ବାଲିଅନ୍ତା : କିଛିଦିନର ନିରବତା ପରେ ବାଲିଅନ୍ତା ଥାନା ଅଞ୍ଚଳରେ ମେଣ୍ଢା ଓ ଛେଳି ଚୋରଙ୍କ ଉତ୍ପାତ ପୁଣି ବୃଦ୍ଧି ପାଇଛି। ଗତରାତିକ ମଧ୍ୟରେ ସ୍ଥାନୀୟ ଅଞ୍ଚଳରୁ ୨୭ଟି ଛେଳିମେଣ୍ଢା ଚୋରି ହୋଇଯାଇଥିବା ଅଭିଯୋଗ ହୋଇଛି। ଲୁଟ ହୋଇଯାଇଥିବା ଗୃହପାଳିତ ପ୍ରାଣୀଙ୍କର ଆନୁମାନିକ ମୂଲ୍ୟ ଲକ୍ଷାଧିକ ଟଙ୍କାରୁ ଅଧିକ ହେବ ବୋଲି ସୂଚନା ମିଳିଛି। ଦୁର୍ବୃତ୍ତମାନେ ଗୁହାଳ ତାଲା ଭାଙ୍ଗି ଛେଳିମେଣ୍ଢାଙ୍କ ମୁହଁରେ ନିଶା ସ୍ପ୍ରେ କରି ବେହୋସ କରାଇବା ପରେ ଏକ ଟାଟା ଏସ ଗାଡ଼ିରେ ଉଠାଇ ନେଇଥିବା ଜଣାପଡ଼ିଛି। ଏ ସଂପର୍କରେ ସଂପୃକ୍ତ ମେଣ୍ଢା ଏବଂ ଛେଳି ପାଳକମାନେ ଆଜି ବାଲିଅନ୍ତା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ରାସ୍ତାପାର୍ଶ୍ବରେ ଏକ ବ୍ୟବସାୟ ପ୍ରତିଷ୍ଠାନରେ ଲାଗିଥିବା ସିସି କ୍ୟାମେରା ଫୁଟେଜରେ ଏହା କଏଦ ହୋଇଛି। ପ୍ରାପ୍ତ ସୂଚନାନୁଯାୟୀ ଭିଙ୍ଗାରପୁର ପଞ୍ଚାୟତ ଅଧୀନ ଇଚ୍ଛାଦେଇପାଟଣା ଗ୍ରାମର ବୈରାଗି ଦାସଙ୍କ ଗୁହାଳ ତାଲା ଭାଙ୍ଗି ୧୭ଟି ମେଣ୍ଢା ଲୁଟ ହୋଇଯାଇଛି। ସେହିପରି ପ୍ରତାପରୁଦ୍ରପୁର ପଞ୍ଚାୟତ ଅଧୀନ ବେତେଣ୍ଡା ଗ୍ରାମର ଶଙ୍କର ଭୋଇଙ୍କ ୧୦ଟି ଛେଳି ଚୋରିଯାଇଛି। ଅଭିଯୋଗ ଓ ସିସି କ୍ୟାମେରା ଫୁଟେଜ ଆଧାରରେ ପୁଲିସ ଘଟଣାର ଅନୁସନ୍ଧାନ ଚଳାଇଛି।
ବାଲିଅନ୍ତା ଅଞ୍ଚଳରେ ଅସାମାଜିକଙ୍କ ଉତ୍ପାତ: ନେଇଗଲେ ୨୭ ଛେଳିମେଣ୍ଢା

Share Now: