ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନବେଳେ ସାରା ରାଜ୍ୟରେ ଘଟିଥିବା ନିର୍ବାଚନୀ ହିଂସାକୁ ନେଇ ବିଜେପି , ବିଜେଡି ଓ କଂଗ୍ରେସ ମୁହାଁମୁହିଁ ହୋଇଛନ୍ତି। ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି କହିଛନ୍ତି ଯେ ନିର୍ବାଚନ ସମୟରେ ହୋଇଥିବା ବ୍ୟାପକ ହିଂସାକାଣ୍ଡର ତଥ୍ୟ ପ୍ରମାଣ ନିର୍ବାଚନ କମିଶନଙ୍କୁ ଦିଆଯାଇଛି। କମିଶନ ଶାନ୍ତି ଶୃଙ୍ଖଳାର ସହ ନିର୍ବାଚନ କରିବା ପାଇଁ ନାଗରିକଙ୍କୁ ନିଶ୍ଚିତ କରିବା ଦରକାର। ହିଂସାକାଣ୍ଡକୁ କେମିତି ରୋକିବେ ସେ ନେଇ ନିର୍ବାଚନ କମିଶନ ପଦକ୍ଷେପ ନିଅନ୍ତୁ। ଆଇନ ଶୃଙ୍ଖଳା ରକ୍ଷା କରିବା ପୁଲିସ ପ୍ରଶାସନର ଦାୟିତ୍ୱ। ଯିଏ ବି ହିଂସାକାଣ୍ଡରେ ସମ୍ପୃକ୍ତ ତାଙ୍କୁ ଦଣ୍ଡ ମିଳୁ ବୋଲି ବିଜେପି ଦାବି କରିଛି। ପ୍ରଥମ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନରେ ବ୍ୟାପକ ଅନିୟମିତତା ହୋଇଛି। ଭୋଟ କେନ୍ଦ୍ରରେ ସରକାରୀ କଳକୁ ଅପବ୍ୟବହାର କରାଯାଇଛି। ପ୍ରିଜାଇଡ଼ିଂ ଅଫିସରମାନେ ଶାସକ ଦଳ କର୍ମୀ ଭଳି କାମ କରିଛନ୍ତି।
ଏହାକୁ ନେଇ ବିଜେଡି ମୁଖପାତ୍ର ସସ୍ମିତ ପାତ୍ର କହିଛନ୍ତି ଯେ ନିର୍ବାଚନ ହାରିବା ଭୟରେ ବିଜେପି ଏଭଳି ଅଭିଯୋଗ କରୁଛି। ବିଜେଡି ସବୁବେଳେ ଅହିଂସାକୁ ବିଶ୍ୱାସ କରେ। ନିର୍ବାଚନରେ ହିଂସାର ସ୍ଥାନ ନାହିଁ। ଓଡିଶା ଭଳି ଶାନ୍ତିପ୍ରିୟ ରାଜ୍ୟରେ ହିଂସାର ସ୍ଥାନ ନାହିଁ। ବିଜେପି ନେତା ଓ କର୍ମୀମାନେ ରକ୍ତମୁଖା ପାଲଟିଛନ୍ତି। ବିଜେଡି ବିରୋଧରେ ଅଭିଯୋଗ ଆଣିବା ବିଜେପିର ଅଭ୍ୟାସ, ତେଣୁ ତଥ୍ୟ ଓ ପ୍ରମାଣ ଥିଲେ କୋର୍ଟକୁ ଦିଅନ୍ତୁ ବୋଲି ସାଂସଦ ସସ୍ମିତ ପାତ୍ର କହିଛନ୍ତି। ସେହିପରି କଂଗ୍ରେସ ନେତା ତଥା ଜଟଣୀ ବିଧାୟକ ସୁର ରାଉତରାୟ କହିଛନ୍ତି ଯେ ଏ ନିର୍ବାଚନ ଠିକରେ ଚାଲୁନି। ପ୍ରତି ଗାଁରେ ମିଟିଂ ଆଉ ଇଟିଂ ଚାଲିିଛି। ମଦ ବଣ୍ଟାହେଉଛି, ଟଙ୍କା ବଣ୍ଟାହେଉଛି। ଏ ନିର୍ବାଚନରେ ଗଣତନ୍ତ୍ରକୁ ହତ୍ୟା କରାଯାଉଛି ବୋଲି ସୁର କହିଛନ୍ତି।
ନିର୍ବାଚନୀ ହିଂସାକୁ ନେଇ ପରସ୍ପର ବିରୋଧରେ ଅଭିଯୋଗ ଆଣିଲେ ବିଜେପି-ବିଜେଡି ଓ କଂଗ୍ରେସ

Share Now: