ଖୋର୍ଦ୍ଧା: ଗତକାଲି ରାତିରେ ଖୋର୍ଦ୍ଧା ଟାଉନ୍ ପୁଲିସକୁ ଏକ ବଡ଼ଧରଣର ସଫଳତା ମିଳିଛି। ଖୋର୍ଦ୍ଧା ଉପକଣ୍ଠରେ ଡକାୟତି ଯୋଜନା ପାଇଁ ଯୋଜନା କରୁଥିବା ଏକ ପେଷାଦାର ଅପରାଧୀ ଗ୍ୟାଙ୍ଗର ସଦସ୍ୟଙ୍କୁ ଧରିବାରେ ସକ୍ଷମ ହୋଇଛି। ସୂଚନାନୁସାରେ, ଗତକାଣି ରାତି ପ୍ରାୟ ଗୋଟାଏ ବେଳେ ଟିଏଲ୍ସି ରାସ୍ତାର ମୋନାଲିସା ଇଂରାଜୀ ମାଧ୍ୟମ ସ୍କୁଲ ପଛପଟେ ଏକ କାର ସହ କେତେକ ଯୁବକ ସଂଦିଗ୍ଧ ଅବସ୍ଥାରେ ଥିବା ନେଇ ପୁଲିସକୁ ସୂଚନା ମିଳିଥିଲା। ଏନେଇ ସୂଚନା ପାଇବା ପରେ ଏସ୍ପି ଅଲେଖ ଚନ୍ଦ୍ର ପହି ଏସ୍ଡିପିଓ ସୁଶୀଲ କୁମାର ମିଶ୍ରଙ୍କ ତତ୍ୱାବଧାନରେ ଟାଉନ୍ ଥାନା ଅଧିକାରୀ ସଂଜୟ ପଟ୍ଟନାୟକଙ୍କ ନେତୃତ୍ୱରେ ଏକ ଟିମ ଗଠନ କରିଥିଲେ। ଏହି ଟିମ୍ରେ ଅତିରିକ୍ତ ଆଇଆଇସି ପ୍ରଜ୍ଞାନ ଋତମ୍ବରୀ କର, ଏସ୍ଆଇ ପଦ୍ମଲୋଚନ ବେହେରା, ଏସ୍ଆଇ ମନୋଜ କୁମାର ଦାସ, ଏଏସ୍ଆଇ ଅକ୍ଷୟ କୁମାର ସେଠୀ, ଏଏସ୍ଆଇ ପ୍ରଦୀପ କୁମାର ପ୍ରଧାନ, ହାବିଲଦାର ବିକେ ପ୍ରତାପସିଂହ, ଅଭୟ ସାମାନ୍ତରାୟ ଓ ଅନ୍ୟ ପୁଲିସ କର୍ମଚାରୀ ରହିଥିଲେ। ଟିମ୍ ଯୋଜନା ବଦ୍ଧ ଭାବେ ସେମାନଙ୍କୁ ଘେରିବାକୁ ଚେଷ୍ଟା କରିଥିଲା। ଦୀର୍ଘ ୩ଘଂଟାର ଅପରେସନ୍ରେ ସେମାନଙ୍କୁ ଧରିବାରେ ସକ୍ଷମ ହୋଇଥିଲା। ଏନେଇ ସୂଚନା ଦେଇ ଥାନା ଅଧିକାରୀ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ଧରାପଡ଼ିଥିବା ଯୁବକଙ୍କ ନିକଟରୁ ୭.୬୫ ଏମ୍ଏମ୍ର ଦେଶୀ ବନ୍ଧୁକ, ୫ଟି ଅଫୁଟା ଗୁଳି, ଗୋଟିଏ ଖଣ୍ଡା, ଗୋଟିଏ କଟୁରୀ, ଦୁଇଟି ଲୁହାଛଡ, ଲଙ୍କାଗୁଣ୍ଡ ଆଦି ଜବତ କରାଯାଇଛି। ଏହାସହ ସେମାନେ ବ୍ୟବହାର କରୁଥିବା ଏକ କାର ଓଡି ୦୨ ବିଭି ୩୪୦୨କୁ ମଧ୍ୟ ଜବତ କରାଯାଇଛି। ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଲେ, ଖୋର୍ଦ୍ଧା ସଦର ଥାନା ଅନ୍ତର୍ଗତ ଦେଉଳଟାଙ୍ଗୀର ମହମ୍ମଦ ରଜକ ଓରଫ ରାଜା (୩୨), ଖୋର୍ଦ୍ଧା ମୁସଲିମ ସାହିର ରାଜୁ ଖାନ ଓରଫ କଲିମ(୨୬), ଭାଲିଆବାଡ଼ିର ନିଲୁ ବେହେରା ଓରଫ ନିଳେଇ (୨୫) ଓ କାହ୍ନା ବେହେରା (୩୨) ଓ ଗୁରୁଜଙ୍ଗ ମଝିସାହିର କାର୍ତିକ ପ୍ରଧାନ (୨୯)। ଏନେଇ ୧୧୩/୨୦୨୨ରେ ଧାରା ୩୫୩, ୩୯୯, ୪୦୨ ଓ ୨୫/୨୭ ଅସ୍ତ୍ରଶସ୍ତ୍ର ଧାରାରେ ମାମଲା ରୁଜୁ କରାଯାଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି।
ଡକାୟତି ଯୋଜନା ପଣ୍ଡ, ୫ ଗିରଫ : ବନ୍ଧୁକ ସହ ବିପୁଳ ମାରଣାସ୍ତ୍ର ଜବତ

Share Now: