କ୍ରିକେଟର ଭଗବାନଙ୍କ ୪୫ତମ ଜନ୍ମଦିନ:ଶୁଭେଚ୍ଛା ସଚିନ

ମୁମ୍ବାଇ,: ମାଷ୍ଟର୍‌ ବ୍ଲାଷ୍ଟର୍‌ ସଚିନ ତେନ୍ଦୁଲକର ମଙ୍ଗଳବାର ନିଜ ୪୫ତମ ଜନ୍ମଦିବସ ପାଳନ କରିବେ। କ୍ରିକେଟ୍‌ର ଭଗବାନଙ୍କ ଜନ୍ମ ଦିନକୁ ତାଙ୍କ ପ୍ରଶଂସକମାନେ ବେଶ୍‌ ଜାକଜମକରେ ପାଳନ କରିବେ। ସଚିନଙ୍କ ପିଲାଦିନର ସାଥୀ ବିନୋଦ କାମ୍ବଲି ମଧ୍ୟ ଏଥିନେଇ ବେଶ୍‌ ଉତ୍ସାହିତ। ସେ ରବିବାରଠାରୁ ହିଁ ସଚିନଙ୍କୁ ଅଭିନନ୍ଦନ ଜଣାଇ ସାରିଛନ୍ତି। ସେହିଭଳି ସାରା ବିଶ୍ୱରେ ଥିବା ସଚିନଙ୍କ କୋଟି କୋଟି ପ୍ରଶଂସକ ତାଙ୍କ ଜନ୍ମଦିନକୁ ସ୍ୱତନ୍ତ୍ର ଓ ସ୍ମରଣୀୟ କରିବାକୁ ଏବେଠାରୁ ଲାଗି ପଡ଼ିଛନ୍ତି। ସୋମବାର ରାତି ଘଣ୍ଟା କଣ୍ଟାରେ ୧୨ଟା ବାଜିବା କ୍ଷଣି ହିଁ ସଚିନଙ୍କ ପାଖକୁ ଶୁଭେଚ୍ଛାର ସୁଅ ଛୁଟିବ। ସୂଚନାଯୋଗ୍ୟ ଯେ ଭାରତୀୟ କ୍ରିକେଟ୍‌ର ମହାନତମ ତାରକା ସଚିନ ୧୯୭୩ ମସିହା ଏପ୍ରିଲ ୨୪ ତାରିଖରେ ମୁମ୍ବାଇରେ ଜନ୍ମ ଗ୍ରହଣ କରିଥିଲେ। ୧୯୮୯ ମସିହାରେ ମାତ୍ର ୧୬ ବର୍ଷ ବୟସରେ ପାକିସ୍ତାନ ବିପକ୍ଷରେ ନିଜ ଅନ୍ତର୍ଜାତୀୟ ଖେଳ ଜୀବନ ଆରମ୍ଭ କରିଥିବା ସଚିନ ପରବର୍ତୀ ୨୪ ବର୍ଷ ପର୍ଯ୍ୟନ୍ତ କେବଳ ଭାରତ ନୁହେଁ ସମଗ୍ର ବିଶ୍ୱର କ୍ରିକେଟ୍‌ ପ୍ରେମୀଙ୍କୁ ଖୁସି ବାଣ୍ଟିଥିଲେ। କୀର୍ତ୍ତିମାନ ପରେ କୀର୍ତ୍ତିମାନ କରି କ୍ରିକେଟ୍‌ର ଭଗବାନ ଉପାଧୀ ପାଇଥିଲେ। ୨୦୧୩ ନଭେମ୍ବର ୧୬ରେ ନିଜ ଜାଜ୍ଜୁଲ୍ୟମାନ ଖେଳ ଜୀବନରୁ ଅବସର ନେବା ପରେ ମଧ୍ୟ ସଚିନ ବିଶ୍ୱର ସବୁଠାରୁ ଲୋକପ୍ରିୟ କ୍ରିକେଟ୍‌ ତାରକା ଭାବେ ରହି ଆସିଛନ୍ତି।

ସାରଜା ରନ୍‌ଝଡ଼କୁ ୨୦ ବର୍ଷ
ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ତାଙ୍କ ଅଢ଼େଇ ଦଶନ୍ଧିର ଅନ୍ତର୍ଜାତୀୟ କ୍ରିକେଟ୍‌ ଜୀବନ ଭିତରେ ଅନେକ ବିସ୍ଫୋରକ ଓ ଧମାକାଦାର ପାଳି ଖେଳିଛନ୍ତି। ହେଲେ ଆଜକୁ ୨୦ ବର୍ଷ ତଳେ ସାରଜାରେ ସେ ଖେଳିଥିବା ୧୪୩ (୧୩୦ ବଲ୍‌ ) ରନ୍‌ର ପାଳି ଏବେବି କ୍ରିକେଟ୍‌ ପ୍ରେମୀଙ୍କ ପ୍ରଥମ ପସନ୍ଦ ହୋଇ ରହି ଆସିଛି। କୋକାକୋଲା ତ୍ରି ରାଷ୍ଟ୍ରୀୟ ଶୃଙ୍ଖଳାର ଅଷ୍ଟ୍ରେଲିଆ ବିପକ୍ଷ ମହତ୍ୱପୂର୍ଣ୍ଣ ମ୍ୟାଚ୍‌ରେ ସଚିନ କରିଥିବା ଧୁଲେଇ ମନେ ପଡ଼ିଗଲେ ସ୍ପିନ କିମ୍ବଦନ୍ତୀ ସେନ୍‌ ଓ୍ଵର୍ନ ଏବେବି ଥରି ଉଠନ୍ତି। ଶୃଙ୍ଖଳାର ଏକ ମହତ୍ୱପୂର୍ଣ୍ଣ ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ୨୮୫ ରନ୍‌ର ବିଜୟ ଲକ୍ଷ୍ୟ ଦେବା ପରେ ଫାଇନାଲକୁ ଯିବା ଲାଗି ଭାରତକୁ ଅନ୍ୟୁନ ୨୫୪ ରନ୍‌ କରିବାର ଦରକାର ଥିଲା। ଏହା ହେଲେ ଭାରତର ରନ୍‌ହାର ଶୃଙ୍ଖଳାର ତୃତୀୟ ଦଳ ନ୍ୟୁଜିଲାଣ୍ଡଠାରୁ ଭଲ ହୋଇ ଯାଇ ଥାଆନ୍ତା। ସେତେବେଳର କଠୋର କ୍ରିକେଟ୍‌ ନିୟମ ପାଇଁ ଯାହା ଅତ୍ୟନ୍ତ କଷ୍ଟକର ମନେ ହେଉଥିଲା। ସମ୍ମୁଖରେ ଅଷ୍ଟ୍ରେଲିଆର ଦକ୍ଷ ବୋଲିଂ ବାହିନୀ ବି ଥିଲା। ଓ୍ଵର୍ନ ସେତେବେଳେ ନିଜ ସ୍ପିନ୍‌ରେ ବିଶ୍ୱ କ୍ରିକେଟ୍‌ରେ କୋକୁଆ ଭୟ ସୃଷ୍ଟି କରିଥିଲେ। ଦୁର୍ଭାଗ୍ୟବଶତଃ ଭାରତ ବ୍ୟାଟିଂ ଆରମ୍ଭ କରିବାର ଠିକ୍‌ ପୂର୍ବରୁ ସାରଜାରେ ଅଚାନକ ଘୂଣ୍ଣିଝଡ଼ ସୃଷ୍ଟି ହୋଇଥିଲା। ଯାହା ସଚିନଙ୍କ କାମକୁ ଆହୁରି କଷ୍ଟକର କରି ଦେଇଥିଲା। ସଚିନ କିନ୍ତୁ ଡରି ନଥିଲେ। ଧମାକାଦାର ପାଳି ଖେଳି ଅଷ୍ଟ୍ରେଲିଆକୁ ଚକିତ କରି ଦେଇଥିଲେ। ଭାରତ ଅବଶ୍ୟ ବିଜୟ ଲକ୍ଷ୍ୟରୁ ୨୫ ରନ୍‌ ପଛରେ ରହି ଯାଇଥିଲା। ହେଲେ ଦୁଇ ଦିନ ପରେ ଥିବା ଫାଇନାଲରେ ସଚିନ ଆଉ ଏକ ଶତକ ଅର୍ଜନ କରି ଭାରତକୁ କୋକା କୋଲା କପ୍‌ ଉପହାର ଦେଇଥିଲେ। ସଂଯୋଗ ବଶତଃ ସେଦିନ ବି ସଚିନଙ୍କ ୨୫ତମ ଜନ୍ମଦିବସ ଥିଲା।

ସଚିନଙ୍କ କୀର୍ତ୍ତିମାନ ଭାଙ୍ଗିଲେ କୋହଲି ପାଇବେ ନିଆରା ଉପହାର

ମାଷ୍ଟର୍‌ ବ୍ଲାଷ୍ଟର୍‌ ସଚିନ ତେନ୍ଦୁଲକର ଦିନିକିଆ କ୍ରିକେଟ୍‌ରେ ସର୍ବାଧିକ ୪୯ ଶତକ ଅର୍ଜନ କରିଛନ୍ତି। ତାଙ୍କର ଏହି ଅସାଧାରଣ ସଫଳତାକୁ ଟପିବାର ଏକମାତ୍ର ଦାବିଦାର ହେଉଛନ୍ତି ଭାରତୀୟ ଅଧିନାୟକ ବିରାଟ କୋହଲି। ବିରାଟ ସଂପ୍ରତି ୩୫ ଶତକ ସହ ଦିନିକିଆ କ୍ରିକେଟ୍‌ର ସର୍ବାଧିକ ଶତକ ହାସଲକାରୀ ତାଲିକାରେ ସଚିନଙ୍କ ପଛକୁ ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ଏଣୁ ସେ ହିଁ ସଚିନଙ୍କ କୀର୍ତ୍ତିମାନକୁ ଭାଙ୍ଗିବେ ବୋଲି କ୍ରିକେଟ୍‌ ପଣ୍ଡିତମାନେ ଭବିଷ୍ୟବାଣୀ କରିଛନ୍ତି। ସଚିନ ବି ଚାହାନ୍ତି ଜଣେ ଭାରତୀୟ ତାଙ୍କ କୀର୍ତ୍ତିମାନ ଭାଙ୍ଗୁ। ନିଜ ମନ କଥାକୁ ସେ ଅନେକବାର ଖୋଲି କହି ସାରିଛନ୍ତି। କୋହଲି ୫୦ ଶତକ ଛୁଇଁଲେ ସଚିନ ତାଙ୍କୁ ନିଆରା ଉପହାର ଦେବେ ବୋଲି ସୋମବାର କହିଛନ୍ତି। ବୋରିଆ ମଜୁମଦାରଙ୍କ ପୁସ୍ତକ ‘ଇଲେଭେନ୍‌ ଗଡ୍ସ ଆଣ୍ଡ ଏ ବିଲିଅନ୍‌ ଇଣ୍ଡିଆନ୍ସ’ର ଉନ୍ମୋଚନ ଉତ୍ସବରେ ଯୋଗ ଦେଇ ସଚିନ କହିଥିଲେ କୋହଲି ମୋ କୀର୍ତ୍ତିମାନ ଭାଙ୍ଗିଲେ ମୁଁ ତାଙ୍କ ସହ ସାମ୍ପେନ୍‌ ପିଇବି। ମୁଁ ତାଙ୍କୁ ସାମ୍ପେନ୍‌ ପଠାଇବିନି। ନିଜେ ଯାଇ ତାଙ୍କ ସହ ମିଶି ପିଇବି।

Share Now:

Kalinga News Beuro

Leave a Reply

Next Post

ମହାସମୁଦ୍ରରେ ଚୀନର ମୁକାବିଲା ଲାଗି ସମରାଭ୍ୟାସ କରୁଛି ଭାରତ, ଚୀନ ଗଣମାଧ୍ୟମର ଚିନ୍ତା

Tue Apr 24 , 2018
ନୂଆଦିଲ୍ଲୀ : ଭାରତ ଏବେ ଏକ ବୃହତ ସମରାଭ୍ୟାସ ଚଳାଇଛି । ଗଗନଶକ୍ତି ନାମକ ଏହି ସମରାଭ୍ୟାସ ଏପର୍ଯ୍ୟନ୍ତ ଭାରତ କରିଥିବା ସମରାଭ୍ୟାସ ମଧ୍ୟରେ ସବୁଠାରୁ ବିଶାଳ ବୋଲି କୁହାଯାଉଛି । ଏହା ଦ୍ୱାରା ଭାରତ ନିଜର ଶକ୍ତି ପ୍ରଦର୍ଶନ କରୁଥିବାବେଳେ ପରୋକ୍ଷରେ ଚୀନକୁ ସଂକେତ ଦେଉଛି । ଏହି ସମରାଭ୍ୟାସ ଉତ୍ତରରେ ଚୀନକୁ ଲାଗିଥିବା ସୀମାରେ ହେଉଛି । ଗତ ୧୦ ତାରିଖରୁ ଆରମ୍ଭ ହୋଇଥିବା ଏହି ବିଶାଳ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial