ସୌନ୍ଦର୍ଯ୍ୟୀକରଣ ବି ସମ୍ପୂର୍ଣ୍ଣ ନଷ୍ଟ ହୋଇଗଲାଣି
ଭୁବନେଶ୍ବର: ମାଷ୍ଟରକ୍ୟାଣ୍ଟିନର ସେଇ ଗୋଲେଇ ଛକ, ଆଉ ସେ ଭିତରେ ଥିବା କୋଣାର୍କ ଘୋଡ଼ା, ଅନେକଙ୍କ ପାଇଁ ଏହା ଭୁବନେଶ୍ବରର ପ୍ରତୀକ ଚିହ୍ନ ଏବଂ ରାଜଧାନୀର ଏକ ପରିଚୟ। କୋଣାର୍କ ସୂର୍ଯ୍ୟମନ୍ଦିରରେ ଥିବା ଘୋଡ଼ାର ଏହି ଅବିକଳ ପ୍ରତିରୂପ ପ୍ରସ୍ତୁତ କରି ପ୍ରଖ୍ୟାତ ଭାସ୍କର୍ଯ୍ୟଶିଳ୍ପୀ ପଦ୍ମବିଭୂଷଣ ସ୍ବର୍ଗତ ରଘୁନାଥ ମହାପାତ୍ର ରାଜଧାନୀକୁ ଏହା ତାଙ୍କର ଶ୍ରେଷ୍ଠ ଉପହାର ବୋଲି କହିଥିଲେ। ହେଲେ ଆଜି ସ୍ରଷ୍ଟାଙ୍କ ବିୟୋଗରେ ଯେମିତି ଗୁମୁରି କାନ୍ଦୁଛି ଏହି ଘୋଡ଼ା। ରାଜଧାନୀର ପ୍ରତୀକ ପାଲଟିଥିବା ଏହି ଘୋଡ଼ାର ରକ୍ଷଣାବେକ୍ଷଣ ନେଇ ବିଏମ୍ସି କିମ୍ବା ବିଡିଏ ପକ୍ଷରୁ ସେମିତି କିଛି ଆଗ୍ରହ ପ୍ରକାଶ ପାଉନି। ବର୍ଷ ବର୍ଷ ଧରି ସଫା ନ ହେବା କାରଣରୁ ଧୂଳିମାଟିରେ ଧୂସରିତ ଏହି ଘୋଡ଼ାରେ ଏବେ ଶିଉଳି ଚରି ଗଲାଣି। ଏଥିସହ ଏହା ଚାରିପଟେ କରାଯାଇଥିବା ସୌନ୍ଦର୍ଯ୍ୟୀକରଣର ଅବସ୍ଥା ନ କହିବା ଭଲ। କେଉଁଠି ଲୁହା ବାଡ଼ ଭାଙ୍ଗି ଗଲାଣି ତ ପୁଣି ଗାଲିଚା ସମ୍ପୂର୍ଣ୍ଣ ନଷ୍ଟ ହୋଇଗଲାଣି। ଏହାକୁ ଶିଳ୍ପୀମାନେ ନାପସନ୍ଦ କରିଥିବା ବେଳେ ଶିଳ୍ପୀଗୁରୁ ଶ୍ରୀ ମହାପାତ୍ରଙ୍କ ଏହି ଉପହାରକୁ ଉପଯୁକ୍ତ ରକ୍ଷଣାବେକ୍ଷଣ କରାଯିବା ନେଇ ଦାବି କରିଛନ୍ତି।
କୋଣାର୍କ ସୂର୍ଯ୍ୟମନ୍ଦିରର ଅଶ୍ବ ଦ୍ବାରରେ ଥିବା ଏକ ଅଶ୍ବର ଏହି ଅବିକଳ ପ୍ରତିମୂର୍ତ୍ତିକୁ ସ୍ବର୍ଗତ ମହାପାତ୍ର ୧୯୭୯ ମସିହାରେ ନିର୍ମାଣ କରିଥିଲେ। ୧୯୮୦ ମସିହାରେ ଏହାକୁ ସ୍ଥାପନ କରାଯାଇଥିଲା। ଏହାର ଲମ୍ବ ୧୮ଫୁଟ ହୋଇଥିବା ବେଳେ ଉଚ୍ଚତା ୧୫ଫୁଟ। ଘୋଡ଼ାର କାରୁକାର୍ଯ୍ୟ ଅତ୍ୟନ୍ତ ମନୋମୁଗ୍ଧକର। ସତେ ଯେମିତି କୋଣାର୍କରୁ ଏକ ଅଶ୍ବକୁ ଆଣି ଏଠି ସ୍ଥାପନ କରାଯାଇଛି। ତେବେ ଏହାର ଠିକ୍ ଭାବେ ରକ୍ଷଣାବେକ୍ଷଣ ହେଉନଥିବାରୁ ଅନେକ ସମୟରେ ସ୍ବର୍ଗତ ମହାପାତ୍ର ମଧ୍ୟ କ୍ଷୋଭ ପ୍ରକାଶ କରିଥିଲେ। ଏହି ଅଶ୍ବର ନିର୍ମାଣ ଶୈଳୀ ଓ ମୂର୍ତିରେ ଥିବା କଳାକୃତି ଆମ ରାଜ୍ୟର କଳା ସଂସ୍କୃତିର ପରିଚୟ। ଆଗରୁ ଯାତ୍ରୀ ହେଉକି ସ୍ଥାନୀୟ ଲୋକଟିଏ ଭୁବନେଶ୍ବର ଆସିଲେ ପ୍ରଥମେ ଅଟକି ଯାଏ ଏହି ଘୋଡ଼ାକୁ ଦେଖିବା ପାଇଁ। ଆଗରୁ ଭୁବନେଶ୍ବର ଯିଏ ଆସୁଥିଲା ଏହି ଘୋଡ଼ା ସମୁଖରେ ଫଟୋଟିଏ ଉଠାଇବା ଭୁଲୁ ନଥିଲା। ମାତ୍ର ବିଡ଼ମ୍ବନା ହେଲା, ଏହି ଘୋଡ଼ା ପ୍ରତିମୂର୍ତ୍ତି ଏବେ ପୂରା ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ିରହିଛି। ଧୂଳିମଳିର ଆବରଣରେ ଘୋଡ଼ି ହୋଇଗଲାଣି ଏହି ଘୋଡ଼ା। ଏହାକୁ ଆହୁରି ଆକର୍ଷଣୀୟ କରିବା ପାଇଁ ଏଠାରେ ବିଭିନ୍ନ ଡିଜାଇନର ଗଛ, ଫୁଲ ଗଛ ଓ ଘାସ ଗାଲିଚା ପକାଇ ସୌନ୍ଦର୍ଯ୍ୟୀକରଣ କରାଯାଇଥିଲା। ଏଥିସହ ଏଠାରେ କିଛି ଛୋଟ ଛୋଟ ନର୍ତ୍ତକୀ ମୂର୍ତ୍ତି ଲାଗିବା ସହ ରଙ୍ଗିନ ଲାଇଟରେ ଆଲୋକିତ କରାଯାଉଥିଲା। ବର୍ତ୍ତମାନର ଦୃଶ୍ୟ କିନ୍ତୁ ସମ୍ପୂର୍ଣ୍ଣ ଭାବରେ ଓଲଟା। ସେଠାରେ ଲୁହା ବାଡ଼ ଭାଙ୍ଗିଗଲାଣି, ଘୋଡ଼ା ଛିଡ଼ା ହୋଇଥିବା ପଥର ପିଣ୍ଡିରୁ ଟାଇଲ ଖସିଗଲାଣି, ଲାଗିଥିବା ଲାଇଟଗୁଡ଼ିକ କେଉଁ ଆଡ଼େ ଉଭେଇଗଲାଣି। ଏମିତିକି ଘୋଡ଼ା ଉପରକୁ ଶିଉଳି ଚଢ଼ିଗଲାଣି। ସେଠାରେ ଲାଗିଥିବା ଗଛ ବି ମରିଗଲାଣି। ଏବେ ଘୋଡ଼ା ମୂର୍ତ୍ତିଟି ପୂରା ଅବହେଳିତ ଅବସ୍ଥାରେ ପଡ଼ିରହିଛି। ସ୍ବର୍ଗତ ମହାମାତ୍ରଙ୍କ ଭାସ୍କର୍ଯ୍ୟ ଶିଳ୍ପର ପରିଚୟ ବହନ କରୁଥିବା ଏବଂ ଭୁବନେଶ୍ବରର ପ୍ରତୀକ ପାଲଟିଥିବା ଏହି ଘୋଡ଼ାର ଉପଯୁକ୍ତ ରକ୍ଷଣାବେକ୍ଷଣ କରାଗଲେ ଉପରେ ଥାଇ ସ୍ବର୍ଗତ ମହାପାତ୍ରଙ୍କ ଆତ୍ମା ଶାନ୍ତି ପାଆନ୍ତା ବୋଲି ଅନେକ ଶିଳ୍ପୀ ଓ ସଚେତନ ନାଗରିକ ମତ ଦେଇଛନ୍ତି।