ନୂଆଦିଲ୍ଲୀ: କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ ବିପଦ ଦେଖାଦେବା ପରେ ଏହା ଉପରେ ନଜର ରଖିଥିବା କମିଟିର ବିଶେଷଜ୍ଞମାନେ ବୁଷ୍ଟର ଡୋଜକୁ ନେଇ କେନ୍ଦ୍ର ସରକାରଙ୍କୁ ପରାମର୍ଶ ଦେଇଛନ୍ତି। ବିଶେଷଜ୍ଞମାନେ ସରକାରଙ୍କୁ କହିଛନ୍ତି ଯେ, କରୋନାର ବଦଳୁଥିବା ରୂପ ଏବେ ଲୋକମାନଙ୍କୁ ଅଧିକ ବିପଦକୁ ଟାଣି ନେଇପାରେ। ତେଣୁ ଦେଶରେ ଥିବା ୪୦ ବର୍ଷରୁ ଅଧିକ ବୟସ୍କଙ୍କୁ କୋଭିଡ ଟିକାର ବୁଷ୍ଟର ଡୋଜ ଦେବାକୁ ସରକାର ବିଚାର କରିବାର ସମୟ ଆସିଛି। ବର୍ତ୍ତମାନ ସୁଦ୍ଧା ଭାରତରେ ୨ ଜଣଙ୍କଠାରେ କରୋନାର ଓମିକ୍ରନ ଭାରିଆଣ୍ଟ ଦେଖିବାକୁ ମିଳିଛି। ଆଇଏନଏସଏସିଓଜି ତାର ସପ୍ତାହିକ ବୁଲେଟିନରେ କହିଛି ଯେ, ଟିକା ନେଇ ନଥିବା ଲୋକଙ୍କୁ ତୁରନ୍ତ ଟିକା ଓ ୪୦ ବର୍ଷରୁ ଅଧିକ ବୟସ୍କଙ୍କୁ କୋଭିଡ ଟିକାର ବୁଷ୍ଟର ଡୋଜ ଦେବା ଉପରେ ସରକାର ବିଚାର କରନ୍ତୁ। ଏହାସହ ବୟସ୍କ ଓ ଗମ୍ଭୀର ଶାରୀରିକ ସମସ୍ୟା ଥିବା ରୋଗୀମାନଙ୍କୁ ଏନେଇ ପ୍ରାଥମିକତା ଦିଆଯାଉ ବୋଲି ବିଶେଷଜ୍ଞ ଟିମ୍ ସରକାରଙ୍କୁ ପରାମର୍ଶ ଦେଇଛନ୍ତି। ଆଇଏନଏସଏସିଓଜି ତାର ସାପ୍ତାହିକ ବୁଲେଟିନରେ କହିଛନ୍ତି ଯେ, ବର୍ତ୍ତମାନ ଓମିକ୍ରନକୁ ଚିହ୍ନଟ କରିବା ଜିନୋମ ସିକ୍ୟୁଏନସିଙ୍ଗକୁ ବଢ଼ାଇବାକୁ ହେବ। ଏହାସହ ସର୍ବାଧିକ ବିପଦ ସଂକୁଳ ଅଞ୍ଚଳ ଓ ବିଦେଶରୁ ଫେରୁଥିବା ଲୋକଙ୍କ ଉପରେ ସରକାର ସମ୍ପୂର୍ଣ୍ଣ ନଜର ରଖିବାର ଆବଶ୍ୟକତା ରହିଛି। ଉଲ୍ଲେଖଯୋଗ୍ୟ, ଆମେରିକା ଓ ବ୍ରିଟେନ ନିଜ ନିଜ ଦେଶରେ ୪୦ରୁ ଅଧିକ ବୟସ୍କ ଲୋକଙ୍କ ପାଇଁ ବୁଷ୍ଟର ଡୋଜକୁ ଅନୁମୋଦନ କରିସାରିଛନ୍ତି। ଆମେରିକାର ଶୀର୍ଷ ସଂକ୍ରାମକ ରୋଗ ବିଶେଷଜ୍ଞ ଆନ୍ଥୋନୀ ଫୋସି କହିଛନ୍ତି କି, ସର୍ବୋତ୍ତମ ସମ୍ଭାବ୍ୟ ସୁରକ୍ଷା ପ୍ରଦାନ କରିବା ପାଇଁ ସମ୍ପୂର୍ଣ୍ଣ ଟିକା ଦିଆଯାଇଥିବା ବୟସ୍କ ଲୋକଙ୍କୁ ବୁଷ୍ଟର ଡୋଜ ଦିଆଯିବା ଉଚିତ।
ଘାରିଲା ଓମିକ୍ରନ ଭୟ: ୪୦ବର୍ଷରୁ ଅଧିକଙ୍କୁ ଦିଆଯାଇପାରେ ବୁଷ୍ଟର ଡୋଜ

Share Now: