ସାମାଜିକ ଗଣମାଧ୍ୟମକୁ ‌ଅଙ୍କୁଶ: ଜାରି ହେଲା ନିୟମାବଳି, ୩ ମାସ ପରେ କାର୍ଯ୍ୟକାରୀ

ସାମାଜିକ ଗଣମାଧ୍ୟମକୁ ‌ଅଙ୍କୁଶ

ନୂଆଦିଲ୍ଲୀ : ଫେସ୍‌ବୁକ୍, ଟ୍ବିଟର୍‌ଭଳି ସୋସିଆଲ୍ ମିଡିଆ, ନେଟ୍‌ଫ୍ଲିକ୍ସ ଓ ଆମାଜନ୍‌ ପ୍ରାଇମ୍ ଭିଡିଓ ଭଳି ଓଭର୍ ଦି ଟପ୍ (ଓଟିଟି ପ୍ଲାଟ୍‌ଫର୍ମ ଯାହା ୱେବ ସିରିଜ୍ ପାଇଁ ପରିଚିତ) ପ୍ଲାଟଫର୍ମ ଓ ଡିଜିଟାଲ୍‌ ନିଉଜ ଉପରେ ସରକାର ଲଗାମ ଲଗାଇଛନ୍ତି। ଏଗୁଡ଼ିକର ନିୟନ୍ତ୍ରଣ ପାଇଁ ଆଜି ନିୟମାବଳି ବା ଗାଇଡଲାଇନ୍ ଜାରି କରାଯାଇଛି। ସରକାରଙ୍କ ଏହି ନି‌ଷ୍ପତ୍ତି ସଂପର୍କରେ ଆଜି କେନ୍ଦ୍ର ଆଇଟି ମନ୍ତ୍ରୀ ରବି ଶଙ୍କର ପ୍ରସାଦ ଓ ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭଡେକର ସୂଚନା ଦେଇଛନ୍ତି। ସାମ୍ବାଦିକମାନଙ୍କୁ ସୂଚନା ଦେଇ ଦୁଇ ମନ୍ତ୍ରୀ କହିଛନ୍ତି, ଭାରତରେ ବ୍ୟବସାୟ କରିବା ପାଇଁ ସୋସିଆଲ ମିଡିଆ ପ୍ଲାଟଫର୍ମଗୁଡ଼ିକୁ ସ୍ବାଗତ କରାଯାଉଛି। ଭାରତରେ ସେମାନେ ବହୁସଂଖ୍ୟକ ଗ୍ରାହକ ସୃଷ୍ଟି କରିବା ସହିତ ଲୋକପ୍ରିୟତା ହାସଲ କରିପାରିଥିବାରୁ ମନ୍ତ୍ରୀ ଅଭିନନ୍ଦନ ଜଣାଇଛନ୍ତି। ସାଧାରଣ ଭାରତୀୟଙ୍କ ଜୀବନଙ୍କୁ ଏମାନେ ସଶକ୍ତ କରିଥିବାରୁ ମନ୍ତ୍ରୀ ସେମାନଙ୍କର ପ୍ରଶଂସା ମଧ୍ୟ କରିଛନ୍ତି। କିନ୍ତୁ ସେମାନଙ୍କୁ ନିୟନ୍ତ୍ରିତ କରାଯିବାର ଅବାଶ୍ୟକତା ରହିଥିବା ବିଷୟ ମନ୍ତ୍ରୀ ସ୍ପଷ୍ଟ କରିଦେଇଛନ୍ତି। ଏଥିପାଇଁ ସରକାର ଏକ ତ୍ବରିତ ଅଭିଯୋଗ ସମାଧାନ ବ୍ୟବସ୍ଥା ସ୍ଥାପନ କରିବାକୁ ନିଷ୍ପତ୍ତି ନେଇଛନ୍ତି।
ତ୍ରିସ୍ତରୀୟ ଅଭିଯୋଗ ସମାଧାନ ବ୍ୟବସ୍ଥା
ଜାରି ହୋଇଥିବା ଗାଇଡ୍‌ଲାଇନ୍‌ରୁ ଜଣାପଡ଼ିଛି ଯେ ଗ୍ରାହକମାନଙ୍କ ପାଇଁ ତ୍ରିସ୍ତରୀୟ ଅଭିଯୋଗ ସମାଧାନ ବ୍ୟବସ୍ଥା କରାଯିବ। ଏଥିରେ ଦୁଇଟି ପର୍ଯ୍ୟାୟର ଆତ୍ମ ନିୟନ୍ତ୍ରଣ ବ୍ୟବସ୍ଥା ରହିବ। ତ୍ରିସ୍ତରୀୟ ଅଭିଯୋଗ ସମାଧାନ ବ୍ୟବସ୍ଥାର ପ୍ରଥମ ପର୍ଯ୍ୟାୟରେ ପ୍ରକାଶକ, ଦ୍ବିତୀୟ ପର୍ଯ୍ୟାୟରେ ସ୍ବନିୟନ୍ତ୍ରିତ (ସେଲ୍‌ଫ ରେଗୁଲେଟେଡ୍‌) ସଂସ୍ଥା ଏବଂ ତୃତୀୟ ପର୍ଯ୍ୟାୟରେ ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ଅଧୀନରେ ଥିବା ନିରୀକ୍ଷଣ ବ୍ୟବସ୍ଥା ରହିଛି।
ନେଟଫ୍ଲିକ୍ସ ଓ ଆମାଜନ ପ୍ରାଇମ ଭଳି ଓଟିଟି ପ୍ଲାଟଫର୍ମ ଗୁଡ଼ିକ ସେମାନଙ୍କ ପାଇଁ ମୁଖ୍ୟ ସତର୍କତା ଅଧିକାରୀ, ନୋଡାଲ ଅଫିସର ଓ ଆବାସିକ ଅଭିଯୋଗ ଶୁଣାଣି ଅଧିକାରୀ ଆଦି ନିଯୁକ୍ତ କରିବେ।
ସ୍ବନିୟନ୍ତ୍ରିତ ସଂସ୍ଥାରେ ସୁପ୍ରିମ କୋର୍ଟ କିମ୍ବା ହାଇକୋର୍ଟର ଜଣେ ଅବସରପ୍ରାପ୍ତ ବିଚାରପତି କିମ୍ବା ସଂପୃକ୍ତ କ୍ଷେତ୍ରର ଜଣେ ବିଶିଷ୍ଟ ବ୍ୟକ୍ତି ମୁଖ୍ୟ ଭାବେ କାମ କରିବେ। ସେ ପ୍ରକାଶକଙ୍କୁ ବିଭିନ୍ନ ପରାମର୍ଶ ଦେବେ।
ଖରାପ ବାର୍ତ୍ତାର ଉତ୍ସ ଜଣାଇବେ
କେବଳ ଅଦାଲତ କିମ୍ବା ସରକାରୀ କର୍ତ୍ତୃପକ୍ଷଙ୍କ ନିର୍ଦ୍ଦେଶ ପରେ ଖରାପ ଟ୍ବିଟ୍‌ ଓ ବାର୍ତ୍ତାର ଉତ୍ସ ପ୍ରକାଶ କରାଯାଇ ପାରିବ।
ଭାରତର ସାର୍ବଭୌମ ଓ ସଂହତି, ଦେଶର ସୁରକ୍ଷା, ଶତ୍ରୁ ରାଷ୍ଟ୍ର କିମ୍ବା ଦୁଷ୍କର୍ମ, ଯୌନ ଉତ୍ପୀଡ଼ନ ବିଷୟବସ୍ତୁ ହୋଇଥିବା ଭଳି ମାମଲାରେ ବାର୍ତ୍ତାକୁ ପ୍ରକାଶ କରାଯାଇ ପାରିବ।
ସୋସିଆଲ ମିଡିଆ ଇଣ୍ଟରମିଡିଆରିଜ୍
ସମସ୍ତ ସୋସିଆଲ ମିଡିଆ ପ୍ଲାଟଫର୍ମଗୁଡ଼ିକର ଦୁଇଟି ବର୍ଗର ଇଣ୍ଟରମିଡିଆରିଜ୍ ରହିବ।
ଗୋଟିଏ ହେଲା ସୋସିଆଲ ମିଡିଆ ଇଣ୍ଟରମିଡିଆରିଜ୍ ଏବଂ ଅନ୍ୟଟି ହେଲା ସିଗ୍ନିଫିକାଣ୍ଟ ସୋସିଆଲ ମିଡିଆ ଇଣ୍ଟରମିଡିଆରିଜ୍‌। କେନ୍ଦ୍ର ସରକାର ୟୁଜରଙ୍କ ସଂଖ୍ୟାକୁ ବିଚାରକୁ କିଏ କେଉଁ ବର୍ଗରେ ରହିବ ତାହା ସରକାର ଖୁବ୍‌ଶୀଘ୍ର ନିର୍ଦ୍ଧାରଣ କରିବେ।
ଇଣ୍ଟରମିଡିଆରିଜ୍ ଗୁଡ଼ିକରେ ଅଭିଯୋଗ ସମାଧାନ ବ୍ୟବସ୍ଥା ରହିବ।
ସେମାନେ ଜଣେ ଅଭିଯୋଗ ରଖୁଥିବା ଅଧିକାରୀଙ୍କ ନାମ ଉଲ୍ଲେଖ କରିବେ ଯିଏକି ଅଭିଯୋଗର ପଞ୍ଜୀକରଣ ୨୪ ଘଣ୍ଟା ମଧ୍ୟରେ କରିବେ। ସେହି ମାମଲାର ବିଚାର ୧୫ ଦିନ ମଧ୍ୟରେ ନିଶ୍ଚିତ କରିବେ।
ଇଣ୍ଟରମିଡିଆରିଜ୍ ଗୁଡ଼ିକ ମାସିକ ଏକ ରିପୋର୍ଟ ପ୍ରକାଶ କରିବେ। ସେଥିରେ ମାସକୁ କେତେ ଅଭିଯୋଗ ସେମାନେ ଗ୍ରହଣ କରିଛନ୍ତି ଏବଂ ଅଭିଯୋଗ ଉପରେ କି କାର୍ଯ୍ୟାନୁଷ୍ଠାନ ନିଆଯାଇଛି ଏବଂ ନିଜ ତରଫରୁ ସକ୍ରିୟତାର ସହିତ କେତେ ବିଷୟବସ୍ତୁକୁ ବାଦ୍ ଦିଆଯାଇଛି ତାହାର ତଥ୍ୟ ଦେବେ।
ଇଣ୍ଟରମିଡିଆରି ଗୁଡ଼ିକର ଦାୟିତ୍ବ
ଯେଉଁ ବ୍ୟକ୍ତିଙ୍କୁ ମୁଖ୍ୟ କମ୍ପ୍ଲାଏନ୍ସ ଅଫିସର ଭାବେ ନିଯୁକ୍ତ କରାଯିବ ସେ ଭାରତୀୟ ହୋଇଥିବେ। ଆଇନ ଓ ନିୟମ ଆଧାରରେ ସେ ଦାୟିତ୍ବ ନିର୍ବାହ କରିବେ।
ନୋଡାଲ ଯୋଗାଯୋଗ ଅଧିକାରୀ ଆଇନ କାର୍ଯ୍ୟକାରୀ ଏଜେନ୍ସି ଗୁଡ଼ିକ ସହିତ ସପ୍ତାହର ସବୁଦିନ ସବୁ ସମୟରେ ସମନ୍ବୟ ପାଇଁ ଉପଲବ୍ଧ‌ ରହିବେ।
ଅଭିଯୋଗ ସମାଧାନ ବ୍ୟବସ୍ଥାରେ ଆବାସିକ ଅଭିଯୋଗ ଅଧିକାରୀ ସମସ୍ତ କାର୍ଯ୍ୟ ସଂପାଦନ କରିବେ।
ସବୁ ଇଣ୍ଟରମିଡିଆରିଗୁଡ଼ିକର ଭାରତରେ ଏକ ନିର୍ଦ୍ଦିଷ୍ଟ ପ୍ରତ୍ୟକ୍ଷ ଠିକଣା ରହିବ। ତାହା ୱେବସାଇଟ୍ କିମ୍ବା ମୋବାଇଲ ଆପ୍ କିମ୍ବା ଉଭୟରେ ପ୍ରକାଶ ପାଇବ।
ବ୍ୟବହାରକାରୀଙ୍କ ଅନଲାଇନ୍ ସୁରକ୍ଷା ଓ ମର୍ଯ୍ୟାଦା
ଇଣ୍ଟରମିଡିଆରିଗୁଡ଼ିକ ଅଭିଯୋଗ ପାଇବାର ୨୪ ଘଣ୍ଟା ମଧ୍ୟରେ ବିଷୟବସ୍ତୁକୁ ହଟାଇବେ କିମ୍ବା ତାହା ଯେଭଳି ଅନ୍ୟ କାହା ପାଖରେ ନପହଞ୍ଚେ ତାହା ନିଶ୍ଚିତ କରିବେ। କୌଣସି ବ୍ୟକ୍ତିର ଗୋପନୀୟ ଅଙ୍ଗ ପ୍ରଦର୍ଶନ, ଆଂଶିକ କିମ୍ବା ସଂପୂର୍ଣ୍ଣ ନଗ୍ନତା ପ୍ରଦର୍ଶନ କିମ୍ବା ଯୌନ ସମ୍ବଳିତ ଦୃଶ୍ୟ କିମ୍ବା କୌଣସି ରୂପାନ୍ତରିତ ଛବିକୁ ପ୍ରଦର୍ଶିତ କରିବା ଆଦିକୁ ଏଥିରେ ସାମିଲ କରାଯାଇଛି।
ବିଷୟବସ୍ତୁକୁ ୫ଟି ବର୍ଗରେ ବିଭକ୍ତ କରିବେ
ସମସ୍ତ ଓଟିଟି ପ୍ଲାଟଫର୍ମଗୁଡ଼ିକ ସେମାନଙ୍କ ତଥ୍ୟକୁ ନିଜ ପକ୍ଷରୁ ୟୁ (ସାର୍ବଜନୀନ), ୟୁ/ଏ ୭+, ୟୁ/ଏ ୧୩+, ୟୁ/ଏ ୧୬+ ଏବଂ ଏ (ପ୍ରାପ୍ତ ବୟସ୍କ ) ଭଳି ୫ଟି ଶ୍ରେଣୀରେ ବିଭକ୍ତ କରିବେ।
ୟୁ/ଏ ୧୩+ ଶ୍ରେଣୀ ବା ତାଠାରୁ ଅଧିକ ବର୍ଗରେ ଆସୁଥିବା ବିଷୟବସ୍ତୁ ପାଇଁ ପ୍ଲାଟଫର୍ମ ଗୁଡ଼ିକ ପ୍ୟାରେଣ୍ଟାଲ ଲକ୍‌ କାର୍ଯ୍ୟକାରୀ କରିବେ। ପ୍ରାପ୍ତବୟସ୍କଙ୍କ ବିଷୟବସ୍ତୁ ବର୍ଗୀକରଣ ପାଇଁ ଏକ ବିଶ୍ବସନୀୟ ବୟସ ଯାଞ୍ଚ ବ୍ୟବସ୍ଥା ରଖାଯିବ।
ବ୍ୟବହାରୀଙ୍କ ସ୍ବେଚ୍ଛାକୃତ ଯାଞ୍ଚ ବ୍ୟବସ୍ଥା
ସମସ୍ତ ସୋସିଆଲ ମିଡିଆ ପ୍ଲାଟଫର୍ମ ବ୍ୟବହାରୀଙ୍କ ପାଇଁ ଏକ ସ୍ବେଚ୍ଛାକୃତ ଯାଞ୍ଚ ବ୍ୟବସ୍ଥା ରଖିବେ।
ପ୍ଲାଟଫର୍ମଗୁଡ଼ିକ ଯଦି କୌଣସି ବ୍ୟବହାରକାରୀଙ୍କ ବିଷୟବସ୍ତୁର ଆକ୍ସେସକୁ ଅକାମୀ କରିବାକୁ ଚାହାନ୍ତି ତାହେଲେ ସେମାନଙ୍କୁ ତାହାର କାରଣ ଦର୍ଶାଇବା ସହିତ ସେମାନଙ୍କ ମତକୁ ଶୁଣିବାକୁ ପଡ଼ିବ।
ବିସ୍ତୃତ ନିୟମାବଳି ଆସିବ
ଏ ସଂକ୍ରାନ୍ତରେ ଏକ ବିସ୍ତୃତ ନିୟମାବଳି ଜାରି ହେବ। ଏହାର ୩ ମାସ ପରେ ନିୟମ କାର୍ଯ୍ୟକାରୀ ହେବ। ତେବେ ନିର୍ଦ୍ଦିଷ୍ଟ ଭାବେ କେବେଠାରୁ କାର୍ଯ୍ୟକାରୀ ହେବ ତାହା ନିଷ୍ପତ୍ତି ନିଆଯାଇନାହିଁ।

Share Now:

Kalinga News Beuro

Next Post

ରଗଡ଼ି କୋଟଦ୍ବାର ମୌଜାରେ ଭୟାବହ ଅଗ୍ନିକାଣ୍ଡ: ଜଳିଗଲା ୧୩ ଏକର ଗଜା ଆଖୁ ବିଲ

Sat Feb 27 , 2021
ଡମପଡ଼ା: କଟକ ଜିଲ୍ଲାର ବାଙ୍କୀ-ଡମପଡ଼ା ବ୍ଲକ୍‌ ଅଧୀନ ରଗଡ଼ି ପଞ୍ଚାୟତ କୋଟଦ୍ୱାର ମୌଜାରେ ଗତକାଲି ସନ୍ଧ୍ୟାରେ ଭୟାବହ ଅଗ୍ନିକାଣ୍ଡ ଘଟି ପ୍ରାୟ ୧୩ ଏକର ଗଜା ଆଖୁ ଫସଲ ପୋଡ଼ି ପାଉଁଶ ହୋଇଯାଇଛି। ଖବର ପାଇ ବାଙ୍କୀରୁ ଦମକଳବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି। ଅଗ୍ନିକାଣ୍ଡରେ ୮ଜଣ ଚାଷୀଙ୍କ ଆଖୁ ଫସଲ ନଷ୍ଟ ହୋଇଥିବା ସୂଚନା ମିଳିଛି। ଅଗ୍ନିକାଣ୍ଡର କାରଣ ଜଣାପଡ଼ି ନାହିଁ। ଗତକାଲି ସନ୍ଧ୍ୟା ପ୍ରାୟ ସାଢ଼େ ୫ଟାରେ […]
ରଗଡ଼ି କୋଟଦ୍ବାର ମୌଜାରେ ଭୟାବହ ଅଗ୍ନିକାଣ୍ଡ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial