ବନ୍ୟା ଉଜାଡ଼ିଦେଲା ପନିପରିବା ଚାଷ

ବନ୍ୟା ଉଜାଡ଼ିଦେଲା ପନିପରିବା ଚାଷ

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲାରେ ପନିପରିବା ଚାଷୀର ମେରୁଦଣ୍ତ ଭାଙ୍ଗି ଦେଇଛି ଲଘୁଚାପ ଜନିତ ଲଗାଣ ବର୍ଷା। ତା ସାଙ୍ଗକୁ ଦାଉ ସାଦିଛି ବନ୍ୟା। ନାଉଗାଁ ବ୍ଲକ ଦେଇ ପ୍ରବାହିତ ଦେବୀ, ଅଳକା ଓ ଗୋବରୀ ନଦୀର ଉପତ୍ୟକାରେ ବର୍ଷ ତମାମ ଚାଷୀ ପନିପରିବା ଚାଷ କରି ଗୁଜୁରାଣ ମେଣ୍ଟାଇଥାଏ। ଚଳିତ ବର୍ଷ ବର୍ଷା ଋତୁରେ ଚାଷୀମାନେ ଏହି ଅଞ୍ଚଳ ଦେଇ ପ୍ରବାହିତ ନଦୀ ପଠାରେ ଚାଷ କରିଥିଲା ବାଇଗଣ, ପୋଟଳ, ଭେଣ୍ତି, ଟମାଟୋ ଓ କାକୁଡି ଇତ୍ୟାଦି ଭଳିକି ଭଳି ପନିପରିବା, ଖର୍ଚ୍ଚ କରିଥିଲା ହଜାର ହଜାର ଟଙ୍କା। ଦିନ କେତଟା ଯାଇଥିଲେ କୋବି ଗଛ ଲଗାଯାଇଥାନ୍ତା, କିନ୍ତୁ ସବୁ ଉଜାଡି ଦେଲା ଲଘୁଚାପ ଜନିତ ଲଗାଣ ବର୍ଷା, ସାଙ୍ଗକୁ ଦାଉ ସାଜିଲା ବନ୍ୟା ଜଳ ବୋଲି ଅଭିଯୋଗ କରିଛନ୍ତି ଡାବର ପଞ୍ଚାୟତର ଚାଷୀ ପବିତ୍ର ସେଠୀ, ଫକିର ସେଠୀ, ନିରଂଜନ ସାହୁ ପ୍ରମୁଖ। ସେହିପରି ସିଖର ପଞ୍ଚାୟତର ଦେବୀ ନଦୀ ଉପତ୍ୟାକାରେ ଚଳିତ ବର୍ଷ ଚାଷୀ ପୋଟଳ ବାଇଗଣ ବିନ ଓ ବିଲାତି ପ୍ରଭୃତି ଚାଷ କରିଥିଲେ। ମାଟି ଦୋରଷା କିସମର ହୋଇଥିବାରୁ ଏଠାରେ କୋବି ଚାଷ ଭଲ ହୋଇଥାଏ। ଚାଷୀ କରିଥିବା କୋବି ଚାରା ଘେର ସହିତ ପୋଟଳ ଚାଷ ବର୍ଷାରେ ବୁଡି ସମ୍ପୁର୍ଣ୍ଣ ନଷ୍ଟ ହୋଇଯାଇଛି। ଏହି ପଞ୍ଚାୟତର ଅଙ୍ଗେଶ୍ବରପଡା ଗ୍ରାମର ଯୁବ ଚାଷୀ ନୃସିଂହ ଚରଣ ଲେଙ୍କା, ମନୋଜ ମାଣ୍ଡୋଇ, କାଳନ୍ଦୀ ପାତ୍ର, ପ୍ରକାଶ ମଲ୍ଲିକ, ବିକ୍ରମ ପୁହାଣଙ୍କ କହିବା ଅନୁସାରେ ଚଳିତ ବର୍ଷ ୩ ଏକର ଜମିରେ କୋବି ଚାଷ ପାଇଁ ଭାଦ୍ରବ ମାସର ଦ୍ବିତୀୟ ସପ୍ତାହରେ କୋବି ଓ ମୂଳା ପାଇଁ ବିହନ ଲଗାଯାଇଥିଲା। ବର୍ଷା ଛାଡିଗଲା ସତ, କିନ୍ତୁ କିଆରିରୁ ଜଳ ନିଷ୍କାସନ ହୋଇ ପାରିନଥିଲା। ଫଳରେ ବର୍ତ୍ତମାନ ସବୁ ଗଛ ମୃତ ପ୍ରାୟ। କାକୁଡି ଗଛରେ ମୂଳସଢା ରୋଗ ଦେଖାଦେଇଛି। ଚାଷୀମାନଙ୍କ ଅଭିଯୋଗ ଯେ ଚଳିତ ବର୍ଷ ଭାଦ୍ରବ ମାସରୁ ଏହି ଅଞ୍ଚଳ ଗୁଡିକରେ ପାଖାପାଖି ୫ ଏକରରୁ ଊର୍ଦ୍ଧ୍ବ ଜମିରେ କାକୁଡି ଲଗାଯାଇଥିଲା। ବିହନ ସାର ଓ କୀଟନାଶକ ଔଷଧ ଖର୍ଚ୍ଚକୁ ମିଶାଇ ଗୁଣ୍ଠ ପ୍ରତି ୧୮୦୦ ଟଙ୍କା ଖର୍ଚ୍ଚ ହୋଇଥାଏ। ରୋଗ ପୋକ ଓ ବଜାର ଦାମ ଯଦି ଠିକ ଥାଏ ତେବେ ଗୋଟିଏ ମାସରେ ଚାଷୀ ଗୁଣ୍ଠ ପ୍ରତି ୩୫୦୦ ରୁ ୪୦୦୦ ଟଙ୍କା ପାଇଥାଏ।

ସେହିପରି ମୁଖ୍ୟ ଫସଲ ଲଗାଯାଇଥିବା କୋବି ତଳି ଘେରଗୁଡିକରେ ପାଣି ପଶି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ଯାହାର ଚିହ୍ନବର୍ଣ୍ଣ ବି ନାହିଁ। ଠିକ ମଞ୍ଜି ଲଗାଇବା ସମୟରେ ବର୍ଷା ଦାଉ ସାଜିଥିଲା। ଚାଷୀଙ୍କ କହିବା ଅନୁଯାୟୀ ଗୋଟିଏ ଗୁଣ୍ଠ କୋବି ଚାଷ ପାଇଁ ୧୦୦୦ ଟଙ୍କା ଖର୍ଚ୍ଚ ହୋଇଥାଏ, ୬୦ ଦିନ ପରେ ଗଛରେ ଫଳ ଆସିବା ଆରମ୍ଭ ହୋଇଥାଏ। ସେହିପରି ଓଷକଣା, ଡେରିକ, କୋରୁଅ, ତିରୁଣା, ବାଂଶ ପ୍ରଭୃତି ପଞ୍ଚାୟତର ପନିପରିବା ଚାଷୀ ସମାନ ଅଭିଯୋଗ କରିଛନ୍ତି। କୋରୁଅ ପଞ୍ଚାୟତର ଚାଷୀ ରମାକାନ୍ତ ଜେନା, ସୁଜିତ ବିଶ୍ବାଳ, ଗାରୋଇ ରାଜସ୍ବ ଗ୍ରାମର ଚାଷୀ ଉଲ୍ଲାସ ବିଶ୍ବାଳ, ଧୂଆଁପଦା ଗ୍ରାମର ମଙ୍ଗୁଳି ବିଶ୍ବାଳ, ଲକ୍ଷ୍ମୀଧର ସ୍ବାଇଁ, ବୃନ୍ଦବନ ସାହୁ ପ୍ରମୁଖ ପରିବା ଚାଷୀଙ୍କ ଚାଷ ସମ୍ପୂର୍ଣ୍ଣ ଉଜୁଡି ଯାଇଛି। ଏହି ବିଷୟକୁ ନେଇ ଜିଲ୍ଲା ଉଦ୍ୟାନ କୃଷି ବିଭାଗର ଉପନିର୍ଦ୍ଦେଶକ ମିହିର ସାମନ୍ତରାୟଙ୍କୁ ପଚାରିବାରୁ ସେ ଜିଲ୍ଲାର ପ୍ରତ୍ୟେକ ଅଞ୍ଚଳକୁ ବିଭାଗୀୟ କର୍ମଚାରୀଙ୍କୁ ପଠାଇ ତୃଣମୂଳ ସ୍ତରରୁ କ୍ଷୟକ୍ଷତି ଆକଳନ କରୁଥିବା କହିଥିଲେ।

Share Now:

Kalinga News Beuro

Next Post

ଓଡ଼ିଶାରେ ୮୪ଟି କେନ୍ଦ୍ରରେ ଆରମ୍ଭ ହେଲା ମେଡିକାଲ ପାଠ୍ୟକ୍ରମରେ ନାମଲେଖା ଲାଗି ‘ନିଟ୍‌’

Sun Sep 13 , 2020
ଭୁବନେଶ୍ୱର: ମେଡିକାଲ ପାଠ୍ୟକ୍ରମରେ ନାମଲେଖା ଲାଗି ଆଜି ଆରମ୍ଭ ହୋଇଛି ନିଟ୍‌(ନ୍ୟାସନାଲ ଏଲିଜିବିଲିଟି କମ୍‌ ‌ଏଣ୍ଟ୍ରାନ୍ସ ଟେଷ୍ଟ) । ପରୀକ୍ଷା ଅପରାହ୍‌ଣ ୨ଟାରୁ ୫ଟା ମଧ୍ୟରେ ଅନୁଷ୍ଠିତ ହେଉଛି। ତେବେ ପୂର୍ବାହ୍ନ ୧୧ଟାରେ ପରୀକ୍ଷା କେନ୍ଦ୍ର ଗେଟ୍‌ ଖୋଲିଥିଲା ଏବଂ ଅପରାହ୍‌ଣ ସାଢ଼େ ୧ଟା‌ରେ ବନ୍ଦ କରାଯାଇଥିଲା। ନିଟ୍ ପରୀକ୍ଷା ପାଇଁ ଓଡ଼ିଶାରେ ୮୪ଟି ପରୀକ୍ଷା କେନ୍ଦ୍ରରେ କୋଭିଡ୍ ନିୟମର ପାଳନ କରାଯାଉଥିବା ପରିଲକ୍ଷିତ ହୋଇଛି। ସକାଳୁ ପରୀକ୍ଷା କେନ୍ଦରେ […]
ମେଡିକାଲ ପାଠ୍ୟକ୍ରମରେ ନାମଲେଖା ଲାଗି ‘ନିଟ୍‌’-2

ଆହୁରି ପଢ଼ନ୍ତୁ