ନୂଆଦିଲ୍ଲୀ : ଯେଉଁମାନେ ଡାକଘରେ ଟଙ୍କା ଜମା କରନ୍ତି ସେମାନଙ୍କୁ କେନ୍ଦ୍ର ସରକାର ନୂଆ ବର୍ଷ ଉପହାର ଦେଇଛନ୍ତି। ଡାକଘରେ ଟଙ୍କା ଜମା ଉପରେ ପୂର୍ବ ଅପେକ୍ଷା ଅଧିକ ସୁଧ ହାର ମିଳିବ। ଜାତୀୟ ସଂଚୟ ସାର୍ଟିଫିକେଟ (ଏନଏସସି) ଏବଂ ବରିଷ୍ଠ ନାଗରିକ ସଞ୍ଚୟ ଯୋଜନା ସମେତ କ୍ଷୁଦ୍ର ସଞ୍ଚୟ ଜମା ଯୋଜନା ଉପରେ ମଧ୍ୟ ସରକାର ସୁଧ ହାର ବୃଦ୍ଧି କରିଛନ୍ତି। ଏହି ଯୋଜନାଗୁଡ଼ିକର ସୁଧ ହାର ବର୍ତ୍ତମାନ ୧.୧ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଏହି ବୃଦ୍ଧି ଜାନୁଆରୀ ୧ ରୁ କାର୍ଯ୍ୟକାରୀ ହେବ। ତେବେ ପବ୍ଲିକ୍ ପ୍ରୋଭିଡେଣ୍ଟ ଫଣ୍ଡ (ପିପିଏଫ୍ ) ଏବଂ ବାଳିକା ସଞ୍ଚୟ ଯୋଜନା ‘ସୁକନ୍ୟା ସମୃଦ୍ଧି’ର ସୁଧ ହାର ପରିବର୍ତ୍ତନ କରାଯାଇ ନାହିଁ। ଜାନୁଆରୀ ୧ ରୁ ଜାତୀୟ ସଞ୍ଚୟ ପ୍ରମାଣପତ୍ର (ଏନଏସସି) ୭ ପ୍ରତିଶତ ସୁଧ ମିଳିବ। ବର୍ତ୍ତମାନ ଏହା ୬.୮ ପ୍ରତିଶତ। ସେହିପରି ବରିଷ୍ଠ ନାଗରିକ ସଞ୍ଚୟ ଯୋଜନା କୁ ବର୍ତ୍ତମାନର ୭.୬ ପ୍ରତିଶତ ସୁଧ ବଦଳରେ ୮ ପ୍ରତିଶତ ସୁଧ ମିଳିବ। ଡାକଘର ସ୍ଥିର ଜମା ଯୋଜନା ଉପରେ ସୁଧ ହାର ଏକରୁ ପାଞ୍ଚ ବର୍ଷର ୧.୧ ପ୍ରତିଶତକୁ ବୃଦ୍ଧି ପାଇବ। ବର୍ଷିକିଆ ଡାକଘର ଜମା ଉପରେ ୬.୫ ପ୍ରତିଶତ ଓ ୨ ବର୍ଷିଆ ଡାକଘର ଜମା ଉପରେ ୬.୮ ପ୍ରତିଶତ ସୁଧ ମିଳିବ। ମାସିକ ଆୟ ଯୋଜନାରେ ବି ୬.୭ ପ୍ରତିଶତ ପରିବର୍ତ୍ତେ, ୭.୧ ପ୍ରତିଶତ ସୁଧ ମିଳିବ।
ଡାକଘର ଜମା ଉପରେ ଅଧିକ ସୁଧ ମିଳିବ : ପିପିଏଫ ସୁଧହାର ଅପରିବର୍ତ୍ତିତ

Share Now: