ଏର୍ଣ୍ଣାକୁଲମ୍: ଶନିବାର ରାତିରେ କେରଳର ଏର୍ଣ୍ଣାକୁଲମ୍ ଜିଲ୍ଲା ଅନ୍ତର୍ଗତ ଗୋତୁରୁତ ଅଞ୍ଚଳରେ ପ୍ରବାହିତ ପେରିୟାର୍ ନଦୀରେ ଗୋଟାଏ କାର୍ ପଡ଼ିଯିବାରୁ ୨ଜଣ ଯୁବ ଡାକ୍ତରଙ୍କର ମୃତ୍ୟୁ ଘଟିଛି ଓ ଆଉ ୩ଜଣ ଆହତ ହୋଇଛନ୍ତି ବୋଲି ପୁଲିସ କହିଛି। ରାତି ପ୍ରାୟ ୧୨.୩୦ରେ ଘଟିଥିବା ଏହି କାର୍ ଦୁର୍ଘଟଣାରେ କୋଚି ଜିଲ୍ଲାସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ଚାକିରି କରୁଥିବା ଡାକ୍ତର ଅଦ୍ୱୈତ ଓ ଅଜ୍ମଲ୍ଙ୍କର ମୃତ୍ୟୁ ଘଟିଛି। ଉଭୟଙ୍କ ବୟସ ଥିଲା ୨୮ ବର୍ଷ। ପ୍ରବଳ ବର୍ଷା ହେଉଥିବାରୁ ଡାକ୍ତର ଅଦ୍ୱୈତ ‘ଜିପିଏସ୍’ ଟ୍ରାକିଙ୍ଗ୍ ଅନ୍ ରଖି କାର୍ ଚଳାଉଥିଲେ। ବାଟରେ ସେମାନେ ପ୍ରବଳ ପାଣି ଜମିଥିବା ଅଞ୍ଚଳରେ ପହଞ୍ଚିବା ପରେ ‘ଗୁଗଲ୍ ମ୍ୟାପ୍’ ନିର୍ଦ୍ଦେଶ ମତେ ସିଧା ପାଣି ଭିତରକୁ କାର୍ ଚଳାଇ ନେଇଥିଲେ। ଫଳରେ କାର୍ଟି ନଈରେ ପଶି ବୁଡ଼ିଗଲା।

ଆହତମାନଙ୍କୁ ନିକଟରେ ଥିବା ଡାକ୍ତରଖାନାକୁ ନିଆଯାଇଛି। ସେମାନଙ୍କ ମଧ୍ୟରେ ଅଛନ୍ତି ଡାକ୍ତର ଖାସିକ୍, ‘ଏମ୍ବିବିଏସ୍’ ଛାତ୍ରୀ ତମନ୍ନା ଓ ଜିସ୍ମୋନ୍ ନାମ୍ନୀ ଜଣେ ନର୍ସ। ସମସ୍ତେ ଡାକ୍ତର ଅଦ୍ୱୈତଙ୍କ ଜନ୍ମଦିନ ପାର୍ଟିରୁ ଫେରୁଥିଲେ। ପୁଲିସ କଥାରୁ ଉଦ୍ଧାର କରି ସମ୍ବାଦ ସରବରାହ ସଂସ୍ଥାନ ‘ପିଟିଆଇ’ କହିଛି, ପ୍ରବଳ ବର୍ଷା ଯୋଗୁଁ ସେ ସମୟରେ ଦୃଶ୍ୟତା ଖୁବ୍ ହ୍ରାସ ପାଇଥିଲା। ସେମାନେ ‘ଗୁଗଲ୍ ମ୍ୟାପ୍’ରେ ପ୍ରଦର୍ଶିତ ବାଟରେ ଗାଡ଼ି ଚଳାଉଥିଲେ। କିନ୍ତୁ, ମନେହେଉଛି ମ୍ୟାପ୍ରେ ବାମ ପାର୍ଶ୍ଵକୁ ଗାଡ଼ି ଚଳାଇବାକୁ ନିର୍ଦ୍ଦେଶ ଥିବା ବେଳେ ଭୁଲ୍କ୍ରମେ ସେମାନେ ଆଗକୁ ଗାଡ଼ି ଚଳାଇ ନେଇ ନଈରେ ପଡ଼ିଯାଇଥିଲେ।