ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକାରୁ ଚନ୍ଦ୍ରଯାନ-୩ର ସଫ୍ଟ ଲ୍ୟାଣ୍ଡିଂ ଦେଖିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ୧୫ତମ ବ୍ରିକ୍ସ ସମ୍ମିଳନୀରେ ଯୋଗଦେବା ପାଇଁ ପ୍ରଧାନମନ୍ତ୍ରୀ ମୋଦି ଦକ୍ଷିଣ ଆଫ୍ରିକା ଗସ୍ତରେ ଅଛନ୍ତି। ଭାରତରେ ନଥିବାରୁ ସେ ଭର୍ଚୁଆଲି ଏହି ଐତିହାସିକ ମୂହୁର୍ତ୍ତକୁ ଦେଖିବେ ବୋଲି କୁହାଯାଉଛି। ଭିଡିଓ କନଫରେନ୍ସିଂ ମାଧ୍ୟମରେ ଚନ୍ଦ୍ରଯାନ-୩ର ସଫ୍ଟ ଲ୍ୟାଣ୍ଡିଂ ସମୟରେ ପ୍ରଧାନମନ୍ତ୍ରୀ ଇସ୍ରୋ ସହିତ ସଂଯୋଗ କରିବେ ବୋଲି ଜଣାଯାଇଛି। ଆସନ୍ତାକାଲି ସନ୍ଧ୍ୟା ୬.୦୪ରେ ଚନ୍ଦ୍ରଯାନ-୩ର ସଫ୍ଟ ଲ୍ୟାଣ୍ଡିଂ ହେବ। ଯଦି ଅବତରଣ କରିବାରେ ଲ୍ୟାଣ୍ଡର ସଫଳ ହୁଏ, ତେବେ ପ୍ରଥମ ଥର ପାଇଁ ଏକ ମହାକାଶଯାନକୁ ଚନ୍ଦ୍ରରେ ସଫ୍ଟ ଲ୍ୟାଣ୍ଡିଂ କରାଇବାରେ ଭାରତ ପ୍ରଥମ ହେବ। ଇସ୍ରୋ ପକ୍ଷରୁ କୁହାଯାଇଛି ଯେ, ସମସ୍ତ ସିଷ୍ଟମର ନିୟମିତ ଯାଞ୍ଚ ଚାଲିଛି ଏବଂ ବର୍ତ୍ତମାନ ସୁଦ୍ଧା ସୁରୁଖୁରୁରେ ଚନ୍ଦ୍ରଯାନ-୩ର ଯାତ୍ରା ଜାରି ରହିଛି। ଚନ୍ଦ୍ରଯାନ-୨ ଅର୍ବିଟର ସହ ଆନୁଷ୍ଠାନିକ ଭାବେ ଯୋଗାଯୋଗ ସ୍ଥାପନ କରିବା ପରେ ଚନ୍ଦ୍ରପୃଷ୍ଠରେ ବିକ୍ରମ ଲ୍ୟାଣ୍ଡର ଅବତରଣ ପାଇଁ କାଉଣ୍ଟଡାଉନ୍ ଆରମ୍ଭ ହୋଇଥିଲା।
ଇସ୍ରୋର ଜଣେ ବୈଜ୍ଞାନିକ ପୂର୍ବରୁ କହିଥିଲେ ଯେ, ଯଦି ମହାକାଶଯାନ ଚନ୍ଦ୍ରରେ ଅବତରଣ କରିବା ପାଇଁ ପରିସ୍ଥିତି ଅନୁକୂଳ ନ ହୁଏ, ତେବେ ଚନ୍ଦ୍ରଯାନ-୩ର ସଫ୍ଟ ଲ୍ୟାଣ୍ଡିଂକୁ ଅଗଷ୍ଟ ୨୭କୁ ଘୁଞ୍ଚାଇ ଦିଆଯାଇପାରେ। ହେଲେ ଏବେ ନିର୍ଦ୍ଧାରିତ ସମୟ ଅନୁଯାୟୀ ଅଗଷ୍ଟ ୨୩ ତାରିଖରେ ଚନ୍ଦ୍ରଯାନ ଅବତରଣ କରିବ ବୋଲି ଅହମଦାବାଦସ୍ଥିତ ସ୍ପେସ୍ ଆପ୍ଲିକେସନ୍ ସେଣ୍ଟର-ଇସ୍ରୋର ନିର୍ଦ୍ଦେଶକ ନିଲେଶ ଏମ୍ ଦେଶାଇ କହିଛନ୍ତି। ଅଗଷ୍ଟ ୨୩ ତାରିଖ ସନ୍ଧ୍ୟା ୫ଟା ୨୦ରେ ଅବତରଣ ପ୍ରକ୍ରିୟାର ସିଧା ପ୍ରସାରଣ ଆରମ୍ଭ ହେବ ବୋଲି ଇସ୍ରୋ ପକ୍ଷରୁ କୁହାଯାଇଛି।
ଦକ୍ଷିଣ ଆଫ୍ରିକାରୁ ଚନ୍ଦ୍ରଯାନ-୩ର ଅବତରଣ ଦେଖିବେ ମୋଦୀ

Share Now: