ନକଲି ଖାଦ୍ୟ ସାମଗ୍ରୀ କାରବାରର ପର୍ଦ୍ଦାଫାସ: ୨୦ କୁଇଣ୍ଟାଲ ନକଲି ଘିଅ ଜବତ

ନକଲି ଘିଅ ଜବତ

୨ ଗିରଫ, ୧୭ ଦିନରେ ଜବତ ହେଲାଣି କୋଟିଏ ଟଙ୍କାର ନକଲି ସାମଗ୍ରୀ

କଟକ: ମାଲଗୋଦାମରେ ପୁଣି ନକଲି ଖାଦ୍ୟ ସାମଗ୍ରୀର କାରବାର ଧରାପଡ଼ିଛି। ବନସ୍ପତି ଓ ପାମୋଲିନ୍‌ ତେଲରେ ଅତର ମିଶାଇ ନକଲି ଘିଅ ପ୍ରସ୍ତୁତ କରାଯାଉଥିବା ରାକେଟ୍‌ର ପର୍ଦ୍ଦାଫାସ ହୋଇଛି। ମାଲଗୋଦାମରେ ଜଣେ ଡିଲର୍‌ଙ୍କ ନକଲି ଆଡ଼ା ଉପରେ ପୁଲିସ ଆଜି ଚଢ଼ଉ କରିଛି। ଏହି ମାମଲାରେ ଡିଲର୍‌ କାଳନ୍ଦୀ ସାହୁ ଓରଫ କାଳିଆକୁ ପୁଲିସ୍‌ ଗିରଫ କରିବା ପରେ ଚାଞ୍ଚଲ୍ୟକର ତଥ୍ୟ ସାମନାକୁ ଆସିଛି। ସଦର ଥାନା ଗବଗସ୍ତ ଅଞ୍ଚଳରେ ଏହି ନକଲି ସାମଗ୍ରୀର ଫ୍ୟାକ୍ଟ୍ରି ଥିବା ପୁଲିସ ଜାଣିବାକୁ ପାଇଥିଲା। ସେଠାରେ ଚଢ଼ଉ କରି ଫ୍ୟାକ୍ଟ୍ରି ମାଲିକ ନରସିଂହ ଦାସକୁ ଗିରଫ କରିଛି। ଦୁଇଟି ଆଡ଼ାରେ ଚଢ଼ଉ କରି ପ୍ରାୟ ୨୦ କୁଇଣ୍ଟାଲ୍‌ ନକଲି ଘିଅ, ୧୦୦ ପେଟି ପାମୋଲିନ ଅଏଲ ଓ ବନସ୍ପତି, ପ୍ୟାକିଂ ସାମଗ୍ରୀ ଜବତ ହୋଇଛି। ମୋଟ ଜବତ ସମ୍ପତ୍ତିର ମୂଲ୍ୟ ୬୦ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ମାଲଗୋଦାମ ଥାନା ପୁଲିସ ଆକଳନ କରୁଛି। ସୂଚନା ଅନୁଯାୟୀ, ମାଲଗୋଦାମରେ ଏକ ଡିଲର‌୍‌ ପଏଣ୍ଟରେ ମାଲଗୋଦାମ ଥାନା ପୁଲିସ ଆଜି ନକଲି ଘିଅ କାରବାର ସମ୍ପର୍କରେ ଖବର ପାଇ ଚଢ଼ଉ କରିଥିଲା। ବାରଙ୍ଗର ଘିଅ ଡିଲର କାଳିଆକୁ ଗିରଫ କରିଥିଲା। ପୁଲିସ କାଳିଆର ଗୋଦାମରୁ ୫ଲକ୍ଷ ଟଙ୍କାରୁ ଅଧିକ ନକଲି ଘିଅ ଜବତ କରିଥିଲା। ସେଠାରୁ ୪ଟି ବ୍ରାଣ୍ତର ଘିଅ ମିଳିଥିଲା। ଏହି ଘିଅ ପ୍ୟାକେଟରେ ବ୍ୟାଚ୍‌ ନମ୍ବର ନଥିବା ବେଳେ ଆଇଏଫସି କୋଡ୍ ନଥିଲା। ଏମିତିକି ଜବତ ହୋଇଥିବା ଘିଅ କେବେ ପ୍ରସ୍ତୁତ ହୋଇଥିଲା, କୌଣସି ତାରିଖ ବି ଉଲ୍ଲେଖ ନଥିଲା। ପ୍ରାୟ ୪ବର୍ଷ ହେବ ଏହି ନକଲି ଘିଅ ଗୋଦାମ ମାଲଗୋଦାମ ଭିତରେ ଚାଲି ଆସୁଥିବା ପୁଲିସ ତଦନ୍ତରୁ ଜାଣିବାକୁ ପାଇଥିଲା। ନକଲି ଘିଅ କାଳିଆକୁ ଗବଗସ୍ତର ନରସିଂହ ଯୋଗାଇ ଆସୁଥିଲା। ସେ ଗଲା ୫ବର୍ଷ ହେବ ଏକ ନକଲି ଘିଅ ଫ୍ୟାକ୍ଟ୍ରି ଖୋଲି ମାଲଗୋଦାମ ସମେତ କଟକ ସହରର ଏକାଧିକ ଅଞ୍ଚଳକୁ ଚାଲାଣ କରୁଥିଲା। ନରସିଂହ ବିଭିନ୍ନ ଦାମୀ କମ୍ପାନିର ଲୋଗୋ ହାଇଦ୍ରାବାଦର ଏକ ଜରି ପ୍ୟାକେଟ୍‌ ପ୍ରସ୍ତୁତକାରୀ ସ˚ସ୍ଥାକୁ ଅର୍ଡର ଦେଇ ପ୍ୟାକେଟ୍‌ କିଣୁଥିଲା। ସେହି ପ୍ୟାକେଟ୍‌ କଟକରେ ପହଞ୍ଚିବା ପରେ ସେଥିରେ ନକଲି ଘିଅ ପ୍ୟାକିଂ କରି ବଜାରକୁ ଛାଡ଼ୁଥିଲା। ବଜାରରେ ୧୦୦ ଗ୍ରାମ ଘିଅକୁ ୬୦ ଟଙ୍କାରେ ବିକ୍ରି ହେଉଥିବା ବେଳେ ନରସିଂହ ମାତ୍ର ୨୦ ଟଙ୍କାରେ ବିକ୍ରି କରୁଥିବା ପୁଲିସ ତଦନ୍ତରୁ ଜାଣିବାକୁ ପାଇଛି। ମାଲଗୋଦାମରେ ଗଲା ୧୧ ତାରିଖରେ ନକଲି ଲଙ୍କା ଓ ହଳଦୀ ଗୁଣ୍ତ ଜବତ ହୋଇଥିଲା। ଶାଢ଼ିରେ ରଙ୍ଗ ଦେବାକୁ ବ୍ୟବହାର ହେଉଥିବା ବେଞ୍ଜର କେମିକାଲକୁ ଚାଉଳ ଖୁଦରେ ମିଶାଇ ଲଙ୍କା ଓ ହଳଦୀ ଗୁଣ୍ତ ପ୍ରସ୍ତୁତ ହେଉଥିଲା। ଏହି ମାମଲାରେ ପୁଲିସ ୩ଜଣ ଦୁର୍ବୃତ୍ତଙ୍କୁ ଗିରଫ କରିବା ସହ ୫ ଲକ୍ଷ ଟଙ୍କାର ନକଲି ଲଙ୍କା ଓ ହଳଦୀ ଗୁଣ୍ତ ଜବତ କରିଥିଲା। ସେହିପରି ୧୨ ତାରିଖରେ ୩ଟି ନକଲି ଫ୍ୟାକ୍ଟ୍ରି ମାଲଗୋଦାମ ଭିତରେ ଠାବ ହୋଇଥିଲା। ପୋକଲଗା ଚାଉଳ ଖୁଦରେ କେମିକାଲ ମିଶାଇ ଲଙ୍କା, ହଳଦୀ ଗୁଣ୍ଡ ପ୍ରସ୍ତୁତ ହେଉଥିଲା। ୩୦ ଲକ୍ଷରୁ ଅଧିକ ଟଙ୍କାର ସମ୍ପତ୍ତି ଜବତ ହୋଇଥିଲା। ମାତ୍ର ୧୭ ଦିନ ଭିତରେ ମାଲଗୋଦାମ ଭିତରୁ ପୁଲିସ ପାଖାପାଖି କୋଟିଏ ଟଙ୍କାର ନକଲି ସାମଗ୍ରୀ ଜବତ କଲାଣି। ଆଜିର ଚଢ଼ଉକୁ ମିଶାଇ ମୋଟ ୩ଟି ନକଲି କାରବାର ମାମଲା କେବଳ ମାଲଗୋଦାମ ଥାନାରେ ରୁଜୁ ହୋଇଥିବା ସୂଚନା ମିଳିଛି।

Share Now:

Kalinga News Beuro

Next Post

ଆଇଏଫଏସ୍ ଅଭୟକାନ୍ତ ପାଠକଙ୍କୁ ନିଲମ୍ବନ କଲେ ରାଜ୍ୟ ସରକାର

Fri Nov 27 , 2020
ଭୁବନେଶ୍ବର : ଆୟ ବର୍ହିଭୂତ ସଂପତ୍ତି ଠୁଳ ଅଭିଯୋଗରେ ରାଜ୍ୟ ଭିଜିଲାନ୍ସ ଦ୍ବାରା ଗିରଫ ହୋଇ ପରେ କୋର୍ଟ ଚାଲାଣ ହୋଇଥିବା ବରିଷ୍ଠ ଆଇଏଫଏସ୍ ଅଧିକାରୀ ତଥା ରାଜ୍ୟର ଅତିରିକ୍ତ ପିସିସିଏଫ୍ ଅଭୟକାନ୍ତ ପାଠକଙ୍କ ଜାମିନ ଖାରଜ ହୋଇଛି। ଆଜି ଭିଜିଲାନ୍ସ ପକ୍ଷରୁ ତାଙ୍କୁ ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟରେ ହାଜର କରାଯାଇଥିଲା। କୋର୍ଟ ସେମାନଙ୍କୁ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି। ଏହା ପରେ ରାଜ୍ୟ ସରକାର […]
ଅଭୟକାନ୍ତ ପାଠକଙ୍କୁ ନିଲମ୍ବନ କଲେ ରାଜ୍ୟ ସରକାର

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial