦୁର୍ଘଟଣାର ସମୁଖୀନ ହୋଇଥିଲେ। ସଡ଼କ ଡିଭାଇଡର୍ରେ ଧକ୍କା ଖାଇବା ପରେ ତାଙ୍କ କାର୍ରେ ନିଆଁ ଲାଗି ଜଳି ଯାଇଥିଲା। ସେ ପ୍ରାଣବିକଳରେ କାରର ସାମ୍ନା କାଚ ଭାଙ୍ଗି ବାହାରକୁ ବାହାରି ଘଟଣାସ୍ଥଳରେ ଉପସ୍ଥିତ ଥିବା ଲୋକଙ୍କୁ ନିଜ ପରିଚୟ ଦେଇ ସାହାଯ୍ୟ ପାଇଁ ଅନୁରୋଧ କରିଥିଲେ। ଏହି ଦୁର୍ଘଟଣାରେ ତାଙ୍କ ମୁଣ୍ଡ, ଆଣ୍ଠୁ ଓ ଆଣ୍ଠୁ ତଳକୁ ଆଘାତ ଲାଗିଥିଲା। ଚିକିତ୍ସା ପରେ ଋଷଭ ଏବେ ବିପଦମୁକ୍ତ ଥିବା ଡାକ୍ତର କହିଛନ୍ତି।
ତେବେ ଭାରତୀୟ କ୍ରିକେଟ୍ ଖେଳାଳି ଋଷଭ ପନ୍ତ ବେଙ୍ଗାଲୁରୁଗସ୍ତ ପରେ ସିଧା ଦୁବାଇ ଚାଲିଯାଇଥିଲେ। ସେ ଗତକାଲି ହିଁ ଦୁବାଇରୁ ଦିଲ୍ଲୀ ଫେରିଥିଲେ। ଆଉ ନିଜ ମା’ଙ୍କୁ ସରପ୍ରାଇଜ ଦେବା ପାଇଁ ସେ ଦିଲ୍ଲୀରୁ ଉତ୍ତରାଖଣ୍ଡର ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲେ। କିନ୍ତୁ କିଏ ଜାଣିଥିଲା ମା’ଙ୍କୁ ଦେଖା କରିବାକୁ ଖୁସିରେ ଆସୁଥିବା ବେଳେ ବାଟରେ ତାଙ୍କ ସହିତ ଏମିତି ଏକ ଭୟାବହ ଦୁର୍ଘଟଣା ଘଟିବ ବୋଲି। ଏହି ଦୁର୍ଘଟଣା ଘଟିବା ପରେ ଅନେକ ଫଟୋ ସୋସିଆଲ ମିଡିଆରେ ପୋଷ୍ଟ ହେଉଛି। ଏହି କ୍ରମରେ ଋଷଭଙ୍କ କାର କିଭିଳି ଦୁର୍ଘଟଣାଗ୍ରସ୍ତ ହେଲା ତାହାର ସିସିଟିଭ ଫୁଟେଜ ସାମ୍ନାକୁ ଆସିଛି। ଯେଉଁଥିରୁ ଋଷଭଙ୍କ କାର ରାସ୍ତା ମଝିରେ ଥିବା ବାଡ଼ରେ କେତେ ଜୋରରେ ଧକ୍କା ଖାଇ ଜଳି ଯାଇଥିଲା ତାହା ସ୍ପଷ୍ଟ ଭାବେ ବାରି ହୋଇପଡ଼ୁଛି।
ଭୟାବହ କାର ଦୁର୍ଘଟଣାର ଶିକାର ହେଲେ କ୍ରିକେଟର ଋଷଭ ପନ୍ତ

Share Now: