୪ ଓଡ଼ିଆ ଝିଅଙ୍କୁ କୋଟିଏ, ପୁରୁଷ ହକି ଓଡ଼ିଆ ଖେଳାଳିଙ୍କୁ ୬୦ ଲକ୍ଷ

ଭୁବନେଶ୍ୱର : ଜାକର୍ତ୍ତା ଏସୀୟ କ୍ରୀଡ଼ାରେ ରୌପ୍ୟ ପଦକ ହାସଲ କରିଥିବା ଭାରତୀୟ ମହିଳା ହକି ଦଳର ଚାରି ଓଡ଼ିଆ ଝିଅଙ୍କୁ ୧ କୋଟି ଟଙ୍କା ଲେଖାଏଁ ମିଳିବ। ସେହିଭଳି କାଂସ୍ୟ ପଦକ ଜିତିଥିବା ଭାରତୀୟ ପୁରୁଷ ହକି ଦଳର ଦୁଇ ଓଡ଼ିଆ ସଦସ୍ୟଙ୍କୁ ୬୦ ଲକ୍ଷ ଟଙ୍କା ଲେଖାଏଁ ମିଳିବ। ସଂଶୋଧିତ କ୍ରୀଡ଼ା ପୁରସ୍କାର ନୀତି ଅନୁଯାୟୀ ଏହି ପୁରସ୍କାର ରାଶି ଦିଆଯିବ। ଚାରି ଝିଅ ଦୀପ୍‌ଗ୍ରେସ୍‌ ଏକ୍କା, ସୁନୀତା ଲାକ୍ରା, ନମିତା ଟପ୍ପୋ ଏବଂ ଲିଲିମା ମିଞ୍ଜଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଭିନନ୍ଦନ ଜଣାଇବା ସହ ପୁରସ୍କାର ରାଶି ଘୋଷଣା କରିଛନ୍ତି। ଏହା ସହ ବିଭିନ୍ନ ଆନ୍ତର୍ଜାତିକ କ୍ରୀଡ଼ାରେ ପଦକ ଜିତୁଥିବା କ୍ରୀଡ଼ାବିତ୍‌ଙ୍କ ପାଇଁ ପୁରସ୍କାର ରାଶି ବଢ଼ାଇବାକୁ ନିଷ୍ପତ୍ତି ନିଆଯାଇଛି। ପ୍ରଥମ ପର୍ଯ୍ୟାୟରେ ଏସୀୟ କ୍ରୀଡ଼ାରେ ଅର୍ଥ ରାଶି ବଢ଼ାଯାଇଛି। ପୂର୍ବରୁ ଏସୀୟ କ୍ରୀଡ଼ା ପାଇଁ ବ୍ୟକ୍ତିଗତ ବର୍ଗରେ ସ୍ୱର୍ଣ୍ଣ, ରୌପ୍ୟ ଓ କାଂସ୍ୟ ପଦକ ବିଜେତାଙ୍କୁ ଯଥାକ୍ରମେ ୪୦ ଲକ୍ଷ, ୨୫ ଲକ୍ଷ ଓ ୧୨ ଲକ୍ଷ ୫୦ ହଜାର ଟଙ୍କାର ପୁରସ୍କାର ରାଶି ରହିଥିଲା। ସଂଶୋଧିତ ତାଲିକାରେ ଏହି ପରିମାଣ ଯଥାକ୍ରମେ ୩ କୋଟି, ୧.୫ କୋଟି ଓ ୭୫ ଲକ୍ଷ ଟଙ୍କା କରାଯାଇଛି। ସେହିପରି ଏସୀୟ କ୍ରୀଡ଼ାରେ ଦଳଗତ ଇଭେଣ୍ଟ୍‌ ବର୍ଗରେ ସ୍ୱର୍ଣ୍ଣ, ରୌପ୍ୟ ଓ କାଂସ୍ୟ ପଦକ ଜିତିଥିବା ଦଳର ଓଡ଼ିଆ ସଦସ୍ୟଙ୍କୁ ଯଥାକ୍ରମେ ୨୦ ଲକ୍ଷ, ୧୨ ଲକ୍ଷ ୫୦ ହଜାର ଓ ୬ ଲକ୍ଷ ଟଙ୍କାର ପୁରସ୍କାର ରାଶି ରହିଥିଲା। ସଂଶୋଧିତ ତାଲିକାରେ ଏହି ପରିମାଣ ଯଥାକ୍ରମେ ୨ କୋଟି, ୧ କୋଟି ଓ ୬୦ ଲକ୍ଷ ଟଙ୍କା ହୋଇଛି। ଆଗକୁ ଅଲମ୍ପିକ୍‌ ଗେମ୍‌ସ୍‌, ରାଜ୍ୟଗୋଷ୍ଠୀ କ୍ରୀଡ଼ା ଓ ସାଉଥ୍‌ ଏସିଆନ୍‌ ଗେମ୍‌ସ୍‌ ସମେତ ଅନ୍ୟାନ୍ୟ ଆନ୍ତର୍ଜାତିକ କ୍ରୀଡ଼ା ପାଇଁ ପୁରସ୍କାର ରାଶିର ସଂଶୋଧନ କରାଯିବ ବୋଲି କ୍ରୀଡ଼ା ସଚିବ ବିଶାଲ ଦେବ ସୂଚନା ଦେଇଛନ୍ତି। ଦୁଇ ମାସ ତଳେ ସରକାର ପୁରସ୍କାର ରାଶି ଘୋଷଣା କରିଥିଲେ। ଏସିଆନ୍‌ ଗେମ୍‌ସ୍‌ରେ ଦୂତି ଚାନ୍ଦଙ୍କ ପ୍ରଭାବୀ ପ୍ରଦର୍ଶନରେ ଉତ୍ସାହିତ ହେବା ପରେ ପୁରସ୍କାର ରାଶିରେ ସରକାର ସଂଶୋଧନ ଆଣିଥିବା କୁହାଯାଉଛି। ହରିଆନାରେ ଏସୀୟ କ୍ରୀଡ଼ା୍‌ ବିଜେତାଙ୍କୁ ସର୍ବାଧିକ ପୁରସ୍କାର ରାଶିର ବ୍ୟବସ୍ଥା ରହିଛି। ଏହି ସଂଶୋଧନ ପରେ ଓଡ଼ିଶା ଏହାର ସମକକ୍ଷ ହୋଇଥିବା କୁହାଯାଉଛି। ଏସୀୟ କ୍ରୀଡ଼ା୍‌ରେ କାଂସ୍ୟ ପଦକ ଜିତିଥିବା ଭାରତୀୟ ପୁରୁଷ ହକି ଦଳର ଦୁଇ ଓଡ଼ିଆ ସଦସ୍ୟ ବୀରେନ୍ଦ୍ର ଲାକ୍ରା ଏବଂ ଅମିତ ରୋହିଦାସଙ୍କ ପାଇଁ ପୁରସ୍କାର ରାଶି ଘୋଷଣା କରାଯାଇ ନ ଥିଲେ ମଧ୍ୟ ନୂଆ ନୀତି ଅନୁସାରେ ସେମାନେ ୬୦ ଲକ୍ଷ ଲେଖାଏଁ ପାଇବେ। ତେବେ ଭାରତୀୟ ପୁରୁଷ ଓ ମହିଳା ହକି ଦଳକୁ ଓଡ଼ିଶା ସରକାର ପ୍ରାୟୋଜିତ କରୁଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଦକ ବିଜେତାମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଅନ୍ୟ ଏକ ଉଲ୍ଲେଖନୀୟ ବିଷୟ ହେଉଛି ସରକାରଙ୍କ ସଂଶୋଧିତ ନୀତି ଅନୁସାରେ ଏସୀୟ କ୍ରୀଡ଼ାର ପଦକ ବିଜେତାମାନଙ୍କ ପ୍ରଶିକ୍ଷକମାନଙ୍କୁ ମଧ୍ୟ ପୁରସ୍କୃତ କରାଯିବ। ପଦକ ବିଜେତା ପାଉଥିବା ପୁରସ୍କାର ଅର୍ଥର ୨୦ ପ୍ରତିଶତ ପୁରସ୍କାର ରାଶି ଭାବେ ପ୍ରଶିକ୍ଷକଙ୍କୁ ପ୍ରଦାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ସୂଚନା ଦିଆଯାଇଛି।

Share Now:

Kalinga News Beuro

Leave a Reply

Next Post

ଆଜି ଜନ୍ମାଷ୍ଟମୀ:ନନ୍ଦଲାଲଙ୍କୁ ଭଜିବେ ଭକ୍ତ

Sun Sep 2 , 2018
ଭୁବନେଶ୍ୱର: କଳା କହ୍ନେଇଙ୍କ ଜନ୍ମୋତ୍ସବ ପାଇଁ ସଜେଇ ହୋଇଛି ମଠରୁ ମନ୍ଦିର। ଭଜନ କୀର୍ତନରେ ଉଚ୍ଛୁଳିବ କୃଷ୍ଣ ଭାବ। ଉତ୍ସବ ମୁଖର ହେବ ସହର। ଗୃହୀ ମତରେ ଜନ୍ମାଷ୍ଟମୀ ରବିବାର ପାଳିତ ହେଉଥିବା ବେଳେ ବୈଷ୍ଣବ ମତରେ ପ୍ରଭୁଙ୍କ ଜନ୍ମୋତ୍ସବ ସୋମବାର ପାଳିବାକୁ ପ୍ରସ୍ତୁତି କରାଯାଇଛି। ଇସ୍କନ୍‌, ରାମମନ୍ଦିର, ବାୟାବାବା ମଠ, ନୟାପଲ୍ଲୀ ବେହେରା ସାହି ରାଧାକୃଷ୍ଣ ମନ୍ଦିରଠୁ ଆରମ୍ଭ କରି ଅନ୍ୟ ମନ୍ଦିରରେ ଏନେଇ ବିଶେଷ ଆୟୋଜନ କରାଯାଇଛି। […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial