କନିଷ୍ଠ ହକି ବିଶ୍ୱକପ୍ ଟ୍ରଫି ଓ ଲୋଗୋ ଅନାବରଣ କଲେ ମୁଖ୍ୟମନ୍ତ୍ରୀ

କନିଷ୍ଠ ହକି ବିଶ୍ୱକପ୍

ନଭେମ୍ବର ୨୪ରୁ ଡିସେମ୍ବର ୫ ପର୍ଯ୍ୟନ୍ତ ଖେଳାଯିବ

ଭୁବନେଶ୍ବର : ଓଡ଼ିଶାକୁ ପୁଣି ଫେରିଲା ହକି ଜ୍ବର। ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମ୍‌ରେ ନଭେମ୍ବର ୨୪ରୁ ଡିସେମ୍ବର ୫ ତାରିଖ ପର୍ଯ୍ୟନ୍ତ ଖେଳାଯିବ ଏଫ୍‌ଆଇଏଚ୍ କନିଷ୍ଠ ପୁରୁଷ ହକି ବିଶ୍ବକପ୍। ୧୨ ଦିନିଆ ପ୍ରତିଯୋଗିତାରେ ସାରା ବିଶ୍ବର ବଛାବଛା ୧୬ଟି ଦଳ ଅଂଶଗ୍ରହଣ କରିବେ। ଫଳରେ ୨୦୧୮ ପୁରୁଷ ହକି ବିଶ୍ବକପ୍‌ର ସଫଳ ଆୟୋଜନ ପରେ କଳିଙ୍ଗ ଷ୍ଟାଡିୟମରେ ଦ୍ବିତୀୟ ଥର ପାଇଁ କୌଣସି ହକି ବିଶ୍ବକପ୍ ଖେଳାଯିବ। ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଆୟୋଜିତ ସ୍ବତନ୍ତ୍ର ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଘୋଷଣା କରିଛନ୍ତି। ଗୁରୁବାର ସଂଧ୍ୟାରେ ପ୍ରତିଯୋଗିତାର ଟ୍ରଫି ଓ ଲୋଗୋ ଅନାବରଣ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, କଳିଙ୍ଗ ଷ୍ଟାଡିୟମରେ ଏଫ୍‌ଆଇଏଚ୍ କନିଷ୍ଠ ପୁରୁଷ ହକି ବିଶ୍ବକପ୍ ନଭେମ୍ବର ୨୪ରୁ ଡିସେମ୍ବର ୫ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବ ବୋଲି ଘୋଷଣା କରି ମୁଁ ଅତ୍ୟନ୍ତ ଆନନ୍ଦିତ। ଓଡ଼ିଶା କ୍ରୀଡ଼ାରେ ହକିର ସ୍ବତନ୍ତ୍ର ସ୍ଥାନ ରହିଛି। ଢେର କିଛି ବର୍ଷ ହେବ ଆମେ ଭାରତୀୟ ହକିକୁ ପ୍ରୋତ୍ସାହନ ଦେଇ ଆସୁଛୁ। ଯାହା ଫଳରେ ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ହକି ଦଳ ଐତିହାସିକ ସଫଳତା ଲାଭ କରିଛି। ଆମେ ଆହୁରି ୧୦ ବର୍ଷ ପାଇଁ ଭାରତୀୟ ହକିର ପ୍ରାୟୋଜକ ହୋଇଛୁ। ଭାରତୀୟ ହକିର ଗୌରବମୟ ଯାତ୍ରାରେ ଓଡ଼ିଶା ତାର ସହଯୋଗ ଓ ସମର୍ଥନ ସର୍ବଦା ଜାରି ରଖିବ। କନିଷ୍ଠ ବିଶ୍ବକପ୍ ଆୟୋଜନ ଲାଗି ହକି ଇଣ୍ଡିଆ ଆମ ସହଯୋଗ ଲୋଡ଼ିଥିଲା। କରୋନା ମହାମାରୀ ସମୟ ଏବଂ ଖୁବକମ୍ ଦିନର ନୋଟିସରେ ଏଭଳି ଏକ ପ୍ରତିଯୋଗିତା ଆୟୋଜନ କରିବା ଆଦୌ ସହଜ ନୁହେଁ। ପ୍ରତିଯୋଗିତାକୁ ଆଉ ମାତ୍ର ୨ ମାସ ବାକି ଅଛି। ତଥାପି ଦେଶର ସମ୍ମାନ ଦୃଷ୍ଟିରୁ ଏହି ପ୍ରତିଯୋଗିତାର ଆୟୋଜନକୁ ଆମେ ଏକ ଆହ୍ବାନ ଭାବେ ଗ୍ରହଣ କରିଛୁ। ସଫଳତାର ସହ ଏହାକୁ ଶେଷ କରିବୁ ବୋଲି ଦୃଢ଼ ବିଶ୍ବାସ ରହିଛି। ଆଶା କରୁଛି ଘରୋଇ ପରିବେଶର ଫାଇଦା ଉଠାଇ ଭାରତ ବିଜେତା ଗୌରବ ଅର୍ଜନ କରିବ।
ଏଫ୍‌ଆଇଏଚ୍ ସଭାପତି ନରିନ୍ଦର ବାତ୍ରା ଭାରତୀୟ ହକିର ବିକାଶ ପାଇଁ ଓଡ଼ିଶା କରୁଥିବା ପ୍ରୟାସକୁ ପୁଣି ଥରେ ପ୍ରଶଂସା କରିଥିଲେ। ଭାରତୀୟ ହକି ପାଇଁ ଓଡ଼ିଶା ଭାଗ୍ୟଶାଳୀ ସାବ୍ୟସ୍ତ ହୋଇ ଆସୁଥିବାରୁ ଭାରତୀୟ କନିଷ୍ଠ ଦଳ ଭୁବନେଶ୍ବରରେ ପୁଣି ଥରେ ବିଜେତା ହୋଇ ବିଶ୍ବକପ୍ ନିଜ ପାଖରେ ରଖିବ ବୋଲି ଆଶାପ୍ରକାଶ କରିଥିଲେ ସେ। ଏହି ଉତ୍ସବରେ କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା ସ୍ବାଗତ ଭାଷଣ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ହକି ଇଣ୍ଡିଆ ମହାସଚିବ ରାଜେନ୍ଦ୍ର ସିଂହ, ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ୫-ଟି ସଚିବ ଭିକେ ପାଣ୍ଡିଆନ୍, କ୍ରୀଡ଼ା ସଚିବ ଆର ଭିନିଲକ୍ରିଷ୍ଣା, ଭାରତୀୟ ୧୮ ବର୍ଷରୁ କମ୍ ବାଳିକା ରଗ୍‌ବି ଦଳର ସଦସ୍ୟ, କ୍ରୀଡ଼ା ବିଭାଗର ବହୁ ବରିଷ୍ଠ ଅଧିକାରୀ ଏବଂ ରାଜ୍ୟର ସଫଳକ୍ରୀଡ଼ାବିତ୍ ଉପସ୍ଥିତ ଥିଲେ। ଓଡ଼ିଶା ହକି ବିକାଶ ପରିଷଦର ଅଧ୍ୟକ୍ଷ ଦିଲୀପ ତିର୍କି ଧନ୍ୟବାଦ ଅର୍ପଣ କରିଥିଲେ।

Share Now:

Kalinga News Beuro

Next Post

ମିଆଁମାର୍‌ରେ ସୃଷ୍ଟି ହେଲା ଲଘୁଚାପ : ଓଡ଼ିଶାରେ ୩ ଦିନ ଘଡ଼ଘଡ଼ି ସହ ବର୍ଷା

Fri Sep 24 , 2021
ଭୁବନେଶ୍ବର : ମିଆଁମାର୍‌ ୟାଙ୍ଗନ୍‌ ସହରର ଦକ୍ଷିଣ ଉପକୂଳ‌ରେ ଗୁରୁବାର ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ରାଜ୍ୟରେ ୩ ଦିନ ଧରି ବର୍ଷା କରାଇବ। ଏହା ପ୍ରଭାବରେ ଆସନ୍ତା ୨୫ରୁ ୨୮ତାରିଖ ପର୍ଯ୍ୟନ୍ତ ରାଜ୍ୟ‌ର ବିଭିନ୍ନ ଜିଲ୍ଲାରେ ମଧ୍ୟମରୁ ପ୍ରବଳ ବର୍ଷା ହେବ। ଭୁବନେଶ୍ବର ଆଞ୍ଚଳିକ ପଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ମୁତାବକ ୨୫ ତାରିଖ ଅପରାହ୍‌ଣରୁ ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତ୍‌ସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, […]
ପ୍ରବଳ ବର୍ଷା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial