ନୂଆଦିଲ୍ଲୀ: ୨୦୧୮ ମସିହାରେ ବ୍ୟକ୍ତିଗତ ସୁରକ୍ଷାକର୍ମୀ ମୃତ୍ୟୁ ମାମଲା ଏବେ ବିଜେପି ନେତା ଶୁଭେନ୍ଦୁ ଅଧିକାରୀଙ୍କ ପାଇଁ ଅଡୁଆ ବଢାଇଛି। ଆଜି ପୁଣିଥରେ ପଶ୍ଚିମବଙ୍ଗ ସିଆଇଡି ପକ୍ଷରୁ ରାଜ୍ୟ ବିଧାନସଭାର ବିରୋଧୀଦଳ ନେତା ଶୁଭେନ୍ଦୁ ଅଧିକାରୀଙ୍କ ବାସଭବନରେ ଚଢାଉ କରାଯାଇଛି। ଏହା ପୂର୍ବରୁ ବୁଧବାର ଦିନ ବି ସିଆଇଡିର ଏକ ଟିମ୍ ଶୁଭେନ୍ଦୁ ଅଧିକାରୀଙ୍କ ବାସଭବନରେ ପହଞ୍ଚି ଯାଞ୍ଚ କରିଥିଲା। ହେଲେ ସେତେବେଳେ ଶୁଭେନ୍ଦୁ ସେଠାରେ ନଥିଲେ। ସିଆଇଡିର ଟିମ୍ ଶୁଭେନ୍ଦୁ ଅଧିକାରୀଙ୍କ ଭାଇ ତଥା ସାଂସଦ ଦିବ୍ୟନ୍ଦୁ ଅଧିକାରୀଙ୍କ ସହ କଥା ହୋଇ ଫେରିଥିଲେ। ଉଲ୍ଲେଖଯୋଗ୍ୟ, ୨୦୧୮ ମସିହାରେ ଶୁଭେନ୍ଦୁ ଅଧିକାରୀଙ୍କ ବ୍ୟକ୍ତିଗତ ସୁରକ୍ଷାକର୍ମୀଙ୍କ ମୃତଦେହ ସନ୍ଦିଗ୍ଧ ଅବସ୍ଥାରେ ଏକ ଘର ଭିତରୁ ମିଳିଥିଲା। ସେତେବେଳେ ଏହାକୁ ଆତ୍ମହତ୍ୟା କହି ମାମଲା ରଫା ଦଫା କରାଯାଇଥିଲା। ହେଲେ କିଛିଦିନ ତଳେ ମୃତ ସୁରକ୍ଷାକର୍ମୀଙ୍କ ପତ୍ନୀ ତାଙ୍କ ସ୍ୱାମୀଙ୍କୁ ହତ୍ୟା କରାଯାଇଥିବା ନେଇ ଅଭିଯୋଗ ଆଣିଥିଲେ। ଏହାପରେ ପୁଲିସ ଏହି ମାମଲାକୁ ପୁଣି ଥରେ ତଦନ୍ତ ପରିସରଭୂକ୍ତ କରିଥିଲା। ୨୦୧୮ ମସିହା ଅକ୍ଟୋବର ୧୩ ତାରିଖରେ ପୂର୍ବ ମେଦିନାପୁର ଜିଲ୍ଲାର ଏକ ଭଡା ଘରୁ ଶୁଭେନ୍ଦୁ ଅଧିକାରୀଙ୍କ ବ୍ୟକ୍ତିଗତ ସୁରକ୍ଷାକର୍ମୀ ଶୁଭାବ୍ରତଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ତାଙ୍କୁ କୋଲକତାର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲେ ବି ତା’ପର ଦିନ ତାଙ୍କର ମୃତ୍ୟୁ ହୋଇଥିଲା। ସେହି ସମୟରେ ଶୁଭେନ୍ଦୁ ରାଜ୍ୟ ପରିବହନ ବିଭାଗର ମନ୍ତ୍ରୀ ଥିଲେ।
୨୦୧୮ରେ ବ୍ୟକ୍ତିଗତ ସୁରକ୍ଷାକର୍ମୀଙ୍କ ମୃତ୍ୟୁ ମାମଲା : ବିଜେପି ନେତା ଶୁଭେନ୍ଦୁ ଅଧିକାରୀଙ୍କ ଘରେ ସିଆଇଡି ଟିମ୍

Share Now: