ନୂଆଦିଲ୍ଲୀ : ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆଜି ଚଳିତ ବର୍ଷର ପଦ୍ମ ପୁରସ୍କାର ପ୍ରଦାନ କରିଛନ୍ତି। ରାଷ୍ଟ୍ରପତି ଭବନରେ ଅନୁଷ୍ଠିତ ଏକ ସ୍ୱତନ୍ତ୍ର ସମାରୋହରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରିଥିବା ବ୍ୟକ୍ତିମାନଙ୍କୁ ଏହି ପୁରସ୍କାର ପ୍ରଦାନ କରିଛନ୍ତି। ଗତ ବର୍ଷ ହେଲିକପ୍ଟର ଦୁର୍ଘଟଣାରେ ପ୍ରାଣ ହରାଇଥିବା ଦେଶର ପ୍ରଥମ ସିଡିଏସ ଜେନେରାଲ ବିପିନ ରାୱତଙ୍କୁ ମରଣୋତ୍ତର ଭାବେ ପଦ୍ମ ବିଭୂଷଣ ପ୍ରଦାନ କରାଯାଇଛି। ଜେନେରାଲ ରାୱତଙ୍କ ଦୁଇ ଝିଅ କୃତ୍ତିକା ଓ ତାରିଣି ଏହି ପୁରସ୍କାର ଗ୍ରହଣ କରିଛନ୍ତି। ବରିଷ୍ଠ କଂଗ୍ରେସ ନେତା ଗୁଲାମ ନବି ଆଜାଦ ପଦ୍ମ ଭୁଷଣ ପୁରସ୍କାର ଗ୍ରହଣ କରିଛନ୍ତି। ସେହିପରି ସେରମ ଇନଷ୍ଟିଚ୍ୟୁଟର ଏମଡି ସାଇରସ୍ ପୁନାଓ୍ବାଲା ମଧ୍ୟ ପଦ୍ମ ଭୁଷଣ ପୁରସ୍କାର ଗ୍ରହଣ କରିଛନ୍ତି। ବିଭିନ୍ନ କ୍ଷେତ୍ରରେ ଶୀର୍ଷ ସଫଳତା ଲାଭ କରିଥିବା ଓଡ଼ିଶାର ୭ ଜଣ ପରିଚିତ ବ୍ୟକ୍ତିତ୍ବଙ୍କୁ ପଦ୍ମ ପୁରସ୍କାର ପ୍ରଦାନ କରାଯାଇଛି। ବିଶିଷ୍ଟ ସାହିତ୍ୟିକ ଡ. ପ୍ରତିଭା ରାୟଙ୍କୁ ପଦ୍ମଭୂଷଣ ପ୍ରଦାନ କରାଯାଇଛି। ସେହିପରି କ୍ରୀଡ଼ାବିତ ପ୍ରମୋଦ ଭଗତ (କ୍ରୀଡ଼ା), ଶ୍ରୀମଦ ବାବା ବଳିଆ (ସମାଜ ସେବା), ଆଦିତ୍ୟ ପ୍ରସାଦ ଦାସ (ବିଜ୍ଞାନ ଓ ଇଂଜିନିୟରିଂ), ଶ୍ୟାମାମଣି ଦେବୀ ( କଳା) ଓ ନୃସିଂହ ପ୍ରସାଦ ଗୁରୁ (ସାହିତ୍ୟ ଓ ଶିକ୍ଷା)ଙ୍କୁ ପଦ୍ମଶ୍ରୀ ସମ୍ମାନ ଗ୍ରହଣ କରିଛନ୍ତି। ଗତ ବର୍ଷ କରୋନା ଆକ୍ରାନ୍ତ ହୋଇ ପ୍ରାଣ ହରାଇଥିବା ଓଡ଼ିଆ ଆଇଏଏସ ଅଧିକାରୀ ଗୁରୁପ୍ରସାଦ ମହାପାତ୍ରଙ୍କୁ ମରଣୋତ୍ତରଭାବେ ପଦ୍ମଶ୍ରୀ ପୁରସ୍କାର ଦିଆଯାଇଛି। ଏହି ପୁରସ୍କାର ପ୍ରଦାନ ସମାରୋହରେ ଉପରାଷ୍ଟ୍ରପତି ଭୈଙ୍କିଆ ନାଇଡୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହା ଉପସ୍ଥିତ ଥିଲେ। ଗତ ଜାନୁଆରି ୨୫ ସଂଧ୍ୟାରେ କେନ୍ଦ୍ର ସରକାର ପଦ୍ମ ପୁରସ୍କାର ଲାଗି ମନୋନୀତ ବ୍ୟକ୍ତିଙ୍କ ନାମ ଘୋଷଣା କରିଥିଲେ। ଚଳିତ ବର୍ଷ ମୋଟ ୪ ଜଣଙ୍କୁ ପଦ୍ମ ବିଭୂଷଣ, ୧୭ ଜଣଙ୍କୁ ପଦ୍ମ ଭୂଷଣ ଓ ୧୦୭ ଜଣଙ୍କୁ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ ଲାଗି ଘୋଷଣା କରାଯାଇଥିଲା।
ପଦ୍ମ ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି : ଜେନେରାଲ ବିପିନ ରାୱତଙ୍କୁ ମରଣୋତ୍ତର ଭାବେ ପଦ୍ମ ବିଭୂଷଣ

Share Now: