ରାୟଗଡ଼ା-କନ୍ଧମାଳ ସୀମାରେ ପ୍ରତିଷ୍ଠା ହେବ ସିଆରପିଏଫ୍ କ୍ୟାମ୍ପ : ମୁତୟନ ହେବେ ଶହେରୁ ଊର୍ଦ୍ଧ୍ବ ଯବାନ୍‌

ସିଆରପିଏଫ୍ କ୍ୟାମ୍ପ

ରାୟଗଡ଼ା: ରାୟଗଡ଼ା-କନ୍ଧମାଳ-କଳାହାଣ୍ଡି ସୀମାରେ ମାଓ ଦମନ ଅଭିଯାନକୁ ଜୋରଦାର୍ କରିବାକୁ ହୋଇଛି ବ୍ଲୁ ପ୍ରିଣ୍ଟ୍। ୩ ଜିଲ୍ଲାର ଦୁର୍ଗମ ଇଲାକାରେ ମାଓବାଦୀ ମେଳି ବାନ୍ଧି ଅଘଟଣ ଘଟାଇବାକୁ ଯୋଜନା କରୁଥିବାରୁ ପୁଲିସ୍ ରଘୁବାରି (ଡିମିରିଗୁଡା)ରେ ସିଆରପିଏଫ୍ କ୍ୟାମ୍ପ ପ୍ରତିଷ୍ଠା କରିବାକୁ ଯୋଜନା କରିଛି। କ୍ୟାମ୍ପ ନିର୍ମାଣ ଆରମ୍ଭ ହୋଇଥିବା ବେଳେ ଖୁବ୍ ଶୀଘ୍ର ଶହେରୁ ଉର୍ଦ୍ଧ୍ବ ଯବାନଙ୍କୁ ମୁତୟନ କରାଯିବ। ମୁନିଗୁଡ଼ା ବ୍ଲକ୍ ଅମ୍ବାଦଳା ଥାନାରୁ ୨୨ କିମି ଦୂରରେ ରହିଛି ରଘୁବାରି ପଞ୍ଚାୟତ। ପାହାଡ଼ିଆ ଓ ଦୁର୍ଗମ ଇଲାକାରେ ଅବସ୍ଥିତ ରଘୁବାରି କନ୍ଧମାଳ-କଳାହାଣ୍ଡି-ରାୟଗଡ଼ା ଜିଲ୍ଲା ସୀମାନ୍ତକୁ ସଂଯୋଗ ହୋଇଥିବାରୁ ଏହି ଅଞ୍ଚଳ ମାଓବାଦୀଙ୍କ ସୁରକ୍ଷିତ ଗଡ଼ ପାଲଟିଛି। ୩ ଜିଲ୍ଲାରେ ମାଓବାଦୀ କିଛି ଅଘଟଣ ଘଟାଇବା ପରେ ରଘୁବାରି ଦେଇ ହିଁ ଖସିଯିବାରେ ସକ୍ଷମ ହେଉଛନ୍ତି। ରଘୁବାରିରେ ମୋବାଇଲ୍ ନେଟୱର୍କ କାମ କରୁନଥିବାରୁ ମାଓବାଦୀଙ୍କ ଗତିବିଧି ସଂପର୍କରେ ପୁଲିସ୍ ଓ ଯବାନ ସୂଚନା ପାଇବା ମଧ୍ୟ କଷ୍ଟକର ହୋଇ ପଡୁଛି। ସୂଚନା ପାଇ କମ୍ବିଂ ଓ ସର୍ଚ୍ଚ ଅପରେସନ୍ ପାଇଁ ଯବାନ ପହଞ୍ଚିବା ପୂର୍ବରୁ ମାଓବାଦୀ ସୁରକ୍ଷିତ ଭାବେ ଖସିଯିବାରେ ସକ୍ଷମ ହେଉଛନ୍ତି। ରାୟଗଡ଼ା ଜିଲ୍ଲାରେ ମାଓ କାର୍ଯ୍ୟକଳାପ ପ୍ରଭାବହୀନ ରହିଛି। କିନ୍ତୁ କନ୍ଧମାଳ ଓ କଳାହାଣ୍ଡି ଜିଲ୍ଲାରେ ମାଓବାଦୀ କ୍ରମାଗତ ଭାବେ ଅଘଟଣ ଘଟାଇ ଚାଲିଛନ୍ତି। ଯେଉଁଥିପାଇଁ ରଘୁବାରିରେ ସିଆରପିଏଫ୍ କ୍ୟାମ୍ପ ପ୍ରତିଷ୍ଠା କରି ମାଓ ଦମନ ଅଭିଯାନକୁ ଅଧିକ ଗତିଶୀଳ କରିବାକୁ ପୁଲିସ୍ ଯୋଜନା କରିଛି। ମୁନିଗୁଡ଼ା ବ୍ଲକ ସଦର ମହକୁମାରେ ସିଆରପିଏଫ ଅଷ୍ଟମ ବାଟାଲିୟନ୍ ମୁଖ୍ୟାଳୟ ରହିଛି। ବ୍ଲକର ଅନ୍ୟ କୌଣସି ଅଞ୍ଚଳରେ କ୍ୟାମ୍ପ ନଥିବାରୁ ଗୁଇନ୍ଦା ସୂଚନାକୁ ଭିତ୍ତି କରି ସିଆରପିଏଫ୍ ଯବାନ କମ୍ବିଂ ଓ ସର୍ଚ୍ଚ ଅପରେସନରେ ଯାଉଥିଲେ।
ସୂଚନାଯୋଗ୍ୟ, ରାୟଗଡ଼ା ଜିଲ୍ଲାରେ ମାଓ ଦମନ ଅଭିଯାନ ପାଇଁ ସିଆରପିଏଫ୍ ପକ୍ଷରୁ ୨ଟି ବାଟାଲିୟନ୍ ପ୍ରତିଷ୍ଠା କରାଯାଇଛି। ରାୟଗଡ଼ାରେ ସିଆରପିଏଫର ୪ର୍ଥ ବାଟାଲିୟନ୍, ମୁନିଗୁଡ଼ାରେ ୮ମ ବାଟାଲିୟନ୍ ରହିଛି। ମୁନିଗୁଡ଼ା ୮ମ ବାଟାଲିୟନ୍ ପକ୍ଷରୁ ଚନ୍ଦ୍ରପୁର ବ୍ଲକର ଡାଙ୍ଗସୋରଡା, ହନୁମନ୍ତପୁର, ଚନ୍ଦ୍ରପୁରରେ କ୍ୟାମ୍ପ ପ୍ରତିଷ୍ଠା କରାଯାଇଛି। ବର୍ତ୍ତମାନ ମୁନିଗୁଡ଼ା ବ୍ଲକର ଦୁର୍ଗମ ଇଲାକା ରଘୁବାରିରେ କ୍ୟାମ୍ପ ପ୍ରତିଷ୍ଠା ହେବାକୁ ଯାଉଥିବାରୁ ଅଞ୍ଚଳରେ ମାଓବାଦୀଙ୍କ ଗତିବିଧି ହ୍ରାସ ପାଇବା ନେଇ ପୁଲିସ୍ ଆଶାବାଦୀ ଅଛି।

Share Now:

Kalinga News Beuro

Next Post

ୱାର୍ଲଡ଼ ବୁକ ଅଫ ରେକର୍ଡ଼ରେ ୫ ବର୍ଷର ଶିଶୁ ସାଇ ସୋହନ

Wed May 4 , 2022
ଧଉଳି: ଓଲଟା ଭାବେ ଇଂରାଜୀ ବର୍ଣ୍ଣମାଳା ଡାକୁଛନ୍ତି। ଏମିତିକି ଶହେରୁ ୧ ଯାଏ ମଧ୍ୟ ନିର୍ଭୁଲ ଭାବେ କହୁଛନ୍ତି। ତାହା ପୁଣି ଖୁବ୍ ଅଳ୍ପ ସମୟ ଭିତରେ। ଖାଲି ସେତିକି ନୁହେଁ, ଭାରତର ୨୮ଟି ରାଜ୍ୟର ନାମ ସହିତ ରାଜଧାନୀର ନାମ ମଧ୍ୟ ପ୍ରାଞ୍ଜଳ ଭାବେ କହୁଛନ୍ତି। ତାଙ୍କର ଏହି ଚମତ୍କାର ପ୍ରତିଭା ପାଇଁ ନିକଟରେ ସେ ଇଣ୍ଡିଆ ବୁକ ଅଫ ରେକର୍ଡ଼ ଓ ୱାର୍ଲଡ଼ ବୁକ ଅଫ ରେକର୍ଡ଼ […]
୫ ବର୍ଷର ଶିଶୁ ସାଇ ସୋହନ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial