ଲକ୍ଷଣ ଲୁଚାଇ ବିପଦରେ ଗଞ୍ଜାମବାସୀ

ଲକ୍ଷଣ ଲୁଚାଇ ବିପଦରେ ଗଞ୍ଜାମବାସୀ-1

ଅକାଳରେ ଯାଉଛି ଜୀବନ, ଜ୍ୱର, ଥଣ୍ଡା ଓ କାଶ ମୃତ୍ୟୁର ହିସାବ ନାହିଁ

ବ୍ରହ୍ମପୁର : ଜ୍ୱର, ଥଣ୍ଡା, କାଶ ହେଲେ ଲୁଚାନ୍ତୁ ନାହିଁ। ଡାକ୍ତରୀ ପରାମର୍ଶ ଓ ଉପଯୁକ୍ତ ଚିକିତ୍ସା କରିବା ଲାଗି ଜିଲ୍ଲା ପ୍ରଶାସନ ପକ୍ଷରୁ ଗଞ୍ଜାମର ଜନସାଧାରଣଙ୍କୁ ବାରମ୍ବାର ସଚେତନ ଓ ଅନୁରୋଧ କରାଯାଉଛି। ୪ ମାସ ହେଲା କଟକଣା ଭିତରେ ଜୀବନ କାଟୁଥିବା ଗଞ୍ଜାମ ଲୋକେ କରୋନାକୁ ନେଇ ଏତେ ମାତ୍ରାରେ ଭୟଭୀତରେ ଜ୍ୱର, ଥଣ୍ଡା ହେଲେ କାହାକୁ ନ ଜଣାଇ ଲୁକ୍କାୟିତ ରଖୁଛନ୍ତି। ଔଷଧ ଦୋକାନ, କ୍ୱାକ୍ ଓ ବୈଦ୍ୟଠାରୁ ଔଷଧ ଖାଇ ସୁସ୍ଥ ହେବାକୁ ଚିନ୍ତା କରୁଛନ୍ତି। କିଛି ଦିନ ବିତିଯିବା ପରେ ଜ୍ୱର ଭୀଷଣ ରୂପ ନେଇ ଜୀବନ ନେଇଯାଉଛି। ଆକଳରେ ଗୋଟିଏ ପରେ ଗୋଟିଏ ଜୀବନ ଝଡ଼ିପଡ଼ୁଛି। ଜୁନ୍ ଏବଂ ଜୁଲାଇରେ ଜ୍ୱର, ଥଣ୍ଡା ଓ କାଶରେ ଜିଲ୍ଲାର କେତେ ଯେ ଜୀବନ ଗଲାଣି ଏହାର ହିସାବ କାହା ପାଖରେ ନାହିଁ। ଜିଲ୍ଲାର ପ୍ରତି ଗାଁରେ ଜ୍ୱର, ଥଣ୍ଡାରେ ଜଣେ ଦୁଇ ଜଣ ମୃତ୍ୟୁବରଣ କରିଥିବା କୁହାଯାଉଛି। ତେଣୁ ଜ୍ୱର, ଥଣ୍ଡା ଆଦି ହେବାକ୍ଷଣି ଡାକ୍ତରଙ୍କ ପରାମର୍ଶ ନେଇ ଉପଯୁକ୍ତ ଚିକିତ୍ସା କରିବା ଜରୁରୀ ହୋଇପଡ଼ିଛି।

ଋତୁର ପରିବର୍ତ୍ତନ ଏବଂ ମୌସୁମୀର ଆଗମନ ଯୋଗୁଁ ଜିଲ୍ଲାରେ ଜ୍ୱର, ଥଣ୍ଡା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଛି। କରୋନା ମହାମାରୀ ବ୍ୟାପିଥିବା ବେଳେ ଜ୍ୱର, ଥଣ୍ଡା ଓ କାଶ ହେବା କ୍ଷଣି ଲୋକେ ଭୟରେ ଥରୁଛନ୍ତି। ସହରାଂଚଳ ଓ ଗ୍ରାମାଞ୍ଚଳରେ ଥିବା ଔଷଧ ଦୋକାନ ଓ କ୍ୱାକ୍ ଠାରୁ ଔଷଧ ଖାଇ ଜ୍ୱର ଓ ଥଣ୍ଡା ଉପଶମ କରିବା ଲାଗି ଚେଷ୍ଟା କରୁଛନ୍ତି। ଯାହାର ପରିଣାମ ପରବର୍ତୀ ସମୟରେ ଉଗ୍ରରୂପ ନେଉଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଳାରେ ୩ ଥର ସ୍ୱାସ୍ଥ୍ୟ ଯାଞ୍ଚ କାର୍ଯ୍ୟକ୍ରମ କରିଛି। ଅଶା, ଅଙ୍ଗନୱାଡ଼ି କର୍ମୀ ଓ ସ୍ୱାସ୍ଥ୍ୟଟିମ୍ ଘର ଘର ବୁଲି ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ସ୍ୱାସ୍ଥ୍ୟ ଯାଞ୍ଚ କରିଛନ୍ତି। ଏହି ଯାଞ୍ଚ ବେଳେ କିଛି ଅଞ୍ଚଳରେ ଲୋକେ ଯାଂଚକୁ ସାମ୍ନା ନ କରିବା ଓ ଲକ୍ଷଣକୁ ଲୁଚାଇବା ଯୋଗୁ ବହୁତ ମାମଲା ପଦାକୁ ଆସିପାରିନାହିଁ। ଜିଲ୍ଲା ପ୍ରଶାସନ ତିନିତିନ ଥର ସ୍ୱାସ୍ଥ୍ୟଯାଞ୍ଚ ବିଶେଷ ଫଳପ୍ରଦ ହୋଇପାରିନାହିଁ। ଲୋକମାନେ ଲକ୍ଷଣ ଲୁଚାଇବା ପଛରେ କୋଭିଡ଼୍ ପରୀକ୍ଷାର ଭୟ ରହୁଛି। ଯଦି ପଜିଟିଭ ବାହାରିବ କୋଭିଡ଼୍ ହସ୍ପିଟାଲ ଯିବାକୁ ପଡ଼ିବ ଏହି ଭୟ ଲୋକଙ୍କୁ ଘାରୁଛି। ଲକ୍ଷଣ ଲୁଚାଇ ଜ୍ୱରରେ ପ୍ରତିଦିନ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ କିଛି ନା କିଛି ଲୋକ ମୃତ୍ୟୁ ବରଣ କରୁଛନ୍ତି। ଯଦି ଏକ ନମୁନା ଭାବେ ଜିଲ୍ଲାର ବେଲଗୁଣ୍ଠା ବ୍ଲକ ଓ ଏନ୍ଏସିକୁ ନେବା ତେବେ ଏହି ଇଲାକାରେ ଚଳିତ ମାସରେ ୫୦ଜଣଙ୍କ ଅସ୍ୱାଭାବିକ ମୃତ୍ୟୁ ଘଟିଛି। ଏଥିମଧ୍ୟରୁ ୯୦ ପ୍ରତିଶତ ଜ୍ୱର, ଥଣ୍ଡା ଓ କାଶରେ ମରିଛନ୍ତି। କାହାର ବି କୋଭିଡ଼୍ ଟେଷ୍ଟ ହୋଇନାହିଁ । ଡାକ୍ତରଖାନା ଯାଇ ଉପଯୁକ୍ତ ଚିକିତ୍ସା ବି ହୋଇନାହାନ୍ତି। ଜିଲ୍ଲାର ଗୋଟିଏ ବ୍ଲକର ସ୍ଥିତି ଏଭଳି ହୋଇଥିବା ବାକି ୨୧ଟି ବ୍ଲକର ସ୍ଥିତି କିଭିଳି ହୋଇଥିବ ଏଥିରୁ ଜଳଜଳ ଜଣାପଡୁଛି। ଚଳିତମାସରେ ଶେରଗଡ଼ ବ୍ଲକ ବ୍ରହ୍ମାଣ ଛାଇ ଗାଁର ୫ଜଣ, କବିସୂର୍ଯ୍ୟନଗର ଏନ୍ଏସିର ୬ଜଣଙ୍କ ମୃତୁ୍ୟ ଓ ବ୍ରହ୍ମପୁର ସହରର ଶ୍ରୀରାମ ନଗର ସାହିରେ ଦିନକରେ ୪ଜଣଙ୍କର ମୃତ୍ୟୁ ଘଟିଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏହି ମୃତ୍ୟୁର ହିସାବ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଓ ଜିଲ୍ଲା ପ୍ରଶାସନ ପାଖରେ ବି ନ ଥିବା କୁହାଯାଉଛି । ଏହି ମୃତକଙ୍କ ତାଲିକା କୌଣସି ହସ୍ପିଟାଲରେ ନାହିଁ ସନ୍ଦିଗ୍ଧ କୋଭିଡ଼୍ ରୋଗୀ ତାଲିକାରେ ନାହିଁ। ତେଣୁ ଜିଲ୍ଲାରେ ଜ୍ୱର, ଥଣ୍ଡା ଓ କାଶରେ ଏ ପର୍ଯ୍ୟନ୍ତ କେତେ ଜଣଙ୍କ ମୃତ୍ୟୁ ଘଟିଲାଣି ତାହାର ହିସାବ ନାହିଁ ବୋଲି କୁହାଯାଉଛି। ଏହି ମୃତ୍ୟୁ ଯେହେତୁ ହିସାବ ନାହିଁ ଏହି ମୃତ୍ୟୁ ପ୍ରତି ସମସ୍ତେ ଏକରକମ ଆଖି ବୁଜି ଦେଇଛନ୍ତି। ତେଣୁ ଏ ସ୍ଥିତି ସୁଧାର ଆଣିବା ଲାଗି ଜିଲ୍ଲା ପ୍ରଶାସନରେ ଯେତିକି ଦାୟିତ୍ୱ ରହିଛି ତା’ଠାରୁ ଲୋକମାନେ ଅଧିକ ଗୁରୁ ଦାୟିତ୍ୱ ରହିଛି । ଘରେ ପାଣି ପଶି ଆଣ୍ଠୁଏ ହେଲାଣି, ଏଭଳି ସ୍ଥିତିରେ ଲକ୍ଷଣକୁ ନ ଲୁଚାଇ ନିଜେ ବଞ୍ଚିବା ସହ ସମସ୍ତଙ୍କ ବଞ୍ଚାଇବାର ସମସ୍ତେ ସଙ୍କଳ୍ପ ନେବାର ସମୟ ଆସିଛି।
କରୋନା ପ୍ରକୋପ ଯୋଗୁଁ ବ୍ରହ୍ମପୁର ବଡଡାକ୍ତରଖାନା ଓପିଡ଼ି ବନ୍ଦ ରହିଛି। କେବଳ ଜରୁରୀକାଳନୀ ସେବା ଉପଲବ୍ଧ ଅଛି। ଗ୍ରାମାଂଚଳରେ ଥିବା ସ୍ୱାସ୍ଥ୍ରକେନ୍ଦ୍ର ଗୁଡ଼ିକରେ ଜ୍ୱର, ଥଣ୍ଡା, କାଶ ରୋଗୀ ଆସିବା କ୍ଷଣି ଡାକ୍ତର ଚିକିତ୍ସା କରିବାକୁ ଡରୁଛନ୍ତି। କେତେକ କ୍ଷେତ୍ରରେ ସ୍ୱାସ୍ଥ୍ରକେନ୍ଦ୍ର ଗୁଡ଼ିକରେ ଉପଯୁକ୍ତ ଚିକିତ୍ସା ସୁବିଧା ମିଳିପାରୁନି। ଜ୍ୱର, ଥଣ୍ଡା ଓ କାଶରେ ପୀଡ଼ିତ ବ୍ୟକ୍ତି ଉପଯୁକ୍ତ ଚିକିତ୍ସା କରିବା ଲାଗି ଚାହିଁଲେ ବି କରିବା କାଠିକର ପାଠ ହୋଇପଡ଼ୁଛି। ଅନ୍ୟପକ୍ଷରେ ଶ୍ୱାସ,ଉଚ୍ଚ ରକ୍ତଚାପ ଓ ମଧୁମେହ ରୋଗରେ ପୀଡ଼ିତ ବ୍ୟକ୍ତି ବି ଉପଯୁକ୍ତ ଚିକିତ୍ସା ଅଭାବରୁ ମୃତ୍ୟୁ ବରଣ କରୁଛନ୍ତି। ଏଦିଗରେ ଜିଲ୍ଲା ପ୍ରଶାସନ ବି ପଦକ୍ଷେପ ନେବାର ଆବଶ୍ୟକତା ରହିଛି। ବ୍ରହ୍ମପୁର ସହରରେ ଯେଭଳି ୮ଟି ଫିଭର କ୍ଲିନିକ ଖୋଲାଯାଇଛି ସେହିପରି ପ୍ରତି ପଂଚାୟତ ସ୍ତରରେ ସପ୍ତାହ ଅନ୍ୟୁନ ଦୁଇରୁ ତିନି ଫିଭର କ୍ଲନିକ ଖୋଲାଯିବାର ଆବଶ୍ୟକତା ରହିଛି। ଆୟୁଷ ଓ ହୋମିଓପାଥି ଡାକ୍ତରଙ୍କୁ ଉପଯୁକ୍ତ ଦରମା ଦେଇ ଗାଁ ଗାଁରେ ନିୟୋଜିତ କରିବା ଆବଶ୍ୟକ ରହିଛି। ଗର୍ଭବତୀ ମହିଳା ଓ ଛୋଟ ଶିଶୁଙ୍କ ସଂପର୍କରେ ଆଶା ଓ ଅଙ୍ଗନବାଡ଼ି କର୍ମୀମାନେ ଯେଭଳି ଯୁଦ୍ଧକାଳନୀ ଭିତ୍ତିରେ ତଥ୍ୟ ସଂଗ୍ରହ କରୁଛନ୍ତି ସେଭଳି ଲକ୍ଷଣଯୁକ୍ତ ଲୋକଙ୍କ ସମ୍ପର୍କରେ ମଧ୍ୟରେ ତଥ୍ୟ ସଂଗ୍ରହ କରିବା ଜରୁରୀ ହୋଇପଡ଼ିଛି। କୋଭିଡ଼୍ ମନିଟରମାନଙ୍କୁ ଆର୍ଥିକ ପ୍ରୋତ୍ସାହନ ଦେଇ ସେମାନଙ୍କ କାର୍ଯ୍ୟାଧାରା ବି ଅଧିକ କ୍ରିୟାଶୀଳ କରିବାର ଆବଶ୍ୟକତା ରହିଛି।

Share Now:

Kalinga News Beuro

Next Post

ରାହୁଲଙ୍କ ବୟାନକୁ ନେଇ କଂଗ୍ରେସରେ ଅଶାନ୍ତି

Tue Jul 28 , 2020
ସିନିଅର-ଜୁନିଅର ଲଢ଼େଇକୁ ନେଇ ଚର୍ଚ୍ଚା ନୂଆଦିଲ୍ଲୀ: ପ୍ରଥମେ ମଧ୍ୟ ପ୍ରଦେଶରେ ଜ୍ୟୋତିରାଦିତ୍ୟ ସିନ୍ଧିଆ ଏବଂ ଏବେ ରାଜସ୍ଥାନରେ ସଚିନ ପାଇଲଟଙ୍କ ବିଦ୍ରୋହ କଂଗ୍ରେସକୁ ଯେତେ ଅଡ଼ୁଆରେ ପକାଇଥିଲା କଂଗ୍ରେସ ପାଇଁ ତାହାଠରୁ ଅଧିକ ଅପ୍ରୀତିକର ପରିସ୍ଥିିତି ସୃଷ୍ଟି କରିଛି ରାହୁଲଙ୍କ ମନ୍ତବ୍ୟ। ଚୀନ ସମ୍ପର୍କରେ ମୋଦୀ ସରକାରକୁ ଟାର୍ଗେଟ କରିବାକୁ ଯାଇ ରାହୁଲ ଏଭଳି ଏକ ମନ୍ତବ୍ୟ ଦେଇଛନ୍ତି ଯାହାକି ତାଙ୍କ ଦଳ ଭିତରେ ରହିଥିବା ମତଭେଦକୁ ପଦାରେ ପକାଇ […]
ରାହୁଲଙ୍କ ବୟାନକୁ ନେଇ କଂଗ୍ରେସରେ ଅଶାନ୍ତି

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial