ଆଉ କେତେ ବର୍ଷ ଲାଗିବ ବଇଁଚୁଆ କାଜ ବ୍ରିଜ୍‌ ନିର୍ମାଣ ?

ବଇଁଚୁଆ କାଜ ବ୍ରିଜ୍‌ ନିର୍ମାଣ କେବେ

ବାଲିଅନ୍ତା : ବିଧାୟକଙ୍କ ଜରିଆରେ ରାଜ୍ୟ ଜଳସମ୍ପଦ ମନ୍ତ୍ରୀ ଓ ଅର୍ଥମନ୍ତ୍ରୀଙ୍କୁ ଅଭିଯୋଗ କରାଗଲା। ଏମିତିକି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ବି ଦାବିପତ୍ର ଦିଆଗଲା। ବ୍ରିଜ୍‌ଟି ନିହାତି ଆବଶ୍ୟକ ବୋଲି ହୃଦ୍‌ବୋଧ ହେଲା ପରେ ଜଳସମ୍ପଦ ବିଭାଗ ପକ୍ଷରୁ ସର୍ଭେ କରାଗଲା ଏବଂ ବ୍ରିଜ୍‌ ନିର୍ମାଣ ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଗଲା। ବ୍ରିଜ୍‌ ନିର୍ମାଣ ପାଇଁ ଆବଶ୍ୟକ ବ୍ୟୟ ଅଟକଳ କରାଯାଇ ଫାଇଲ୍‌ ଅର୍ଥ ବିଭାଗକୁ ଦିଆଗଲା ବୋଲି ପ୍ରଚାର ହେଲା। କିନ୍ତୁ ଏସବୁ ଭିତରେ ବର୍ଷ ବର୍ଷ ବିତିଗଲାଣି। ବ୍ରିଜ୍ ନିର୍ମାଣ କେବେ ହେବ, ତା’ର କୌଣସି ସ୍ପଷ୍ଟ ଚିତ୍ର ନାହିଁ। ତେଣୁ ସ୍ଥାନୀୟ ଲୋକଙ୍କ ଭିତରେ ତୀବ୍ର ଅସନ୍ତୋଷ କୁହୁଳିବାରେ ଲାଗିଛି। ଏହା ହେଉଛି ପ୍ରସ୍ତାବିତ ବଇଁଚୁଆ କାଜ ବ୍ରିଜ୍‌ ନିର୍ମାଣର ଚିତ୍ର। ଏଥିପାଇଁ ଜଳସମ୍ପଦ ବିଭାଗ ଯେଉଁ ଫାଇଲ୍‌ ପ୍ରସ୍ତୁତ କରିଥିଲା, ତାହା ଏବେ କେଉଁଠି ଓ କିଭଳି ଅବସ୍ଥାରେ ଅଛି ‌ବୋଲି ବାଲିଅନ୍ତା ଓ ବାଲିପାଟଣାର ଲୋକେ ପ୍ରଶ୍ନ କରିଛନ୍ତି। ବ୍ରିଜ୍‌ ନିର୍ମାଣ ବାବଦରେ ଲୋକଙ୍କୁ ମିଛ କହି ଭଣ୍ଡେଇ ଦିଆଯାଉଛି ବୋଲି ଅଭିଯୋଗ ହେଉଛି।
ସୂଚନାଯୋଗ୍ୟ ଯେ ରାଜଧାନୀ ଉପକଣ୍ଠ ବାଲିଅନ୍ତା ବ୍ଲକ୍‌ ଅଧୀନ ବଇଁଚୁଆଠାରେ କୁଶଭଦ୍ରା ନଦୀରୁ ବାହାରିଥିବା ଧନୁଆ ନଈ ମୁଣ୍ଡରେ ଏହି କାଜ ରହିଛି। କୁଶଭଦ୍ରା ନଦୀରେ ବନ୍ୟା ଆସିଲେ, ଏହି କାଜ ଦେଇ ଉଦ୍‌ବୃତ୍ତ ଜଳ ନିଷ୍କାସନ ହୋଇଥାଏ। ଫଳରେ କାଜ ତଳେ ଥିବା ରାସ୍ତାରେ ଚଳାଚଳ ବନ୍ଦ ହୋଇଯାଏ। ଏହି ରାସ୍ତାଟି ଭୁବନପୁରରୁ ନିମାପଡ଼ାକୁ ଲମ୍ବିଛି। ଏହା ଉପରେ ବଇଁଚୁଆ, ଭିଙ୍ଗାରପୁର, ସତ୍ୟଭାମାପୁର, ବେଣ୍ଟପୁର ଓ କାକରୁଦ୍ରପୁର ପଞ୍ଚାୟତର ହଜାର ହଜାର ଲୋକ ନିର୍ଭର କରନ୍ତି। ମାତ୍ର ବନ୍ୟା ବେଳେ କାଜ ରାସ୍ତା ବୁଡ଼ିଯିବାରୁ ରାସ୍ତାରେ ଗମନାଗମନ ବନ୍ଦ ହୋଇଯାଏ। ସ୍ଥିତି ଏମିତି ହୁଏ ଯେ ରିଲିଫ୍ ଦଳ ଅପରପାର୍ଶ୍ଵକୁ ଯାଇପାରନ୍ତି ନାହିଁ। ରୋଗୀମାନଙ୍କୁ ଭାରରେ ବୋହି କାଜ ଅତିକ୍ରମ କରାଇବାକୁ ପଡ଼େ। ଏମିତିରେ ବର୍ଷା ଦିନେ ଏହି ରାସ୍ତାର ଅବସ୍ଥା ସବୁବେଳେ ଶୋଚନୀୟ ହୋଇପଡ଼ିଥାଏ। ଛାତ୍ରଛାତ୍ରୀମାନେ ସ୍କୁଲ୍‌ ଓ କଲେଜ ଯାଇପାରନ୍ତି ନାହିଁ। ତେଣୁ କାଜ ତଳ ରାସ୍ତାରେ ଏକ ବ୍ରିଜ୍‌ ନିର୍ମାଣ ଲାଗି ସ୍ଥାନୀୟ ଅଞ୍ଚଳବାସୀ ଦୀର୍ଘ ବର୍ଷ ହେଲା ଦାବି କରିଆସୁଛନ୍ତି। ଦୀର୍ଘ ଦିନର ଦାବି ପରେ ଏଠାରେ ଏକ ବ୍ରିଜ୍‌ ନିର୍ମାଣ କରିବାକୁ ଜଳସମ୍ପଦ ବିଭାଗ ରାଜି ହୋଇଥିଲା। ବ୍ୟୟ ଅଟକଳ କରି ଫାଇଲ୍‌ ଅର୍ଥ ବିଭାଗକୁ ପଠାଯାଇଛି ବୋଲି କୁହାଗଲା। ଏହି ଖବର ପ୍ରଚାରିତ ହେବା ପରେ ଲୋକମାନେ ଆଶ୍ବସ୍ତ ହୋଇଥିଲେ। କିନ୍ତୁ ଦୀର୍ଘ ବର୍ଷ ବିତିବା ପରେ ବି ବ୍ରିଜ୍ ନିର୍ମାଣର ନାଁ ଗନ୍ଧ ନାହିଁ। ଏ ସର୍ମ୍ପକରେ ନା ଜଳସମ୍ପଦ ବିଭାଗ ନା ଗ୍ରାମ୍ୟ ଉନ୍ନୟନ ବିଭାଗ ପାଖରେ ଉତ୍ତର ଅଛି। ତେବେ ଜଣେ ଯନ୍ତ୍ରୀଙ୍କ ସୂଚନାନୁସାରେ ଅର୍ଥ ବିଭାଗରେ ଫାଇଲ୍ ପଡ଼ିଛି। ସେଠାରୁ ମଞ୍ଜୁରୀ ମିଳିବା ପରେ ବ୍ରିଜ୍‌ ନିର୍ମାଣ କାମ ଆଗେଇବ।

Share Now:

Kalinga News Beuro

Next Post

ଗୋପାଳର ମାନସିକ ସ୍ଥିତି ଯାଞ୍ଚ ନେଇ କ୍ରାଇମବ୍ରାଞ୍ଚର ଆବେଦନ ଖାରଜ

Fri Mar 3 , 2023
ଝାରସୁଗୁଡ଼ା: କ୍ରାଇମ୍‌ବ୍ରାଞ୍ଚକୁ ଅଦାଲତି ଝଟକା ମିଳିଛି। ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡ ମାମଲାର ମୁଖ୍ୟ ଅଭିଯୁକ୍ତ ଗୋପାଳକୃଷ୍ଣ ଦାସର ମାନସିକ ସ୍ଥିତ ଯାଞ୍ଚ ପାଇଁ ବାଙ୍ଗାଲୁରୁର ନିମହାନ୍ସରେ ମେଡିକାଲ ଟେଷ୍ଟ କରିବାକୁ କ୍ରାଇମବ୍ରାଞ୍ଚ କରିଥିବା ଆବେଦନକୁ ଝାରସୁଗୁଡ଼ା ଅତିରିକ୍ତ ଜିଲ୍ଲା ସେସନ କୋର୍ଟ ଆଜି ଖାରଜ କରି ଦେଇଛନ୍ତି। କ୍ରାଇମବ୍ରାଞ୍ଚ ପକ୍ଷରୁ ଉପରୋକ୍ତ ପ୍ରାର୍ଥନା ନେଇ ପୂର୍ବରୁ ଝାରସୁଗୁଡ଼ା ଜିଲ୍ଲା ଜଜ କୋର୍ଟରେ ପ୍ରାର୍ଥନା କରାଯାଇଥିଲା। ଜିଲ୍ଲା ଜଜ […]
ଗୋପାଳର ମାନସିକ ସ୍ଥିତି ଯାଞ୍ଚ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial