ନୂଆଦିଲ୍ଲୀ : ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ସ୍ଥାପନ ନେଇ ଚାଲିଥିବା ଓକିଲଙ୍କ ଆନ୍ଦୋଳନକୁ ଲାଗିଛି ବଡ଼ ଧକ୍କା। ଆଜି ସମ୍ବଲପୁରରେ ଓକିଲ ଆନ୍ଦୋଳନକୁ ନେଇ ରୁଜୁ ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ଓଡ଼ିଶାରେ ହାଇକୋର୍ଟର ଅତିରିକ୍ତ ବେଞ୍ଚ ସ୍ଥାପନର ଆବଶ୍ୟକତା ନାହିଁ ବୋଲି ସ୍ପଷ୍ଟ କରିଛନ୍ତି। ଜଷ୍ଟିସ ଏସ କେ କାଉଲ୍ ଓ ଜଷ୍ଟିସ ଏ.ଏସ୍ ଓକାଙ୍କ ଖଣ୍ଡପୀଠ ଶୁଣାଣି ସମୟରେ କହିଛନ୍ତି ଯେ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠାର ଆବଶ୍ୟକତା ନାହିଁ। ସେଠାରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠାର କୌଣସି ଆଶା ନାହିଁ। ବର୍ତ୍ତମାନ ଏକାଧିକ ବେଞ୍ଚ ସ୍ଥାପନର ପ୍ରଶ୍ନ ଉଠୁନାହିଁ। ତେଣୁ ମନଇଚ୍ଛା କୋର୍ଟ ସ୍ଥାନାନ୍ତର ଦାବି କଲେ ଏହା ହୋଇପାରିବନି। ଏଣୁ ଓକିଲମାନେ ନିଃସର୍ତ୍ତରେ ସେମାନଙ୍କ ଆନ୍ଦୋଳନ ପ୍ରତ୍ୟାହାର କରନ୍ତୁ। ସୁପ୍ରିମକୋର୍ଟଙ୍କ ଏହି ରାୟ ପରେ ଓକିଲମାନଙ୍କ ଆନ୍ଦୋଳନକୁ ଲାଗିଛି ବଡ଼ ଧକ୍କା। ଦୀର୍ଘ ଦିନ ହେଲା ପଶ୍ଚିମ ଓଡ଼ିଶାର ଓକିଲ ସଂଘଗୁଡ଼ିକ ଏହି ଦାବି କରି ଆସୁଥିଲେ। ଆଜିର ଶୁଣାଣି ସମୟରେ ଓଡ଼ିଶା ପୁଲିସ ଡିଜି ଓ ସମ୍ବଲପୁରର ଆଇଜି ଭର୍ଚ୍ଚୁଆଲ୍ ମାଧ୍ୟମରେ ଉପସ୍ଥିତ ଥିଲେ। ଖଣ୍ଡପୀଠ କଡ଼ା ଶବ୍ଦରେ ଓକିଲମାନଙ୍କୁ ସମାଲୋଚନା କରିଥିଲେ। ଏଥିସହ କହିଥିଲେ ପଶ୍ଚିମଓଡ଼ିଶାରେ ଯଦିବା ବେଞ୍ଚ ସ୍ଥାପନର କିଛି ସମ୍ଭାବନା ଥିଲା, ତାହା ଓକିଲମାନଙ୍କ ଆଚରଣ ଯୋଗୁ ବନ୍ଦ ହୋଇଯାଇଛି।
ଓଡ଼ିଶାରେ ହେବ ନାହିଁ ହାଇକୋର୍ଟ ବେଞ୍ଚ, ନିଃସର୍ତ୍ତରେ ଆନ୍ଦୋଳନ ପ୍ରତ୍ୟାହାର କର : ସୁପ୍ରିମକୋର୍ଟ

Share Now: