ରାଜଧାନୀରେ ବିଜେଡି ରାଜନୀତି ସରଗରମ : ଚର୍ଚ୍ଚାରେ ପ୍ରିୟଦର୍ଶୀଙ୍କ ବନ୍ଧୁମିଳନ

ଚର୍ଚ୍ଚାରେ ପ୍ରିୟଦର୍ଶୀଙ୍କ ବନ୍ଧୁମିଳନ

ଚନ୍ଦ୍ରଶେଖରପୁର: ଆସନ୍ତାବର୍ଷ ସାଧାରଣ ନିର୍ବାଚନ। ସମୟ ଯେତିକି ପାଖେଇ ଆସୁଛି, ରାଜ୍ୟ ରାଜନୀତି ସେତିକି ଚଳଚଞ୍ଚଳ ହୋଇଉଠୁଛି। ଉତ୍ତର ଭୁବନେଶ୍ବରର ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ରଙ୍କ ଏକ ବନ୍ଧୁମିଳନ ହଠାତ ରାଜଧାନୀ ରାଜନୀତିକୁ ସରଗରମ କରିଦେଇଛି। ଏହା ସହ ଭୁବନେଶ୍ବରର ବିଜେଡି ସଂଗଠନର ଆଭ୍ୟନ୍ତରୀଣ ରାଜନୀତି ତେଜିବା ସହ ଛକାପଞ୍ଝା ଆରମ୍ଭ ହୋଇଯାଇଛି। ୨୦୧୯ ସାଧାରଣ ନିର୍ବାଚନରେ ବିଜେଡି ଟିକେଟ୍‌ରୁ ବଞ୍ଚିତ ହେବା ପରେ ପ୍ରିୟଦର୍ଶୀ ଦଳର ରାଜ୍ୟ ସଂଗଠନରେ ସକ୍ରିୟ ଅଛନ୍ତି। ନିର୍ବାଚନ ପରେ ତାଙ୍କୁ ହାଉସିଂବୋର୍ଡ ଅଧ୍ୟକ୍ଷ ଭାବେ ଥଇଥାନ କରାଯାଇଥିଲା। ତେବେ ଗତ ବର୍ଷ ଜୁନ୍ ମାସରେ ତାଙ୍କୁ ଏହି ଦାୟିତ୍ବରୁ ଅବ୍ୟାହତି ଦିଆଯାଇଛି। ପର୍ଯ୍ୟବେକ୍ଷକ ଭାବେ ଅନ୍ୟ ଜିଲ୍ଲାକୁ ଯାଇ ଦଳର ସାଂଗଠନିକ କାର୍ଯ୍ୟ ବୁଝିବା ସହ ବିଭିନ୍ନ ଉପନିର୍ବାଚନରେ ଦାୟିତ୍ବ ସମ୍ଭାଳୁଛନ୍ତି। ରାଜଧାନୀର ବିଭିନ୍ନ ସାମାଜିକ, ସାଂସ୍କୃତିକ କାର୍ଯ୍ୟକ୍ରମରେ ତାଙ୍କ ଉପସ୍ଥିତି ଦେଖିବାକୁ ମିଳୁଛି। କିନ୍ତୁ ଉତ୍ତର ଭୁବନେଶ୍ବର ନିର୍ବାଚନମଣ୍ଡଳୀର କୌଣସି ଦଳୀୟ କାର୍ଯ୍ୟକ୍ରମରେ ତାଙ୍କୁ ଦେଖିବାକୁ ମିଳୁ ନାହିଁ। ଗତ ବିଏମ୍‌ସି ନିର୍ବାଚନରେ ମଧ୍ୟ ସେ ସକ୍ରିୟ ନଥିଲେ। କିନ୍ତୁ ସାଧାରଣ ନିର୍ବାଚନର କିଛି ମାସ ପୂର୍ବରୁ ଆଜି ଏକ ବଡ଼ଧରଣର ବନ୍ଧୁମିଳନର ଆୟୋଜନ କରି ଚର୍ଚ୍ଚାକୁ ଆସିଛନ୍ତି ପ୍ରିୟଦର୍ଶୀ। ନୀଳାଦ୍ରିବିହାରସ୍ଥିତ ଗ୍ରାଣ୍ଡ୍‌ ଲୁମ୍ବିନୀରେ ଆୟୋଜିତ ଏହି ବନ୍ଧୁମିଳନରେ ୫୦୦ରୁ ଅଧିକ ଯୁବକ ସାମିଲ ହୋଇଥିଲେ। ଏହି କାର୍ଯ୍ୟକ୍ରମରେ ଭୁବନେଶ୍ବର ବିଜେଡି ସଂଗଠନର କୌଣସି ଆଗଧାଡ଼ିର ନେତାଙ୍କୁ ଦେଖିବାକୁ ମିଳିନଥିଲା। ତେବେ ଯୋଗ ଦେଇଥିବା ଯୁବକମାନଙ୍କ ମଧ୍ୟରୁ କିଛି ଯୁବକ ବିଜେଡିର ସକ୍ରିୟ କର୍ମୀ। ବିଭିନ୍ନ ଦଳୀୟ କାର୍ଯ୍ୟକ୍ରମରେ ସେମାନଙ୍କୁ ଦେଖିବାକୁ ମିଳେ। ଆଜି ବନ୍ଧୁମିଳନ ମଞ୍ଚରେ କେବଳ ଶ୍ରୀ ମିଶ୍ର ହିଁ ଥିଲେ। ଯୁବକମାନେ ଶ୍ରୀ ମିଶ୍ରଙ୍କ ବେକରେ ଫୁଲମାଳ ପକାଇ ପାଛୋଟି ନେଇଥିଲେ। ଲମ୍ବା ସମୟ ଧରି ବିଭିନ୍ନ ବିଷୟରେ ଆଲୋଚନା ହୋଇଥିବା ସୂଚନା ମିଳିଛି। ନିର୍ଦ୍ଦିଷ୍ଟ ଭାବେ ନିର୍ବାଚନ କିମ୍ବା ପ୍ରିୟଦର୍ଶୀ ପ୍ରାର୍ଥୀ ହେବା ନେଇ ଠୋସ୍‌ ଆଲୋଚନା ହୋଇ ନଥିଲା। କିନ୍ତୁ ସାଂଗଠନିକ କାର୍ଯ୍ୟ ସମ୍ପର୍କରେ ଅନୌପଚାରିକ ଆଲୋଚନା ହୋଇଥିଲା।
ବନ୍ଧୁମିଳନ ସମ୍ପର୍କରେ ପ୍ରିୟଦର୍ଶୀ କହିଛନ୍ତି ଯେ ପିଲାମାନେ ପ୍ରତିବର୍ଷ ମୋ ଜନ୍ମ ଦିନ ପାଳନ କରିଥାନ୍ତି। ଗତ ୩ବର୍ଷ ଧରି କରୋନା ସଂକ୍ରମଣ ଯୋଗୁ ଏହି କାର୍ଯ୍ୟକ୍ରମ ବନ୍ଦ ଥିଲା। ଚଳିତ ବର୍ଷ ସେମାନେ ଜିଦି କରି ଏହି କାର୍ଯ୍ୟକ୍ରମ କରିଥିଲେ। ରାଜନୀତି ସହ ଏହାର କୌଣସି ସମ୍ପର୍କ ନାହିଁ।

Share Now:

Kalinga News Beuro

Next Post

ଇସଲାମନଗରକୁ ‘ଜଗଦୀଶପୁର’ ନାମରେ ନାମିତ କଲେ ମଧ୍ୟପ୍ରଦେଶ ସରକାର

Thu Feb 2 , 2023
ଭୋପାଳ: ମଧ୍ୟପ୍ରଦେଶ ସରକାର ଭୋପାଳ ଜିଲ୍ଲାରେ ଅବସ୍ଥିତ ଇସଲାମ ନଗର ଗ୍ରାମକୁ ଜଗଦୀଶପୁର ନାମରେ ନାମିତ କରିଛନ୍ତି। ଏବଂ ସରକାରଙ୍କର ଏହି ନିଷ୍ପତ୍ତିକୁ ଅବିଳମ୍ବେ କାର୍ଯ୍ୟକାରୀ କରାଯାଇଛି। ବୁଧବାର ଦିନ ମଧ୍ୟପ୍ରଦେଶ ପ୍ରଶାସନ ଏକ ସରକାରୀ ବିଜ୍ଞପ୍ତିରେ ଏହି ପରିବର୍ତ୍ତନ ଘୋଷଣା କରିଥିଲେ ଏବଂ ତୁରନ୍ତ ନାମରେ ପରିବର୍ତ୍ତନ ବିଷୟରେ ଉଲ୍ଲେଖ କରିଥିଲେ। ଇସଲାମ ନଗର ଗ୍ରାମକୁ ଜଗଦୀଶପୁର ନାମରେ ନାମିତ କରିବା ପାଇଁ ଜାରି କରିଥିବା ବିଜ୍ଞପ୍ତିରେ ମଧ୍ୟପ୍ରଦେଶ […]
ଇସଲାମନଗରକୁ ‘ଜଗଦୀଶପୁର’ ନାମ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial