ନୂଆଦିଲ୍ଲୀ : ବେଜିଂ ଶୀତକାଳୀନ ଅଲିମ୍ପିକ୍ସକୁ ଚୀନ ରାଜନୈତିକ ଉଦ୍ଦେଶ୍ୟରେ ବ୍ୟବହାର କରୁଥିବାରୁ ପାଶ୍ଚାତ୍ୟ ଦେଶମାନେ ତାହାର କୂଟନୈତିକ ବହିଷ୍କାର କରିବାକୁ ନିଷ୍ପତ୍ତି ନେଇଛନ୍ତି। କିନ୍ତୁ ଭାରତ ଏ କ୍ଷେତ୍ରରେ ଚୀନକୁ ସମର୍ଥନ ଦେଇ ଆସିଥିଲା। କିନ୍ତୁ ଗଲଓ୍ବାନ ସଂଘର୍ଷରେ ଭାଗ ନେଇଥିବା ଜଣେ ସୈନିକଙ୍କୁ ଚୀନ ଅଲମ୍ପିକ ମସାଲ ଧରାଇବାରୁ ଭାରତ ଅସନ୍ତୋଷ ପ୍ରକାଶ କରିବା ସହ କୂଟନୈତିକ ବହିଷ୍କାର ପାଇଁ ନିଷ୍ପତ୍ତି ନେଇଛି। ଭାରତୀୟ ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ଅରିନ୍ଦମ ବାଗଚି କହିଛନ୍ତି ଯେ, ଅଲିମ୍ପିକ୍ସ ପରି ପ୍ରତିଯୋଗିତାକୁ ଚୀନ ରାଜନୈତିକ ଉଦ୍ଦେଶ୍ୟରେ ବ୍ୟବହାର କରିବା ଦୁର୍ଭାଗ୍ୟଜନକ। ଅଲିମ୍ପିକ୍ସର ଉଦଘାଟନୀ ଓ ଉଦଯାପନୀ ଉତ୍ସବରେ କୌଣସି ଭାରତୀୟ କୂଟନୀତିଜ୍ଞ ଯୋଗ ଦେବେ ନାହିଁ। ସେହିପରି ପ୍ରସାରଭାରତୀ ପକ୍ଷରୁ ମଧ୍ୟ ଅଲିମ୍ପିକ୍ସର ଉଦଘାଟନୀ ଓ ଉଦଯାପନୀ ଉତ୍ସବର ସିଧା ପ୍ରସାରଣ କରାଯିବ ନାହିଁ ବୋଲି ପ୍ରସାରଭାରତୀର ସିଇଓ ଶଶୀ ଶେଖର କହିଛନ୍ତି। ଚୀନ ଗଣମାଧ୍ୟମର ରିପୋର୍ଟ ଅନୁସାରେ ଗତ ବୁଧବାର ଗଲଓ୍ବାନ ସଂଘର୍ଷରେ ଭାଗ ନେଇ ଆହତ ହୋଇଥିବା ପିଏଲଏ ସୈନ୍ୟ କ୍ବି ଫାବାଓଙ୍କୁ ବେଜିଂ ଶୀତକାଳୀନ ଅଲିମ୍ପିକ୍ସର ମସାଲ ଧରିବାର ସମ୍ମାନ ଦିଆଯାଇଥିଲା। ସେ ହେଉଛନ୍ତି ଚୀନ ସେନା ବା ପିଏଲଏର ସିଜିଆନ ମିଲିଟାରୀ କମାଣ୍ଡର ଜଣେ ରେଜିମେଣ୍ଟ କମାଣ୍ଡର। ତାଙ୍କୁ ଅଲିମ୍ପିକ୍ସ ମସାଲ ଯାତ୍ରାରେ ସାମିଲ କରିବାକୁ ଭାରତ ବିରୋଧ କରୁଛି।
ବେଜିଂ ଶୀତକାଳୀନ ଅଲିମ୍ପିକ୍ସକୁ ଭାରତର କୂଟନୈତିକ ବହିଷ୍କାର

Share Now: