ଭୁବନେଶ୍ବର : ଟୋକିଓ ପାରା ଅଲିମ୍ପିକ୍ସରେ ସ୍ବର୍ଣ୍ଣ ପଦକ ଜିତି ରାଜ୍ୟ ଓ ଦେଶ ପାଇଁ ଗୌରବ ଆଣିଥିବା ବ୍ୟାଡମିଣ୍ଟନ ଖେଳାଳି ପ୍ରମୋଦ ଭଗତଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ପାରାବ୍ୟାଡମିଣ୍ଟନ ରେ ଦେଶର ପ୍ରଥମ ଅଲିମ୍ପିକ୍ସ ସ୍ବର୍ଣ୍ଣ ଆଣିଥିବା ପ୍ରମୋଦ ଭଗତ ଦେଶର କ୍ରୀଡ଼ା ଇତିହାସରେ ନିଜର ଛାପ ଛାଡ଼ିଛନ୍ତି। ତାଙ୍କ ସଫଳତା ଅନ୍ୟ କ୍ରୀଡ଼ାବିତମାନଙ୍କୁ ଅନୁପ୍ରାଣିତ କରିବ। ସମ୍ବର୍ଦ୍ଧନା ଅବସରରେ ସେ ପ୍ରମୋଦଙ୍କୁ ୬ କୋଟିର ଚେକ୍ ପ୍ରଦାନ କରିଥିଲେ। ସମ୍ବର୍ଦ୍ଧିତ ହେବା ପରେ ପ୍ରତିକ୍ରିୟା ରଖି ପ୍ରମୋଦ କହିଛନ୍ତି ଯେ ବହୁ ଘାତ ପ୍ରତିଘାତ ମଧ୍ୟରେ ଆଗକୁ ଆସି ସେ ସ୍ବର୍ଣ୍ଣ ଜିତିଛନ୍ତି। ଏହି ସଫଳତା ପଛରେ ତାଙ୍କ ଗାଁ ଲୋକ ଓ କୋଚଙ୍କ ଅବଦାନ ରହିଛି। ଏହାଛଡ଼ା ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ସହଯୋଗ କରିଛନ୍ତି ବୋଲି ସେ କହିଛନ୍ତି। ଡେପୁଟୀ କଲେକ୍ଟର ହେବା ପାଇଁ ସେ ଇଚ୍ଛା ବ୍ୟକ୍ତି କରିଛନ୍ତି। ତେବେ ଚାକିରି ନେଇ ରାଜ୍ୟ ସରକାର ଯାହା ନିଷ୍ପତ୍ତି ନେବେ ତାହାକୁ ଗ୍ରହଣ କରିବେ ବୋଲି ସେ କହିଛନ୍ତି। ଆଜି ପ୍ରମୋଦ ଭୁବନେଶ୍ବରରେ ପହଞ୍ଚିବା ପରେ ତାଙ୍କୁ ଏୟାରପୋର୍ଟରୁ ଖୋଲା ଜିପରେ ଶୋଭାଯାତ୍ରାରେ ଅଣାଯାଇଥିଲା।
ଟୋକିଓ ପାରା ଅଲମ୍ପିଆନ ପ୍ରମୋଦ ଭଗତଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ

Share Now: