ମେଲବୋର୍ଣ୍ଣ : ଆସନ୍ତା ୩୦ ତାରିଖରେ ଅଷ୍ଟ୍ରେଲିଆର ପ୍ରସିଦ୍ଧ ମେଲବୋର୍ଣ୍ଣ କ୍ରିକେଟ୍ ଗ୍ରାଉଣ୍ଡ(ଏମସିସି)ଠାରେ କିମ୍ବଦନ୍ତୀ ସ୍ପିନର ସେନ ୱାର୍ଣ୍ଣଙ୍କ ଅନ୍ତିମ ସଂସ୍କାର କରାଯିବ। ଏ ନେଇ ଭିକ୍ଟୋରିଆ ରାଜ୍ୟର ପ୍ରିମିୟର (ଆମ ଦେଶର ମୁଖ୍ୟମନ୍ତ୍ରୀ ପରି) ଡାନିଏଲ ଆଣ୍ଡ୍ର୍ୟୁଜ୍ ଘୋଷଣା କରିଛନ୍ତି। ତେବେ ରାଷ୍ଟ୍ରୀୟ ସମ୍ମାନର ସହ ଅନ୍ତିମ ସଂସ୍କାର ପୂର୍ବରୁ ୱାର୍ଣ୍ଣଙ୍କ ପରିବାର ପକ୍ଷରୁ ଏକ ବ୍ୟକ୍ତିଗତ ଅନ୍ତିମ ସଂସ୍କାର କରାଯିବ। ୱାର୍ଣ୍ଣଙ୍କ ଅନ୍ତିମ ସଂସ୍କାର ପାଇଁ ଏମସିସିକୁ ବାଛିବାର ଏକାଧିକ କାରଣ ରହିଛି । ପ୍ରଥମତଃ ମେଲବୋର୍ଣ୍ଣ ସହରରେ ହିଁ ସେ ଜନ୍ମ ଗ୍ରହଣ କରିଥିଲେ ଓ କ୍ରିକେଟ ଖେଳିବା ଆରମ୍ଭ କରିଥିଲେ। ଏହି ଗ୍ରାଉଣ୍ଡରେ ୧୯୯୪ରେ ସେ ପ୍ରସିଦ୍ଧ ଆସେସ ହ୍ୟାଟ୍ରିକ ନେଇଥିଲେ। ଏଠାରେ ସେ ୨୦୦୬ରେ ନିଜର ୭୦୦ ତମ ଓ୍ବିକେଟ ନେଇଥିଲେ। ସୂଚନାଯୋଗ୍ୟ ଯେ, କ୍ରିକେଟ ଇତିହାସର ମହାନତମ ସ୍ପିନରଙ୍କ ମଧ୍ୟରେ ଅନ୍ୟତମ ସେନ ୱାର୍ଣ୍ଣଙ୍କ ଗତ ମାର୍ଚ୍ଚ ୪ରେ ଥାଇଲାଣ୍ଡଠାରେ ପରଲୋକ ହୋଇଥିଲା। ମୃତ୍ୟୁବେଳକୁ ତାଙ୍କୁ ମାତ୍ର ୫୨ ବର୍ଷ ବୟସ ହୋଇଥିଲା। ହୃଦଘାତ କାରଣରୁ ତାଙ୍କର ମୃତ୍ୟୁହୋଇଥିବା ଥାଇଲାଣ୍ଡ ପୁଲିସ ପକ୍ଷରୁ ସ୍ପଷ୍ଟ କରାଯାଇଥିଲା। ୧୯୬୯ରେ ଜନ୍ମ ଗ୍ରହଣ କରିଥିବା ସେନ ୱାର୍ଣ୍ଣ ଅଷ୍ଟ୍ରେଲିଆ ପାଇଁ ୧୪୫ଟି ଟେଷ୍ଟ, ୧୯୪ଟି ଦିନିକିଆ ମ୍ୟାଚ ଖେଳିଥିଲେ। ସେ ଟେଷ୍ଟରେ ୭୦୮ଟି ଓ୍ବିକେଟ ନେବା ସହ ୩୧୫୪ରନ ବି କରିଥିଲେ।
ମାର୍ଚ୍ଚ ୩୦ରେ ସେନ୍ ୱାର୍ଣ୍ଣଙ୍କ ଅନ୍ତିମ ସଂସ୍କାର

Share Now: