ନୂଆଦିଲ୍ଲୀ : ଚଳିତ ବର୍ଷ ଅଗଷ୍ଟ-ସେପ୍ଟେମ୍ବର ସୁଦ୍ଧା ୫-ଜି ନେଟଓ୍ବାର୍କ ସ୍ଥାପନ କାର୍ଯ୍ୟ ଆରମ୍ଭ ହେବ ଓ ବର୍ଷ ଶେଷସୁଦ୍ଧା ଦେଶର ୨୦-୨୫ଟି ସହରରେ ୫-ଜି ସେବା ଆରମ୍ଭ ହେବ ବୋଲି କେନ୍ଦ୍ର ଟେଲିକମ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ କହିଛନ୍ତି। ଟିଭି-୯ ପକ୍ଷରୁ ଆୟୋଜିତ ଏକ ସମ୍ମିଳନୀରେ ଯୋଗ ଦେଇ ସେ କହିଛନ୍ତି ଯେ, ବିଶ୍ବର ଅନ୍ୟ ଦେଶ ତୁଳନାରେ ଭାରତରେ ଗ୍ରାହକମାନେ ଅପେକ୍ଷାକୃତ ଶସ୍ତାରେ ୫-ଜି ସେବା ପାଇପାରିବେ। ଭାରତରେ ଡାଟା ମୂଲ୍ୟ ସମଗ୍ର ବିଶ୍ବରେ ସର୍ବନିମ୍ନ। ବିଶ୍ବରେ ଡାଟା ମୂଲ୍ୟ ହାରାହାରି ୨୫ ଡଲାର ଥିବାବେଳେ ଭାରତରେ ତାହା ମାତ୍ର ୨ ଡଲାର ରହିଛି। ୫-ଜି ସେବା କ୍ଷେତ୍ରରେ ବି ଏହି ଶସ୍ତା ଦର ଲାଗୁ ରହିବ। ସେ କହିଛନ୍ତି ଯେ ଭାରତ ସ୍ବଦେଶୀ ଜ୍ଞାନକୌଶଳରେ ୫-ଜି ଟେକନଲୋଜୀ ଓ ଉପକରଣର ବିକାଶ କରିଛି। ଭାରତର ଏହି ଟେକନଲୋଜୀକୁ ବ୍ୟବହାର କରିବାକୁ ବିଶ୍ବର ଅନ୍ୟ କେତେକ ଦେଶ ଆଗ୍ରହ ପ୍ରକାଶ କରିଛନ୍ତି। ସୂଚନାଯୋଗ୍ୟ ଯେ, ଗତ ୧୫ ତାରିଖରେ କେନ୍ଦ୍ର କ୍ୟାବିନେଟ୍ ଦେଶରେ ୫-ଜି ସ୍ପେକ୍ଟ୍ରମ ନିଲାମକୁ ସବୁଜ ସଂକେତ ଦେଇଥିଲା। ଏହି ସ୍ପେକ୍ଟ୍ରମ୍ ୨୦ ବର୍ଷ ଅବଧି ପାଇଁ ଦିଆଯିବ। ପ୍ରାଇଭେଟ୍ କ୍ୟାପ୍ଟିଭ୍ ନେଟ୍ୱର୍କ ପାଇଁ ମଧ୍ୟ ସ୍ପେକ୍ଟ୍ରମ୍ ନିଲାମ କରାଯିବ। ଜୁଲାଇ ମାସ ଶେଷ ସୁଦ୍ଧା ୭୨୦୯୭.୮୫ ମେଗାହର୍ଜ ସ୍ପେକ୍ଟ୍ରମ୍ ନିଲାମ ପାଇଁ ଉପଲବ୍ଧ କରାଯିବ।
ଭାରତରେ ଶସ୍ତାରେ ଉପଲବ୍ଧ ହେବ ୫-ଜି ସେବା : ବୈଷ୍ଣବ

Share Now: