ବେଜିଂ : ତାଇଓ୍ବାନ ଉପକୂଳରେ ବୃହତ ସମରାଭ୍ୟାସ କରିବା ପରେ ଚୀନ ସରକାର ଏକ ଶ୍ବେତପତ୍ର ପ୍ରକାଶ କରିଛନ୍ତି। ଏହାର ଶୀର୍ଷକ ରହିଛି “ତାଇଓ୍ବାନ ପ୍ରଶ୍ନ ଓ ନୂଆ ଯୁଗରେ ଚୀନର ଏକୀକରଣ“। ଏହି ଶ୍ବେତପତ୍ରରେ ଚୀନ ପକ୍ଷରୁ ସ୍ପଷ୍ଟ କରିଦିଆଯାଇଛି ଯେ, ତାଇଓ୍ବାନ ପ୍ରଶ୍ନର ସମାଧାନ ଓ ଚୀନର ସଂପୂର୍ଣ୍ଣ ଏକୀକରଣକୁ ସାକାର କରିବା ଚୀନବାସୀଙ୍କ ସ୍ବପ୍ନ ରହିଆସିଛି। ଚୀନର ପୁନରୁତଥାନ ପାଇଁ ଚୀନର ସଂପୂର୍ଣ୍ଣ ଏକୀକରଣ ଜରୁରୀ। ପୁରୁଣା କାଳରୁ ତାଇଓ୍ବାନ ଚୀନର ଏକ ଅଂଶ ଭାବେ ରହିଆସିଛି ଓ ଇତିହାସ ଏହା କହୁଛି। ଏହି ଶ୍ବେତପତ୍ରରେ ଆହୁରି ମଧ୍ୟ କୁହାଯାଇଛି ଯେ, ଚୀନ ସହିତ ତାଇଓ୍ବାନର ଏକୀକରଣକୁ ଶାନ୍ତିପୂର୍ଣ୍ଣ ଉପାୟରେ ସାକାର କରିବା ଉପରେ ଚୀନ ସରକାର ଗୁରୁତ୍ବ ଦେଉଛନ୍ତି। ମାତ୍ର କେତେକ ବାହ୍ୟ ଶତ୍ରୁ ତାଇଓ୍ବାନକୁ ଚୀନ ବିରୋଧରେ ଉସୁକାଉଛନ୍ତି। ସେମାନଙ୍କୁ ବଳ ପ୍ରୟୋଗ କରି ଜବାବ ଦିଆଯିବ।
ସୂଚନାଯୋଗ୍ୟ ଯେ, ୧୯୪୯ରେ ଚୀନରେ ହୋଇଥିବା ଗୃହଯୁଦ୍ଧ ପରେ ତାଇଓ୍ଵାନ ଚୀନଠାରୁ ଅଲଗା ହୋଇ ନିଜକୁ ସ୍ୱାଧୀନ ରାଷ୍ଟ୍ର ଘୋଷଣା କରିଥିଲା। କିନ୍ତୁ ସାମ୍ରାଜ୍ୟବାଦୀ ଚୀନ କ୍ଷୁଦ୍ର ଦ୍ୱୀପ ଦେଶ ତାଇଓ୍ଵାନକୁ ନିଜର ଅଂଶ ବୋଲି ଦାବି କରୁଛି ଓ ଦିନେ ନା ଦିନେ ଏହାକୁ ଅଧିକାର କରିବାକୁ ସ୍ୱପ୍ନ ଦେଖୁଛି। ତାଇଓ୍ଵାନକୁ ଚୀନ ଅଧିକାର କରିବା ବିଷୟରେ ରାଷ୍ଟ୍ରପତି ସି ଜିନ ପିଂ ସ୍ପଷ୍ଟ ସଂକେତ ଦେଇସାରିଛନ୍ତି।
ଚୀନ ସରକାରଙ୍କ ଶ୍ବେତପତ୍ର : ତାଇଓ୍ବାନକୁ ନିଶ୍ଚିତ ଅଧିକାର କରାଯିବ, ଆବଶ୍ୟକ ପଡ଼ିଲେ ବଳପ୍ରୟୋଗ କରାଯିବ

Share Now: