ନୂଆଦିଲ୍ଲୀ : କୋଭିସିଲ୍ଡର ଦୁଇଟି ମାତ୍ରା ମଧ୍ୟରେ ବ୍ୟବଧାନକୁ କମାଇବାକୁ କେନ୍ଦ୍ର ସରକାର ବିଚାର କରୁଛନ୍ତି। ଏ ପ୍ରସଙ୍ଗରେ ଖୁବଶୀଘ୍ର ଟାକା ସମ୍ପର୍କିତ ଜାତୀୟ ବୈଷୟିକ ପରାମର୍ଶଦାତା କମିଟିର ବୈଠକରେ ଆଲୋଚନା କରାଯିବ। କମିଟିର ସୁପାରିଶ ଆସିବା ପରେ ସରକାର ନିଷ୍ପତ୍ତି ନେଇପାରନ୍ତି ବୋଲି ଗଣମାଧ୍ୟମ ରିପୋର୍ଟରୁ ଜଣାପଡ଼ିଛି। ଚଳିତ ମାସ ପ୍ରାରମ୍ଭରେ ସରକାରଙ୍କ କୋଭିଡ୍-୧୯ କାର୍ଯ୍ୟଗୋଷ୍ଠୀର ଅଧ୍ୟକ୍ଷ ଡ.ଏନ.କେ. ଆରୋରା କହିଥିଲେ ଯେ ସରକାର ଦୁଇଟି କୋଭିସିଲଡ ମାତ୍ରା ମଧ୍ୟରେ ବ୍ୟବଧାନକୁ କମାଇବାର ସମ୍ଭାବନା ରହିଛି। ତେବେ କେବଳ ୪୦ ବର୍ଷରୁ ଅଧିକ ବୟସର ଲୋକମାନଙ୍କ ପାଇଁ ଏହି ବ୍ୟବଧାନକୁ କମାଯାଇପାରେ ବୋଲି ସେ କହିଥିଲେ।
ଭାରତରେ କୋଭିଡ୍ ଟିକାକରଣ ଆରମ୍ଭ ହେବା ସମୟରେ ଦୁଇଟି ମାତ୍ରା କୋଭିସିଲଡ୍ ମଧ୍ୟରେ ବ୍ୟବଧାନ ୪ରୁ ୬ ସପ୍ତାହ ଥିଲା। କିନ୍ତୁ ପରେ ସରକାର ଏହି ବ୍ୟବଧାନକୁ ୧୨ରୁ ୧୬ ସପ୍ତାହକୁ ବଢାଇଦେଇଥିଲେ। କିନ୍ତୁ ସରକାରଙ୍କ ଏହି ପଦକ୍ଷେପକୁ ନେଇ ବିରୋଧୀ ଦଳମାନେ ପ୍ରଶ୍ନ ଉଠାଇଥିଲେ। ଦେଶରେ ଟିକା ଅଭାବକୁ ଲୁଚାଇବାକୁ ସରକାର ଏହି ପଦକ୍ଷେପ ନେଇଥିଲେ ବୋଲି ବିରୋଧୀ ଦଳମାନେ ଅଭିଯୋଗ କରିଥିଲେ। କିନ୍ତୁ ବିଶେଷଜ୍ଞଙ୍କ ସୁପାରିଶ କ୍ରମେ ଏହି ନିଷ୍ପତ୍ତି ନିଆଯାଇଥିଲା ବୋଲି ସରକାର ସେତେବେଳେ କହିଥିଲେ। ଏବେ ସରକାର ପୁଣି ବ୍ୟବଧାନ କମାଇବାକୁ ନିଷ୍ପତ୍ତି ନେଲେ ତାହାକୁ ନେଇ ବିବାଦ ଉଠିବାର ସମ୍ଭାବନା ରହିଛି।
କମିବ କୋଭିସିଲଡ୍ ଟିକାର ମାତ୍ରା ବ୍ୟବଧାନ: ନିଷ୍ପତ୍ତି ଖୁବଶୀଘ୍ର

Share Now: