ଭୁବନେଶ୍ୱର: ଭୁବନେଶ୍ବର ସହରର ଆବର୍ଜନାରେ ପୋତି ହୋଇଗଲାଣି ଦୟାୱେଷ୍ଟ କେନାଲ। ଏବେ କେନାଲକୁ ଦେଖିଲେ ଆବର୍ଜନା କୁଣ୍ଡ ପରି ମନେ ହେଉଛି। ଅନାବନା ଗଛ ଓ ଦଳ ମାଡ଼ି ଯାଇ କେନାଲର ଅସ୍ତିତ୍ବ ଲୋପ ପାଇଗଲାଣି। ଜବରଦଖଲ ଯୋଗୁଁ ବହୁ ସ୍ଥାନରେ କେନାଲ ସଂକୁଚିତ। ଦିନେ ରାଜଧାନୀ ଉପକଣ୍ଠ କୃଷକଙ୍କ ଜୀବନରେଖା ପାଲଟିଥିବା ଏହି କେନାଲ୍ ଆଜି ମୃତପ୍ରାୟ। କିନ୍ତୁ ପ୍ରଶାସନର ଏଥିପ୍ରତି ନିଘା ନାହିଁ। କେନାଲକୁ ପୁନରୁଦ୍ଧାର କରାଯିବ, ସମ୍ପୂର୍ଣ୍ଣ କେନାଲକୁ ବକ୍ସ କଟ୍ କରାଯାଇ ସୌନ୍ଦର୍ଯ୍ୟୀକରଣ କରାଯିବ ବୋଲି ବର୍ଷବର୍ଷ ଧରି କୁହାଯାଉଥିଲେ ହେଁ ତାହା ସମ୍ଭବ ହେଉନାହିଁ। ୩୫୦କୋଟି ଟଙ୍କାର ଏଷ୍ଟିମେଟ୍ ଫାଇଲ୍ ବଡ଼ବାବୁଙ୍କ ଡଷ୍ଟବିନ୍ରେ ପଡ଼ିଛି। ତେବେ କଟକରେ ତାଳଦଣ୍ଡା କେନାଲ୍ ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରି ପୁନରୁଦ୍ଧାର କରୁଥିବା ବେଳେ ଦୟାୱେଷ୍ଟ କେନାଲ ପ୍ରତି ଏତେ ନିର୍ଦ୍ଦୟ କାହିଁକି ବୋଲି ପ୍ରଶ୍ନ ଉଠିଛି। ଜଳ ସମ୍ପଦ ବିଭାଗର ପ୍ରାଚୀ ଡିଭିଜନ୍ ଅଧୀନରେ ଥିବା ଦୟାୱେଷ୍ଟ କେନାଲ ବାରଙ୍ଗଠାରୁ ବାହାରି ଜଟଣୀ ରଥିପୁରଠାରେ ଶେଷ ହୋଇଛି। ୩୨ କିଲୋମିଟର ଦୈର୍ଘ୍ୟ ବିଶିଷ୍ଟ ଏହି କେନାଲରୁ ୧୪କିଲୋମିଟର ଭୁବନେଶ୍ବରର ଚକେଇସିଆଣି, ପଳାସୁଣି, ଜିଜିପି କଲୋନି, ଲକ୍ଷ୍ମୀସାଗର, ଝାରପଡ଼ା, ବଡ଼ଗଡ଼, ବ୍ରହ୍ମେଶ୍ୱର ପାଟଣା, ଗ୍ୟାରେଜ୍ ଛକ, ସାମନ୍ତରାପୁର ଅଞ୍ଚଳ ଦେଇ ପ୍ରବାହିତ ହୋଇଛି। ପୂର୍ବରୁ ଏହି ୧୪କିମି ଅଂଶ ଅଞ୍ଚଳରେ ଲୋକେ ଚାଷ କାର୍ଯ୍ୟ ଲାଗି ଏହି କେନାଲ ଉପରେ ନିର୍ଭର କରୁଥିଲେ। କିନ୍ତୁ କିଛି ବର୍ଷ ହେବ, ରାଜଧାନୀ କଳେବରର ଦ୍ରୁତ ଅଭିବୃଦ୍ଧି ଯୋଗୁଁ କେନାଲ ଆବର୍ଜନାରେ ପୂର୍ଣ୍ଣ ହୋଇଗଲାଣି। କେନାଲର ଦୁଇ ପାର୍ଶ୍ୱରେ ଗଢ଼ିଉଠିଛି ମାଳମାଳ ଘର। ଚକେଇସିଆଣି ଓ ଜିଜିପି ଅଞ୍ଚଳରେ ବସ୍ତିବାସିନ୍ଦାମାନେ କେନାଲକୁ ପୋତି ଭିତରକୁ ମାଡ଼ି ଯାଇଛନ୍ତି। ବେଧଡ଼କ ଭାବେ ଯିଏ ଯେମିତି ପାରିଲେ, କେନାଲ୍କୁ ପୋତି ଚାଲିଛନ୍ତି। ଜିଜିପି କଲୋନିଠାରୁ ଝାରପଡ଼ା ପର୍ଯ୍ୟନ୍ତ ପ୍ରାୟ ଦେଢ଼ କିମି ଅଞ୍ଚଳରେ କେନାଲ ଭିତରେ ଏମିତି ବହୁ କୋଠା ଗଢ଼ି ଉଠିଛି। ଫଳରେ ୫୦ ଫୁଟ୍ ଓସାରର କେନାଲ ଏବେ ମାତ୍ର ୧୫ ଫୁଟ୍ ରହିଛି। କେନାଲ କଡ଼ରେ ଥିବା ବସ୍ତିରୁ ଆରମ୍ଭ କରି ଆପାର୍ଟମେଣ୍ଟ ପର୍ଯ୍ୟନ୍ତ ସମସ୍ତେ ଡ୍ରେନ୍ ପାଣି ଏହି କେନାଲକୁ ଛାଡ଼ି ଦେଉଛନ୍ତି।
ଦିନେ ସହର କଡ଼ରେ ଯାଇଥିବା ଏହି କେନାଲ୍ ଏବେ ସହର ମଝିରେ ରହିଗଲାଣି। ତେବେ ଏହାକୁ ପୁନରୁଦ୍ଧାର ପାଇଁ ପୂର୍ବରୁ ଯୋଜନା କରାଯାଇଥିଲେ ହେଁ ସଫଳ ରୂପାୟନ ହୋଇପାରିନଥିଲା। ଏକ ବିଶେଷସୂତ୍ରରୁ ମିଳିଥିବା ତଥ୍ୟ ଅନୁସାରେ, ପ୍ରାୟ ଦୁଇ ବର୍ଷ ତଳେ ପ୍ରାଚୀ ଡିଭିଜନ୍ ଦ୍ବାରା ୩୫୦ କୋଟି ଟଙ୍କାର ଏକ ଏଷ୍ଟିମେଟ୍ ଫାଇଲ ପ୍ରସ୍ତୁତ କରାଯାଇ ଅଧିକାରୀଙ୍କୁ ଦିଆଯାଇଥିଲା। ଏଥିରେ ନକ୍ସା ସହ ପୁନରୁଦ୍ଧାରର କଳେବର ପ୍ରସ୍ତୁତ ହୋଇଥିଲା। ଦିନକୁ ଦିନ ଜନସଂଖ୍ୟା ବଢ଼ୁଥିବାରୁ ରାସ୍ତାକୁ ପ୍ରଶସ୍ତ ହେଉଛି। ତେଣୁ ଏଷ୍ଟିମେଟ୍ରେ କେନାଲକୁ ସାଢ଼େ ୪ ମିଟର (ପାଖାପାଖି୧୫ ଫୁଟ)ର ବକ୍ସ କଟ୍ କରାଯିବ। ଏହା ଉପରେ ପାର୍କିଂର ବ୍ୟବସ୍ଥା କରାଯିବ। ଦୁଇ କଡ଼ରେ ଚଡଡ଼ା ରାସ୍ତା ସମେତ ସୁନ୍ଦର ଆଲୋକୀକରଣ, ପାର୍କ, ପାଦଚଲା ରାସ୍ତା କରାଯିବ ବୋଲି ନକ୍ସା ହୋଇଥିଲା। ନକ୍ସାର ଡିଜାଇନ୍ ଆଲୋଚନା କରାଯାଇ ଏକାଧିକଥର ମଧ୍ୟ ବଦଳା ଯାଇଥିଲା। ହେଲେ ଏହି ପ୍ରକଳ୍ପକୁ କରିବାକୁ ଉଚ୍ଚପଦସ୍ଥ ଅଧିକାରୀ ବିଶେଷକରି ସରକାର ଅଣଦେଖା କରିବାରୁ ଏହା ଫାଇଲ୍ ଭିତରେ ହିଁ ବନ୍ଦୀ ହୋଇ ରହିଯାଇଛି। ଜଳସମ୍ପଦ ବିଭାଗର ଏହି କେନାଲ୍ ହୋଇଥିଲେ ହେଁ ବିଏମ୍ସି ଅଧୀନରେ କେନାଲର ଅଧିକାଂଶ ସ୍ଥାନ ରହିଛି। କେନାଲ ଯୋଗୁଁ ଅସ୍ବାସ୍ଥ୍ୟକର ପରିବେଶ ସୃଷ୍ଟି ହେଉଛି। ପ୍ରତିବର୍ଷ ବର୍ଷା ଦିନେ ପଳାସୁଣୀରୁ ଜିଜିପି କଲୋନି ପରି ତଳିଆ ଅଞ୍ଚଳରେ ଲୋକଙ୍କ ଘରେ ମଇଳା ପାଣି ପଶୁଛି। କିଭଳି କେନାଲକୁ ପୁନରୁଦ୍ଧାର କରାଯାଇ ବ୍ୟବସ୍ଥିତ କରାଯିବ, ଏନେଇ ବିଏମ୍ସି ମଧ୍ୟ ତତ୍ପରତା ପ୍ରକାଶ କରିବା କଥା। ଏହାବ୍ୟତୀତ ବର୍ତ୍ତମାନ ଶାସକ ଦଳ ଅଧୀନରେ ରହିଛି ବିଏମ୍ସି ମେୟର ଆସନ। ଭୁବନେଶ୍ବରର ତିନୋଟି ନିର୍ବାଚନମଣ୍ଡଳୀରେ ମଧ୍ୟ ଶାସକ ଦଳର ବିଧାୟକ ହିଁ ଗାଦିରେ ବସିଛନ୍ତି। ହେଲେ ସ୍ମାର୍ଟସିଟି ରାଜଧାନୀକୁ ଅପଦସ୍ଥ କରୁଥିବା ଏହି କେନାଲକୁ ପୁନରୁଦ୍ଧାର କରିବାରେ ଅସୁବିଧା କେଉଁଠି ବୋଲି ବିରୋଧୀ ପ୍ରଶ୍ନ ଉଠାଉଛନ୍ତି। ଅନ୍ୟପଟେ କଟକର ତାଳଦଣ୍ଡା କେନାଲକୁ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଇ ପୁନରୁଦ୍ଧାର କରାଯାଉଥିବା ବେଳେ ରାଜଧାନୀର ଦୟାୱେଷ୍ଟ କେନାଲ୍କୁ କାହିଁକି ଅଣଦେଖା କରାଯାଉଛି ବୋଲି ରାଜଧାନୀବାସୀ ପ୍ରଶ୍ନ କରିଛନ୍ତି। କେବେ ସରକାରଙ୍କ ଶୁଭ ଦୃଷ୍ଟି ପଡ଼ିବ ତାକୁ ଦେଖିବାକୁ ବାକି ରହିଲା।
ଫାଇଲ୍ ଭିତରେ ଦୟାୱେଷ୍ଟ ପୁନରୁଦ୍ଧାର : ପ୍ରଶାସନର ଦୃଷ୍ଟି ଆଢୁଆଳରେ
Share Now: