ବିଶାଖାପାଟଣା : ଆନ୍ଧ୍ରପ୍ରଦେଶରେ ଏକ ଅଜବ ଘଟଣା ଘଟିଛି। ଜଣେ ନିଖୋଜ ଯୁବତୀଙ୍କ ମୃତଦେହକୁ ନୌସେନା ସମୁଦ୍ରରେ ଖୋଜୁଥିବା ବେଳେ ସେ ଆଉ ଏକ ସ୍ଥାନରେ ନିଜ ବୟଫ୍ରେଣ୍ଡଙ୍କ ସହ ବୁଲୁଥିବା ବେଳେ ଧରାପଡ଼ିଛନ୍ତି। ମିଳିଥିବା ସୂଚନା ଅନୁସାରେ ୨୩ ବର୍ଷ ବୟସ୍କା ଉକ୍ତ ବିବାହିତା ଯୁବତୀ ଗତ ସୋମବାରଦିନ ନିଜ ସ୍ବାମୀଙ୍କ ସହ ବିଶାଖାପାଟଣା ବୁଲିବାକୁ ଆସିଥିଲେ। ପ୍ରଥମେ ସିଂହାଚଳମ ମନ୍ଦିରରେ ଦର୍ଶନ କରିବା ପରେ ସେମାନେ ସମୁଦ୍ର କୂଳ ବୁଲିବାକୁ ଯାଇଥିଲେ। ବୁଲୁଥିବାବେଳେ ସ୍ବାମୀଙ୍କ ମୋବାଇଲକୁ ଏକ କଲ ଆସିଲା। ସେ ନିଜ ଫୋନକଲରେ ବ୍ୟସ୍ତ ଥିବାବେଳେ ପତ୍ନୀ ସେଲଫି ନେଉଥିଲେ। କିନ୍ତୁ ଫୋନ କଲ ସାରି ସ୍ବାମୀ ଫେରିବା ପରେ ତାଙ୍କ ପତ୍ନୀ ଆଉ ନଥିଲେ। ଏଣେ ତେଣେ ଖୋଜିବା ପରେ ସେ ମିଳିନଥିଲେ। ତାଙ୍କର ସଂଦେହ ହେଲା ଯେ ସେ ସମୁଦ୍ରରେ ବୁଡ଼ି ଯାଇଛନ୍ତି। ଏ ସଂପର୍କରେ ତାଙ୍କ ସ୍ବାମୀ ପୁଲିସକୁ ଜଣାଇଥିଲେ। ପରେ ପୁଲିସର ଅନୁରୋଧ କ୍ରମେ ନୌସେନା, କୋଷ୍ଟଗାର୍ଡ ଆଦି ସମୁଦ୍ରରେ ତାଙ୍କୁ ଖୋଜିବା ଆରମ୍ଭ କରିଦେଲେ। ପ୍ରାୟ ୩୬ ଘଣ୍ଟା ଧରି ଗଭୀର ସମୁଦ୍ରରେ ଖୋଜା ଖୋଜି କରିବାରେ ନୌସେନାର ପ୍ରାୟ ୧ କୋଟି ଟଙ୍କା ଖର୍ଚ୍ଚ ହୋଇଗଲା। ପରେ ଏହି ଘଟଣାରେ ଏକ ନାଟକୀୟ ମୋଡ଼ ଆସିଥିଲା। ନିଜେ ଯୁବତୀ ନିଜ ମାଙ୍କୁ ମେସେଜ କରି ଜଣାଇଲେ ଯେ ସେ ନିଜ ବୟଫ୍ରେଣ୍ଡଙ୍କ ସହ ନେଲୋର ପଳାଇଆସିଛନ୍ତି। ଏହା ପରେ ହିଁ ଘଟଣାର ରହସ୍ୟ ଜଣାପଡ଼ିଥିଲା।
ନିଖୋଜ ଯୁବତୀଙ୍କ ପାଇଁ ନୌସେନାର ଖର୍ଚ୍ଚ ହେଲା ୧ କୋଟି : ସେ ମିଳିଲେ ବୟଫ୍ରେଣ୍ଡ୍ ସହ

Share Now: