ପାଣିକୁ ଖସିଲା ନନ୍ଦନକାନନ ରୋପ୍‌ୱେ’ର ୬ କ୍ୟାବିନ୍ : ଯାତ୍ରୀ ନଥିବାରୁ ଟଳିଗଲା ବଡ଼ କ୍ଷୟକ୍ଷତି

ମନେପକାଇଲା ୨୦୧୧ରେ ଘଟିଥିବା ଦୁର୍ଘଟଣା

ବାରଙ୍ଗ: ଗତକାଲି ସକାଳ ପ୍ରାୟ ସାଢ଼େ ୮ଟା ବେଳେ ନନ୍ଦନକାନନ ରୋପ୍‌ୱେରେ ଗୋଟିଏ ବିଚିତ୍ର ଦୃଶ୍ୟ ଦେଖିବାକୁ ମିଳିଥିଲା। ‌ରୋପ୍‌ ହଠାତ୍‌ ଅତ୍ୟଧିକ ଝୁଲିପଡ଼ିବାରୁ ସେଥିରେ ଲାଗିଥିବା ୬ଟି ଯାକ କ୍ୟାବିନ୍‌ କାଞ୍ଜିଆ ହ୍ରଦ ପାଣି ଭିତରକୁ ଖସିପଡ଼ିଥିଲା। ସୌଭାଗ୍ୟକୁ ସେତେବେଳେ କ୍ୟାବିନ୍‌ଗୁଡ଼ିକରେ କେହି ପର୍ଯ୍ୟଟକ ନଥିବାରୁ ବଡ଼ଧରଣର ଅଘଟଣ ଟଳିଯାଇଥିଲା। କୌଣସି ଏକ ଯାନ୍ତ୍ରିକ ତ୍ରୁଟି କାରଣରୁ ଏପରି ଘଟିଥିବା କୁହା ଯାଉଛି। ତେବେ ଏହି ଖବରକୁ ନନ୍ଦନକାନନ କର୍ତ୍ତୃପକ୍ଷ ଖଣ୍ଡନ କରିଛନ୍ତି। ନିୟମିତ ବ୍ୟବଧାନରେ ହେଉଥିବା ମରାମତି କାମ ପାଇଁ ରୋପ୍‌ୱେ ବନ୍ଦ ଥିଲା ବୋଲି କର୍ତ୍ତୃପକ୍ଷ ସଫେଇ ଦେଇଛନ୍ତି। ଗତକାଲି ଦିନତମାମ ପର୍ଯ୍ୟଟକମାନେ ରୋପ୍‌ୱେ’ର ମଜା ନେଇ ନପାରି ହତାଶ ହୋଇଥିବା ଦେଖା ଯାଇଥିଲା।
ସବୁଦିନ ଭଳି ସକାଳେ ରୋପ୍‌ୱେ’ରେ ଯାତ୍ରା କରିବା ପାଇଁ ଟିକେଟ୍‌ କାଉଣ୍ଟର ନିକଟରେ ପର୍ଯ୍ୟଟକମାନେ ଅପେକ୍ଷା କରିଥିଲେ। କିନ୍ତୁ ଟିକେଟ୍‌ ବିକ୍ରି ପୂର୍ବରୁ ହଠାତ୍ କାଉଣ୍ଟରକୁ ସଂପୂର୍ଣ୍ଣ ବନ୍ଦ କରିଦିଆଯାଇଥିଲା। ଟିକେଟ୍‌‌ କିଣିବାକୁ ଅପେକ୍ଷା କରିଥିବା ପର୍ଯ୍ୟଟକମାନେ ହତାଶ ହୋଇଥିଲେ। ପରେ ଜଣାପଡ଼ିଥିଲା ଯେ ରୋପ୍‌ ଝୁଲିପଡ଼ିବାରୁ କ୍ୟାବିନ୍‌ ପାଣିରେ ବୁଡ଼ିଯାଇଛି। ସେ ଖବର ପାଇ ଦାୟିତ୍ୱରେ ଥିବା ଏସିଏଫ୍ ଶରତ କୁମାର ସାହୁ ଫୋନ୍‌କରି ବୁଝିବା ସହ ତୁରନ୍ତ ଟିକେଟ୍‌ କାଉଣ୍ଟର ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ସେହିଭଳି କୌଣସି ପର୍ଯ୍ୟଟକ ଯେମିତି ଝୁଲିଥିବା କ୍ୟାବିନ୍‌ର ଫଟୋ ନ ଉଠାଇବେ, ସେଥିପ୍ରତି ସତର୍କ ରହିବାକୁ ରୋପ୍‌ୱେ ପରିଚାଳନାରେ ଥିବା କର୍ମଚାରୀ ଓ ସୁରକ୍ଷାକର୍ମୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ପରେପରେ ରୋପ୍‌ୱେ କ୍ୟାବିନ୍‌ଗୁଡ଼ିକୁ ପାଣିରୁ ଉଠା ଯାଇଥିଲା ଏବଂ ଦିନକ ପାଇଁ ପର୍ଯ୍ୟଟକଙ୍କୁ ରୋପ୍‌ୱେ’ ଯାତ୍ରା ବାରଣ କରାଯାଇଥିଲା। ମରାମତି ଓ ଯାଞ୍ଚକାମ ଚାଲିଥିବା ଦର୍ଶାଇ ଏହାକୁ ବନ୍ଦ ରଖାଯାଇଥିଲା। କିନ୍ତୁ ପ୍ରକୃତ ଖବର ପ୍ରଚାର ହୋଇ ଯାଇଥିଲା। ସୂଚନାଯୋଗ୍ୟ ଯେ ୨୦୧୧ ଅକ୍ଟୋବର ମାସରେ ଯାତ୍ରୀଙ୍କୁ ନେଇ ଯାଉଥିବା ବେଳେ ରୋପ୍‌ୱେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଫସିରହିଥିବା ଯାତ୍ରୀଙ୍କୁ କାଞ୍ଜିଆ ହ୍ରଦରୁ ଡଙ୍ଗା ସାହାଯ୍ୟରେ ଉଦ୍ଧାର କରାଯାଇଥିଲା। ଆଜିର ଘଟଣା ପୁଣି ରୋପ୍‌ୱେ ପରିଚାଳନା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

Share Now:

Kalinga News Beuro

Next Post

ଅରୁଣାଚଳ ପ୍ରଦେଶ ଭାରତର ଅଂଶ : ଆମେରିକା

Thu Mar 21 , 2024
ୱାଶିଂଟନ : ଆମେରିକା ଅରୁଣାଚଳ ପ୍ରଦେଶକୁ ଭାରତୀୟ ଅଞ୍ଚଳ ଭାବେ ମାନ୍ୟତା ଦେବା ସହ ବାସ୍ତବ ନିୟନ୍ତ୍ରଣ ରେଖା ନିକଟରେ ଅଞ୍ଚଳ ଦାବି ପାଇଁ ହେଉଥିବା (ଚୀନର) ପ୍ରୟାସକୁ ଦୃଢ଼ ବିରୋଧ କରୁଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଗସ୍ତକୁ ନେଇ ଅରୁଣାଚଳ ପ୍ରଦେଶ ଉପରେ ଚୀନ୍ ସେନା ନିଜର ଦାବି ଦୋହରାଇବାର କିଛି ଦିନ ପରେ ଆମେରିକାର ଜଣେ ସରକାରୀ ମୁଖପାତ୍ର ଏହି ମନ୍ତବ୍ୟ ଦେଇଛନ୍ତି।ଆମେରିକୀୟ ବୈଦେଶିକ ବିଭାଗର ପ୍ରମୁଖ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial