ଭୁବନେଶ୍ୱର : ସ୍ୱିଗି ବୟ ସୁପ୍ରଭାସ ଓ ବଡ଼ଭାଇ ସୌମ୍ୟରଞ୍ଜନ ମାନ୍ଧାତାଙ୍କୁ ମହାବୀର ଫାଇନାନ୍ସର କର୍ମଚାରୀ ଓ ସେମାନଙ୍କ ଭଡ଼ାଟିଆ ଗୁଣ୍ଡା ଆକ୍ରମଣ କରିବା ଘଟଣାରେ ଭରତପୁର ପୁଲିସ ଗୁରୁବାର ଦୁଇ ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନେ ହେଲେ, ଜଗନ୍ନାଥ ବିହାର ଲେନ୍-୪ ନାରାୟଣ ସେଠୀ ଓରଫ ବାବୁ(୨୩) ଓ ବରମୁଣ୍ଡା ହାଉସିଂ ବୋର୍ଡ କଲୋନିର ରାଜକୁମାର ବାରିକ ଓରଫ ରାଜା(୨୩)। ପୁଲିସ ଉଭୟଙ୍କ ପାଖରୁ ଆକ୍ରମଣରେ ବ୍ୟବହୃତ ଧାରୁଆ କାତି ଜବତ କରିଛି। ଏହି ଘଟଣାରେ ପୂର୍ବରୁ ରାକେଶ ଗିରଫ ହୋଇସାରିଥିବା ବେଳେ ଏବେ ବି ସୁମା, ଅରୁଣ, ମିଲୁ ପ୍ରମୁଖ ୫ ଅପରାଧୀ ଫେରାର ଥିବା ଜଣାପଡ଼ିଛି।ମିଳିଥିବା ଖବର ମୁତାବକ, ଗତ ୨୬ ସେପ୍ଟେମ୍ବରରେ ମହାବୀର ଫାଇନାନ୍ସର କର୍ମଚାରୀ ତ୍ରୁଟିରେ ସ୍ବିଗି ବୟ ସୁପ୍ରଭାସର ଗାଡ଼ି ଛଡ଼ାଇବା ସହିତ ତାଙ୍କୁ ଗାଳିଗୁଲଜ କରିଥିଲେ। ଖବର ପାଇ ସୌମ୍ୟ ଘଟଣାସ୍ଥଳରେ ପହଞ୍ଚିବା ପରେ ଉଭୟଙ୍କୁ ଫାଇନାନ୍ସ କର୍ମଚାରୀ ଆକ୍ରମଣ କରିଥିଲେ। ପରେ ଭଡ଼ାଟିଆ ଗୁଣ୍ଡା ରାଜା ଓ ମିଲୁକୁ ଡାକି ଧାରୁଆ କାତିରେ ମୁଣ୍ଡକୁ ହାଣି ପକାଇଥିଲେ। ଆକ୍ରମଣ ହୋଇଥିବା ଫାୟାରଷ୍ଟେସନ୍ ଛକରେ ଥିବା ବିଭିନ୍ନ ଦୋକାନ ଓ ସିସିଟିଭି ଫୁଟେଜ୍କୁ ଆଧାର କରି ଅଭିଯୁକ୍ତ ଦ୍ବୟଙ୍କୁ ଗିରଫ କରାଯାଇଛି। ରାଜା ନାଁରେ ପୂର୍ବରୁ ଖଣ୍ଡଗିରି, ଭରତପୁର, ନୂଆପଲ୍ଲୀ ଭଳି ପ୍ରମୁଖ ଥାନାରେ ୫ରୁ ଅଧିକ ମାମଲା ଥିବା ବେଳେ ମିଲୁ ନାଁରେ ମଧ୍ୟ ଏକାଧିକ ଆପରାଧିକ ଅଭିଯୋଗ ଥିବା ପୁଲିସ ସ୍ପଷ୍ଟ କରିଛି। ପୂର୍ବରୁ ଗିରଫ ହୋଇଥିବା ରାକେଶ ସମେତ ବାବୁ ଓ ରାଜାର ଆସନ୍ତା ୭ଦିନ ମଧ୍ୟରେ ଟିଆଇ ପରେଡ୍ କରାଯିବ।
ସ୍ୱିଗି ବୟ ଓ ଭାଇଙ୍କୁ ଆକ୍ରମଣ ଘଟଣାରେ ୨ ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କଲା ପୁଲିସ : ଧାରୁଆ କାତି ଜବତ

Share Now: