ନୂଆଦିଲ୍ଲୀ: ଖଣ୍ଡିଏ ଭଗବତ ଗୀତା, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଏକ ଫଟୋ ଏବଂ ୨୫,୦୦୦ ବ୍ୟକ୍ତିବିଶେଷଙ୍କ ନାମ ତାଲିକା ଧରି ‘ସତୀଶ ଧାଓ୍ଵନ୍ କୃତ୍ରିମ ଉପଗ୍ରହ’ (ସାଟେଲାଇଟ୍) ଏ ମାସ ଶେଷସୁଦ୍ଧା ‘ପୋଲାର୍ ସାଟେଲାଇଟ୍ ଲଞ୍ଚ୍ ଭେଇକ୍ଲ୍’ଦ୍ୱାରା (ପିଏସ୍ଏଲ୍ଭି) ଉତ୍କ୍ଷେପଣ ହୋଇ ମହାକାଶକୁ ଯାତ୍ରା କରିବ। ଭାରତୀୟ ମହାକାଶ କାର୍ଯ୍ୟକ୍ରମର ସଂସ୍ଥାପକଙ୍କ ମଧ୍ୟରୁ ଜଣଙ୍କ ନାମରେ ନାମିତ ଏହି କ୍ଷୁଦ୍ର କୃତ୍ରିମ ଉପଗ୍ରହଟି (ନାନୋସାଟେଲାଇଟ୍) ‘ସ୍ପେସ୍କିଡ୍ଜ୍ ଇଣ୍ଡିଆ’ଦ୍ୱାରା ବିକଶିତ। ଛାତ୍ରଛାତ୍ରୀଙ୍କ ମଧ୍ୟରେ ମହାକାଶ ବିଜ୍ଞାନ ଜାଗରୁକ କରିବା ନିମନ୍ତେ ‘ସ୍ପେସ୍କିଡ୍ଜ୍ ଇଣ୍ଡିଆ’ ଉତ୍ସଗୀକୃତ। ଏହା ବ୍ୟତିରେକେ, ଏହି କୃତ୍ରିମ ଉପଗ୍ରହରେ ତିନୋଟି ‘ପ୍ଲେଲୋଡ୍’ ମଧ୍ୟ ଯିବ। ସେଥିରୁ ଗୋଟିଏ ମହାକାଶ ବିକିରଣ, ଅନ୍ୟଟି ଚୁମ୍ବକୀୟ ମଣ୍ଡଳ ସଂକ୍ରାନ୍ତରେ ଅଧ୍ୟୟନ କରିବ ଏବଂ ତୃତୀୟଟି ସ୍ୱଳ୍ପଶକ୍ତିସମ୍ପନ୍ନ ଅଞ୍ଚଳରେ ପରୀକ୍ଷାମୂଳକ ଭାବେ ଯୋଗାଯୋଗ ନେଟ୍ ୱାର୍କ ପ୍ରଦର୍ଶନ କରିବ।
‘ସ୍ପେସ୍କିଡ୍ଜ୍’ ଇଣ୍ଡିଆର ସଂସ୍ଥାପକ ‘ସିଇଓ’ ଡକ୍ଟର୍ ଶ୍ରୀମତୀ କେସନ୍ କହନ୍ତି, ସମ୍ପ୍ରତି ଏହି ସଙ୍ଗଠନରେ ଖୁବ୍ ଉଦ୍ବେଳନ ଦେଖା ଦେଇଛି। ଏହା ହେବ ଆମଦ୍ୱାରା ବିକଶିତ ମହାକାଶରେ ମୁତୟନ ହେବାକୁ ଥିବା ପ୍ରଥମ କୃତ୍ରିମ ଉପଗ୍ରହ। ଏଥିପାଇଁ ଆମେ ସପ୍ତାହକ ମଧ୍ୟରେ ୨୫, ୦୦୦ ନାମ ଏଣ୍ଟ୍ରି ପାଇଛୁ। ଏସବୁ ମଧ୍ୟରୁ ୧୦୦୦ଟି ନାଁ ଭାରତ ବାହାରୁ ଆସିଛି। ଚେନ୍ନାଇରେ ଥିବା ଏକ ସ୍କୁଲ୍ ପ୍ରତ୍ୟେକଙ୍କ ନାମ ପ୍ରେରଣ କରିଛି। ଏହି ଅଭିଯାନ ଏବଂ ମହାକାଶ ବିଜ୍ଞାନ ପ୍ରତି ଲୋକମାନଙ୍କ ମଧ୍ୟରେ ଆଗ୍ରହ ଜାଗରୁକ କରିବା ନିମନ୍ତେ ଆମେ ଏପରି କରିବାକୁ ସ୍ଥିର କରିଥିଲୁ। ନାଁ ପଠାଇଥିବା ଲୋକମାନଙ୍କୁ ‘ବୋର୍ଡିଙ୍ଗ୍ ପାସ୍’ ମିଳିବ। ସେ ଆହୁରି ମଧ୍ୟ କହିଛନ୍ତି ଯେ, ଅନ୍ୟ ମହାକାଶ ଅଭିଯାନଗୁଡ଼ିକରେ ‘ବାଇବେଲ୍’ ଭଳି ଧର୍ମଗ୍ରନ୍ଥ ପଠାଯାଉଥିବାରୁ ସେମାନେ ମହାକାଶକୁ ଖଣ୍ଡେ ଭଗବତ ଗୀତା ପଠାଇବାକୁ ସ୍ଥିର କରିଛନ୍ତି। ଏହାଛଡ଼ା, ସବା ଉପର ପାନେଲ୍ରେ ଆତ୍ମନିର୍ଭର ଅଭିଯାନ ଉଲ୍ଲେଖ ଥାଇ ପ୍ରଧାନମନ୍ତ୍ରୀ ମୋଦୀଙ୍କର ଏକ ଫଟୋ ମଧ୍ୟ ପଠାଇବୁ। ଏହାର ତଳ ପାନେଲ୍ରେ ଖୋଦେଇ ହୋଇଛି ‘ଇସ୍ରୋ’ର ଅଧ୍ୟକ୍ଷ ଡକ୍ଟର୍ କେ ଶିବନ ଏବଂ ସାଇଣ୍ଟିଫିକ୍ ସେକ୍ରେଟେରି ଡକ୍ଟର୍ ଉମାମହେଶ୍ୱରନ୍ଙ୍କ ନାମ। ‘ଇଲେକ୍ଟ୍ରୋନିକ୍’ ଏବଂ ‘ସର୍କ୍ୟୁଟ୍ରି’ ସମେତ ଏହି କୃତ୍ରିମ ଉପଗ୍ରହଟି ସମ୍ପୂଣ୍ଣରୂପେ ଭାରତରେ ନିର୍ମିତ ହୋଇଛି। ‘ଇସ୍ରୋ’ ସୁପାରିସରେ ଡିଜାଇନ୍ରେ ଆଂଶିକ ପରିବର୍ତ୍ତନ କରାଯାଇଥିବା ଏହି କୃତ୍ରିମ ସାଟେଲାଇଟ୍ଟିକୁ ରବିବାର ଦିନ ଶ୍ରୀହରିକୋଟାସ୍ଥିତ ସ୍ପେସ୍ପୋର୍ଟକୁ ନିଆଯିବ।
ମହାକାଶକୁ ଭଗବତ ଗୀତା ଓ ପ୍ରଧାନମନ୍ତ୍ରୀଙ୍କ ଫଟୋ ନେଇଯିବ ନୂଆ ସାଟେଲାଇଟ୍

Share Now: