ଭୁବନେଶ୍ବର: ମିଶନଶକ୍ତି ଗୋଷ୍ଠୀର ମହିଳାମାନଙ୍କୁ ଅଧିକ ସରକାରୀ କାମ ଦେବା ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଏନେଇ କୋଡ଼ିଏଟି ବିଭାଗର ସମୀକ୍ଷା ଅବସରରେ ମୁଖ୍ୟମନ୍ତ୍ରୀ ଏହି ପରାମର୍ଶ ଦେଇଛନ୍ତି। ବୈଠକରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର କହିଥିଲେ ଯେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁଯାୟୀ ରାଜ୍ୟ ସରକାରଙ୍କ ସବୁ ବିଭାଗ ମିଶନଶକ୍ତି ଗୋଷ୍ଠୀର ମା’ମାନଙ୍କୁ କାମ ଯୋଗାଇ ଦେବାପାଇଁ ଆଗାମୀ ୩ ବର୍ଷ ପାଇଁ ଆକ୍ସନ ପ୍ଲାନ ପ୍ରସ୍ତୁତ କରିଛନ୍ତି। ବୈଠକରେ ମିଶନଶକ୍ତି ବିଭାଗ କମିସନର-ତଥା-ସଚିବ ସୁଜାତା କାର୍ତ୍ତିକେୟନ୍ ବିଭିନ୍ନ ବିଭାଗର କାର୍ଯ୍ୟକ୍ରମ ସଂପର୍କରେ ଏକ ଉପସ୍ଥାପନା ରଖିଥିଲେ । ଏହି ଉପସ୍ଥାପନା ଅନୁଯାୟୀ ୧୩ଟି ବିଭାଗ ୨୦୨୦-୨୧ ଆର୍ଥିକ ବର୍ଷରେ ୧୦୪୭୧୨ଟି ମିଶନଶକ୍ତି ଗୋଷ୍ଠୀର ମହିଳାମାନଙ୍କୁ ପ୍ରାୟ ୧୨୦୦ କୋଟି ଟଙ୍କାର ବିଜିନେସ୍ ସରକାର ଯୋଗାଇ ଦେଇଛନ୍ତି। ମିସନ ଶକ୍ତି ଗୋଷ୍ଠୀର ମା’ମାନେ ୨୯୬ କୋଟି ଟଙ୍କାର ରୋଜଗାର ପାଇଛନ୍ତି।
ବୈଠକରେ ସବୁ ବିଭାଗ ଆଗାମୀ ୩ ବର୍ଷ ପାଇଁ ସେମାନଙ୍କର କାର୍ଯ୍ୟକ୍ରମ ସଂପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇଥିଲେ। ବ୍ୟାଙ୍କ ସୁବିଧା ନ ଥିବା ଗ୍ରାମପଞ୍ଚାୟତଗୁଡ଼ିକରେ ମିଶନଶକ୍ତିର ମା’ମାନଙ୍କୁ ବ୍ୟାଙ୍କ କରେସପଣ୍ଡେଣ୍ଟ ଭାବରେ ନିଯୁକ୍ତି ଦେବା ପାଇଁ ବୈଠକରେ ଗୁରୁତ୍ବ ଆରୋପ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ତୁରନ୍ତ କାର୍ଯ୍ୟକାରୀ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ରାଜ୍ୟର ୬୭୯୮ଟି ଗ୍ରାମ ପଞ୍ଚାୟତରୁ ମାତ୍ର ୨୧୪୯ଟି ଗ୍ରାମରେ ବ୍ୟାଙ୍କ ଶାଖା ରହିଛି। ବାକି ୪୬୪୯ଟି ଗ୍ରାମ ପଞ୍ଚାୟତରେ ବ୍ୟାଙ୍କ ଶାଖା ନାହିଁ। ଏହିସବୁ ପଞ୍ଚାୟତରେ ମିଶନଶକ୍ତି ଗୋଷ୍ଠୀର ମା ମାନଙ୍କୁ ବ୍ୟାଙ୍କ କରେସପଣ୍ଡେଣ୍ଟ ଭାବରେ ନିଯୁକ୍ତି ଦେବା ପାଇଁ ପ୍ରକ୍ରିୟ ଜାରି ରହିଛି। ବର୍ତ୍ତମାନ ସୁଦ୍ଧା ୧୨୬୨ଟି ମିଶନଶକ୍ତି ଗୋଷ୍ଠୀର ମା’ମାନଙ୍କୁ ନିଯୁକ୍ତି ଦିଆସରିଛି ଏବଂ ଆଉ ୩୫୦୮ଟି ମିସନ ଶକ୍ତି ଗୋଷ୍ଠୀର ମା’ମାନଙ୍କ ଚୟନ ପ୍ରକ୍ରିୟା ଜାରି ରହିଛି। ନିଯୁକ୍ତି ପାଇଥିବା ମିଶନଶକ୍ତି ଗୋଷ୍ଠୀର ମା’ମାନଙ୍କୁ ତାଙ୍କ ବିଜିନେସ୍ରେ ସହାୟତା କରିବା ପାଇଁ ପ୍ରାରମ୍ଭିକ ଭାବରେ ସରକାରଙ୍କ ପକ୍ଷରୁ ମାସକୁ ୨୦୦୦ ଟଙ୍କା ଲେଖାଏ ଯୋଗାଇ ଦିଆଯାଉଛି ବୋଲି ମିଶନଶକ୍ତି ସଚିବ ସୂଚନା ଦେଇଥିଲେ । ଟେକ୍ ହୋମ୍ ରାସନ, ଆହାର, ମାଛ ଚାଷ ଓ କୃଷି ଉତ୍ପାଦକ ଗୋଷ୍ଠୀ ଆଦି କାର୍ଯ୍ୟକ୍ରମରେ ମିଶନ ଶକ୍ତିର ମା’ମାନେ ଭଲ ପ୍ରଦର୍ଶନ କରିଛନ୍ତି ବୋଲି ଜଣାଯାଇଛି। କୃଷି ବିଭାଗ, ଶକ୍ତି ବିଭାଗ, ମତ୍ସ୍ୟ ଓ ପଶୁସଂପଦ ବିଭାଗ, ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ଆଦି ବିଭାଗର କାର୍ଯ୍ୟକ୍ରମକୁ ମୁଖ୍ୟମନ୍ତ୍ରୀ ପ୍ରଶଂସା କରି ଏହାକୁ ଆହୁରି ଆଗେଇ ନେବା ପାଇଁ ପରାମର୍ଶ ଦେଇଥିଲେ।
ମିଶନଶକ୍ତି ମହିଳାମାନଙ୍କୁ ଅଧିକ ସରକାରୀ କାମ ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

Share Now: