ନୂଆଦିଲ୍ଲୀ: ଭୋଟରଙ୍କୁ ଲୋଭ ଦେଖାଇବାକୁ ଏବେ ବିଭିନ୍ନ ରାଜନୈତିକ ଦଳମାନେ ବିପୁଳ ଟଙ୍କା ବାଣ୍ଟୁଛନ୍ତି। ବିଶେଷକରି ଚଳିତ ମାସ ଓ ଡିସେମ୍ବରରେ ହେବାକୁ ଥିବା ଗୁଜୁରାଟ ଓ ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ଏବେ ଭୋଟରଙ୍କୁ ପ୍ରଚୁର ଟଙ୍କା ସହ ମଦ ବଣ୍ଟାଯାଉଛି ବୋଲି ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଛି। ଆଉ ନିର୍ବାଚନ ପୂର୍ବରୁ ଏତେ ଟଙ୍କା ଜବତ ହୋଇଛି ଯେ ନିର୍ବାଚନ ଆୟୋଗ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଆସନ୍ତାକାଲି ଅର୍ଥାତ୍ ୧୨ ନଭେମ୍ବରରେ ହିମାଚଳ ପ୍ରଦେଶରେ ମତଦାନ ଅନୁଷ୍ଠିତ ହେବ। ସେହିପରି ଗୁଜୁରାଟରେ ଡିସେମ୍ବର ୧ ଏବଂ ୫ ତାରିଖରେ ମତଦାନ ଅନୁଷ୍ଠିତ ହେବ। ତେବେ ଏହା ପୂର୍ବରୁ ଦୁଇଟି ରାଜ୍ୟରୁ ବିପୁଳ ପରିମାଣର ନଗଦ ଟଙ୍କା ଜବତ କରାଯାଇଛି। ନଗଦ ଟଙ୍କା ସହ ମଦ ଏବଂ ବିପୁଳ ମାତ୍ରାରେ ମାଗଣା ଉପହାର ମଧ୍ୟ ଜବତ କରାଯାଇଛି। ଏହି ଜବତକୁ ନେଇ ନିର୍ବାଚନ ଆୟୋଗ ଶୁକ୍ରବାର ଦିନ କହିଛନ୍ତି ଯେ ହିମାଚଳପ୍ରଦେଶ ବିଧାନସଭା ନିର୍ବାଚନ ସମୟରେ ଏ ପର୍ଯ୍ୟନ୍ତ ୫୦.୨୮ କୋଟି ଟଙ୍କା, ମଦ, ମୂଲ୍ୟବାନ ଧାତୁ ଏବଂ ଡ୍ରଗ୍ସ ଜବତ କରାଯାଇଛି। ଏଥି ସହିତ ଗୁଜୁରାଟରେ ଏପର୍ଯ୍ୟନ୍ତ ୭୧.୮୮ କୋଟି ଟଙ୍କା, ଡ୍ରଗ୍ସ, ମଦ ଏବଂ ମୂଲ୍ୟବାନ ଧାତୁ ଜବତ କରାଯାଇଛି।
ସୂଚନା ଥାଉ କି ୨୦୧୭ ଗୁଜୁରାଟ ବିଧାନସଭା ନିର୍ବାଚନରେ ୨୭.୨୧ କୋଟି ଟଙ୍କା ଜବତ କରାଯାଇଥିଲା। ସେହିପରି ହିମାଚଳ ପ୍ରଦେଶରେ ୨୦୧୭ ବିଧାନସଭା ନିର୍ବାଚନ ସମୟରେ ୯.୦୩ କୋଟି ଟଙ୍କା ଜବତ କରାଯାଇଥିବାବେଳେ ଏଥର ହିମାଚଳପ୍ରଦେଶରୁ ରେକର୍ଡ ମାତ୍ରାରେ ୫୦.୨୮ କୋଟି ଟଙ୍କା ଜବତ କରାଯାଇଛି। ନିର୍ବାଚନ ଆୟୋଗ କହିଛନ୍ତି ଯେ ୨୦୧୭ ବିଧାନସଭା ନିର୍ବାଚନ ତୁଳନାରେ ଏଥର ହିମାଚଳପ୍ରଦେଶରୁ ଅଧିକ ୫ ଗୁଣ ଟଙ୍କା ଜବତ କରାଯାଇଛି। ଗୁଜୁରାଟର ମୋଟ ୧୮୨ଟି ବିଧାନସଭା ଆସନର ଫଳାଫଳ ଡିସେମ୍ବର ୮ରେ ଘୋଷଣା କରାଯିବ। ଏଥି ସହିତ ହିମାଚଳପ୍ରଦେଶରେ ଥିବା ୬୮ଟି ବିଧାନସଭା ଆସନର ଫଳାଫଳ ମଧ୍ୟ ଡିସେମ୍ବର ୮ରେ ମଧ୍ୟ ଆସିବ।
ମତଦାନ ପୂର୍ବରୁ ହିମାଚଳପ୍ରଦେଶ-ଗୁଜୁରାଟରୁ ୧୦୦ କୋଟିରୁ ଅଧିକ ଟଙ୍କା ଜବତ କଲା ନିର୍ବାଚନ ଆୟୋଗ

Share Now: