ଶୋଚନୀୟ ଅବସ୍ଥାରେ ସହିଦନଗର ଭିତର ରାସ୍ତା

ଶୋଚନୀୟ ଅବସ୍ଥାରେ ସହିଦନଗର ଷ୍ଟ୍ରିଟ୍‌

ଭୁବନେଶ୍ବର : ରାଜଧାନୀର ଅନ୍ୟତମ ଭିଆଇପି ଅଞ୍ଚଳ ସହିଦନଗରର ଷ୍ଟ୍ରିଟ୍‌ ସମୂହ ଶୋଚନୀୟ ଅବସ୍ଥାରେ। କେବଳ ମାର୍କେଟ୍‌ ଅଞ୍ଚଳ ଚକାଚକ୍‌। କିନ୍ତୁ ଭିତର ଜନବସତି ଅଞ୍ଚଳର ରାସ୍ତା ଅବସ୍ଥା ବଡ଼ କଦର୍ଯ୍ୟ। ରାସ୍ତାସାରା ଖାଲଖମା ଭର୍ତ୍ତି ହୋଇଥିବା ବେଳେ ଷ୍ଟ୍ରିଟ୍‌ ଲାଇଟ୍‌ ନାହିଁ। ସେହିଭଳି ପରିମଳ ବ୍ୟବସ୍ଥା ମଧ୍ୟ ଭୁଶୁଡ଼ି ପଡ଼ିଛି। ଖାଲଖମା ରାସ୍ତାରୁ ନିୟମିତ ଅଳିଆ ଆବର୍ଜନା ଉଠୁନଥିବାରୁ ବହୁ ଅଞ୍ଚଳରେ କୁଢ଼କୁଢ଼ ଅଳିଆ ଜମା ହୋଇଥିବା ଦେଖିବାକୁ ମିଳୁଛି। ସ୍ଥାନୀୟ ବାସିନ୍ଦାମାନଙ୍କ ଅଭିଯୋଗ ଅନୁସାରେ ୱାଟ୍‌କୋ ପାଣି ପାଇପ୍ ବିଛାଇବା ପାଇଁ ବହୁ ସ୍ଥାନରେ ରାସ୍ତା ଖୋଳି ଦେଇଛି। କିନ୍ତୁ ପାଇପ୍‌ ବିଛାଇବା ପରେ ଖାଲକୁ ଭଲ ଭାବେ ମରାମତି କରିବା ପରିବର୍ତ୍ତେ କେବଳ ମାଟି ଘୋଡ଼ାଇ ଛାଡ଼ି ଦେଉଛି। ଫଳରେ ଅସରାଏ ବର୍ଷା ହେଲେ ଉକ୍ତ ଖାଲରେ ପାଣି ରହୁଛି। ତେଣୁ ଯାତାୟାତ ପାଇଁ ସମସ୍ୟା ସୃଷ୍ଟି ହେଉଛି। ସେହିଭଳି ଅନେକ ଷ୍ଟ୍ରିଟ୍‌ରେ ପିଚୁ ଉଠି ଯାଇଥିବାରୁ ବଡ଼ ବଡ଼ ଖାଲ ହୋଇଗଲାଣି।

ସେହିପରି ପରିମଳ ବ୍ୟବସ୍ଥାକୁ ଦେଖିବାକୁ ଗଲେ ସେଠାରେ ସଫେଇ କର୍ମଚାରୀମାନେ ଠିକ୍ ସମୟରେ ଅ​ଳିଆ ଉଠାଉ ନାହାନ୍ତି। ଫଳରେ କିଛି କିଛି ସ୍ଥାନରେ ଅଳିଆ ଜମା ହୋଇ ଦୁର୍ଗନ୍ଧ ସୃଷ୍ଟି ହେଉଛି। ତେବେ ବଡ଼ ସମସ୍ୟା ହେଉଛି, ଏହି ଅଞ୍ଚଳରେ ବହୁ ଗଳିରେ ଷ୍ଟ୍ରିଟ୍‌ ଲାଇଟ୍‌ ନାହିଁ। ତେଣୁ ଅନ୍ଧକାର ରାସ୍ତା ଅସାମାଜିକ ବ୍ୟକ୍ତିମାନଙ୍କୁ ଅରାଜକତା ସୃଷ୍ଟି କରିବାକୁ ସୁଯୋଗ ଦେଉଛି। ପାର୍କ ନିକଟସ୍ଥ ଅଞ୍ଚଳରେ ଷ୍ଟ୍ରିଟ୍‌ ଲାଇଟ୍‌ ନଥିବାରୁ ସେଠାରେ ହିଁ ଅସାମାଜିକ ଯୁବକଯୁବତୀମାନଙ୍କ ଆଡ଼ା ଜମୁଛି। ଫଳରେ ସନ୍ଧ୍ୟାରେ ଲୋକେ ପାର୍କ ବୁଲିବାକୁ ଯାଇପାରୁ ନଥିବା ଅଭିଯୋଗ କରିଛନ୍ତି। ବିଏମ୍‌ସି କମିସନର ଫେବୃଆରୀ ୧୬ରେ ସହିଦନଗର ଅଞ୍ଚଳ ବୁଲିବା ପାଇଁ ଯାଇଥିଲେ। ଲୋକମାନେ ଏସବୁ ସମସ୍ୟାକୁ ନେଇ ଅଭିଯୋଗ କରିଥିଲେ। ସମସ୍ତ ସମସ୍ୟା ଖୁବ୍‌ ଶୀଘ୍ର ସମାଧାନ ହେବ ବୋଲି କମିସନର କହିଥିଲେ। କିନ୍ତୁ ୨ମାସ ବିତିବା ପରେ ମଧ୍ୟ କୌଣସି ସ୍ଥାନରେ ଷ୍ଟ୍ରିଟ୍ ଲାଇଟ୍‌ ଲଗାଯାଇ ପାରିଲା ନାହିଁ। ସେହିପରି ରାସ୍ତାଗୁଡ଼ିକର ଅବସ୍ଥାରେ ମଧ୍ୟ କୌଣସି ପରିବର୍ତ୍ତନ ହେଲାନାହିଁ। ସ୍ଥାନୀୟ ବାସିନ୍ଦା ସଦାଶିବ ପ୍ରଧାନ କୁହନ୍ତି ଏଠାରେ ଷ୍ଟ୍ରିଟ୍‌ ଲାଇଟ୍‌ର ବ୍ୟବସ୍ଥା ନଥିବାରୁ ରାତିରେ କିଛି ଅସାମାଜିକ ତତ୍ତ୍ବମାନେ ନିଶାସକ୍ତ ଅବସ୍ଥାରେ ବିଶୃଙ୍ଗଳା ସୃଷ୍ଟି କରୁଛନ୍ତି। ଏନେଇ ପୂର୍ବତନ କର୍ପୋରେଟର୍‌ ଉମା ମିଶ୍ରଙ୍କ କହିବା କଥା ସେ ଏସବୁ ସମସ୍ୟା ବାବଦରେ ରୀତିମତ ବିଏମ୍‌ସି କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରୁଛନ୍ତି। ବହୁ ଡ୍ରେନ୍‌ରେ ସ୍ଲାବ୍ ବିଛାଇବା କାମ ହୋଇଛି। ଖୁବ୍‌ ଶୀଘ୍ର ଅନ୍ୟ ସମସ୍ୟାଗୁଡ଼ିକର ସମାଧାନ କରାଯିବାକୁ ଚେଷ୍ଟା ଚାଲିଛି।

Share Now:

Kalinga News Beuro

Next Post

କରୋନା ଛାଟରେ ଛଟପଟ: ଜୀବିକା ଗଲା, ଏବେ କର୍କଟ ସହ ଯୁଝୁଛନ୍ତି ଅଭିନେତ୍ରୀ ପ୍ରତିଭା

Sat Apr 17 , 2021
ଭୁବନେଶ୍ବର : ପରିବାରର ଅର୍ଥାଭାବକୁ ଦୂର କରିବା ପାଇଁ ଘରୁ ଗୋଡ଼ କାଢ଼ିଥିଲେ। ନିଜର କଳା ପ୍ରତିଭାକୁ ପାଥେୟ କରି କିଛି ରୋଜଗାର କରିବେ ଓ ପରିବାରର ଅନଟନକୁ ଦୂର କରିବେ ବୋଲି ଧାଇଁ ଆସିଥିଲେ ରାଜଧାନୀ। ଦୂରଦର୍ଶନ ଓ ଟିଭି ପରଦାରେ ଅଭିନୟ କରି ସଫଳ ମଧ୍ୟ ହୋଇଥିଲେ। ମାତ୍ର ହଠାତ୍ ମହାମାରୀ କରୋନା ସବୁ କିଛି ବିଗାଡ଼ି ଦେଲା। କାମ ନ ମିଳିବାରୁ ରୋଜଗାର ଠପ୍‌ ହୋଇଗଲା। […]
କର୍କଟ ସହ ଯୁଝୁଛନ୍ତି ଅଭିନେତ୍ରୀ ପ୍ରତିଭା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial