ନୂଆଦିଲ୍ଲୀ : ବିଶ୍ବର ୯୫ଟି ଦେଶରେ ମିଳିପାରିବ ଆମେରିକୀୟ ଫାର୍ମା କମ୍ପାନି ଫାଇଜର ଦ୍ବାରା ପ୍ରସ୍ତୁତ କରୋନା ଔଷଧ। ଏଥିପାଇଁ ଫାଇଜର ଜାତିସଂଘ ଅନୁବନ୍ଧିତ ଏକ ସଂସ୍ଥା ସହ ଚୁକ୍ତି କରିଛି। ଜେନିଭା ଭିତ୍ତିକ ଏହି ସଂସ୍ଥା ହେଉଛି ମେଡିସିନ୍ସ ପ୍ୟାଟେଣ୍ଟ ପୁଲ୍। ଏହି ଚୁକ୍ତି ଫଳରେ ଅନ୍ୟ ଔଷଧ ଉତ୍ପାଦକମାନେ ଏହି ଔଷଧର ଉତ୍ପାଦନ କରିପାରିବେ ଓ ବିଶ୍ବର ୯୫ଟି ଗରିବ ଓ ବିକାଶଶୀଳ ଦେଶରେ ବିକ୍ରି କରିପାରିବେ। ଏହି ଚୁକ୍ତିକୁ ଏକ ଉଲ୍ଲେଖନୀୟ ଘଟଣା ବୋଲି କୁହାଯାଉଛି, କାରଣ ଏହା ଦ୍ବାରା ବିଶ୍ବର ପ୍ରାୟ ଅର୍ଦ୍ଧେକ ଜନସଂଖ୍ୟା ନିକଟକୁ କରୋନା ଔଷଧ ପହଞ୍ଚିପାରିବ। ଏହି ଚୁକ୍ତି ସଂପର୍କରେ ଫାଇଜର ପକ୍ଷରୁ କୁହାଯାଇଛି ଯେ ମେଡିସିନ୍ସ ପ୍ୟାଟେଣ୍ଟ ପୁଲ୍ ସହ ହୋଇଥିବା ଚୁକ୍ତି ଅନୁସାରେ ଏହି ସଂସ୍ଥା ବିଶ୍ବର ବିଭିନ୍ନ ଜେନେରିକ ଔଷଧ ଉତ୍ପାଦକଙ୍କୁ କରୋନା ଔଷଧର ଉତ୍ପାଦନ ପାଇଁ ଲାଇସେନ୍ସ ପ୍ରଦାନ କରିବ। ଏହା ଦ୍ବାରା ବିଶ୍ବର ପ୍ରାୟ ୫୩ ପ୍ରତିଶତ ଜନସଂଖ୍ୟା ନିକଟକୁ କରୋନା ଔଷଧ ପହଞ୍ଚିପାରିବ। ତେବେ ଋଷିଆ, ଚୀନ ପ୍ରଭୃତି କେତେକ ବୃହତ ରାଷ୍ଟ୍ରଗୁଡ଼ିକୁ ଏହି ଚୁକ୍ତିରୁ ବାଦ ଦିଆଯାଇଛି। ଫାଇଜର ପକ୍ଷରୁ ପ୍ରସ୍ତୁତ ଏହି କରୋନା ଔଷଧର ନାଁ ରଖାଯାଇଛି ପାକ୍ସଲୋଭିଡ୍। ଏହି ଔଷଧ ସେବନ କଲେ କରୋନା ରୋଗ ଗୁରୁତର ସ୍ତରକୁ ଯାଏ ନାହିଁ ଓ ରୋଗୀକୁ ହସପିଟାଲରେ ଚିକିତ୍ସିତ ହେବାକୁ ପଡେ ନାହିଁ। କ୍ଲିନିକାଲ ପରୀକ୍ଷଣରେ ଏହି ଔଷଧ ୮୯ ପ୍ରତିଶତ ପ୍ରଭାବି ବୋଲି କମ୍ପାନି ଦାବି କରିଛି।
ଫାଇଜର କମ୍ପାନୀର “ପାକ୍ସଲୋଭିଡ୍” ୯୫ଟି ଦେଶରେ ଉତ୍ପାଦନ ଓ ବିକ୍ରି ହେବ

Share Now: