ଭୁବନେଶ୍ୱର: ରାଜଧାନୀକୁ ସ୍ୱଚ୍ଛ କରିବା ପାଇଁ ବିଏମ୍ସି ବର୍ଷକୁ ପ୍ରାୟ ୬୫କୋଟି ଟଙ୍କା ଖର୍ଚ୍ଚ କରୁଛି। କିନ୍ତୁ ପରିମଳ ବ୍ୟବସ୍ଥା ଦେଖିଲେ ଭୁବନେଶ୍ୱର ଭଳି ସହରରେ ଏତେ ଟଙ୍କା ଖର୍ଚ୍ଚ ହେଉଛି ବୋଲି ଲାଗୁନି। କେଉଁଠି ଡଷ୍ଟବିନ୍ ନାହିଁ ତ କେଉଁଠି ଡଷ୍ଟବିନ୍ ଚାରିକଡ଼େ ଅଳିଆ ଗଦା ହୋଇ ରହିଛି। ଏପରିକି କେତେକ ସ୍ଥାନରୁ ସପ୍ତାହ ସପ୍ତାହ ଧରି ଅଳିଆ ଉଠୁନି। କେତେକ ସ୍ଥାନରେ ସଂଧ୍ୟାରେ ଅଳିଆ ଉଠୁଛି। ପରିମଳ ବ୍ୟବସ୍ଥା ସଜାଡ଼ିବା ପାଇଁ ବିଏମ୍ସି ପକ୍ଷରୁ ନଗର ସ୍ୱାସ୍ଥ୍ୟ ଅଧିକାରୀଙ୍କ ସମେତ ସାନିଟାରି ଇନ୍ସପେକ୍ଟର୍ମାନଙ୍କୁ ନିୟୋଜିତ କରାଯାଇଛି। ଜଣେ ଡେପୁଟି କମିସନର୍ ପରିମଳ ବ୍ୟବସ୍ଥା ଦାୟିତ୍ୱରେ ଅଛନ୍ତି। ଏପରିକି ବିଏମ୍ସି ଅଞ୍ଚଳକୁ ୧୩ଟି ସବ୍ଜୋନ୍ରେ ବିଭକ୍ତ କରାଯାଇ ଜଣେ ଜଣେ ବରିଷ୍ଠ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଛି। ସ୍ୱଚ୍ଛ ଭାରତ ମିସନ ସେଲ୍ ବି କାର୍ଯ୍ୟ କରୁଛି। ତଥାପି ସ୍ଥିତି ସୁଧୁରୁନି।
ରାଜଧାନୀର ପରିମଳ ବ୍ୟବସ୍ଥା ନ ସୁଧୁରିବାର ମୁଖ୍ୟ କାରଣ ହେଉଛି ସଫେଇ ବ୍ୟବସ୍ଥା ଠିକ୍ ଭାବେ ପରିଚାଳନା ହେଉନି। ସମସ୍ତେ ଦାୟିତ୍ୱରେ ଅଛନ୍ତି କିନ୍ତୁ ତ୍ରୁଟି ଯେଉଁଠି ରହୁଛି ତାକୁ ସଜାଡ଼ି ପାରୁନାହାନ୍ତିି। ଅଳିଆ ଓ୍ଵାର୍ଡସ୍ତରରୁ ଉଠିବା ପରେ ସୈନିକ ସ୍କୁଲସ୍ଥିିତ ଅସ୍ଥାୟୀ ଡମ୍ପିଂୟାର୍ଡରେ ବ୍ୟବସ୍ଥିତ ଢଙ୍ଗରେ ପଡ଼ି ପାରୁ ନଥିବାରୁ ସବୁ ଅବ୍ୟବସ୍ଥା ସୃଷ୍ଟି ହେଉଛି। ଏହାର ସମାଧାନ ବାହାର କରିବା ବଦଳରେ କର୍ତ୍ତୃପକ୍ଷ ଅନ୍ଧାରରେ ବାଡ଼ି ବୁଲାଇଲା ଭଳି ପଦକ୍ଷେପ ନେଉଛନ୍ତି। ଅପରାହ୍ଣ ୨ଟା ଭିତରେ ଓ୍ଵାର୍ଡରୁ ଅଳିଆ ଉଠିବା ବଦଳରେ ସଂଧ୍ୟାରେ କେତେକ ସ୍ଥାନରେ ଅଳିଆ ଉଠୁଛି। ମିଳିଥିବା ସୂଚନା ଅନୁଯାୟୀ, ସୈନିକ ସ୍କୁଲ ଅସ୍ଥାୟୀ ଡମ୍ପିଂୟାର୍ଡରେ ଦୈନିକ ପ୍ରାୟ ୧୭୦ରୁ ଅଧିକ ଟ୍ରିପ୍ ଅଳିଆ ପଡ଼ୁଛି। କିନ୍ତୁ ଅଳିଆ ଓଜନ ହେବା ପାଇଁ ଗୋଟିଏ ୱେ ବ୍ରିଜ୍ ଅଛି। ଓଜନ କରିବା ପରେ ଡମ୍ପିଂୟାର୍ଡରେ ପକାଇବାର ନିୟମ ଥିବାରୁ ଦୀର୍ଘ ସମୟ ପର୍ଯ୍ୟନ୍ତ ଅଳିଆ ବୋଝେଇ ଗାଡ଼ିଗୁଡ଼ିକ ରାସ୍ତା ଉପରେ ଛିଡ଼ା ହେଉଛି। ଗୋଟିଏ ଗାଡ଼ି ଅଳିଆ ଓଜନ କରି ଡମ୍ପିଂୟାର୍ଡ ଭିତରକୁ ପଶିବାକୁ ପ୍ରାୟ ୪ରୁ ୫ମିନିଟ୍ ଲାଗୁଥିବାରୁ ଗାଡ଼ିଗୁଡ଼ିକ ଓ୍ଵାର୍ଡରୁ ଅଳିଆ ଉଠାଇବାରେ ସମସ୍ୟା ହେଉଛି। ଅସ୍ଥାୟୀ ଡମ୍ପିଂୟାର୍ଡରେ ଦୁଇଟି ୱେ ବ୍ରିଜ୍ ଲାଗିଥିଲେ ହେଁ ଗୋଟିଏ ଲାଗିବା ଦିନରୁ କାର୍ଯ୍ୟ କରୁ ନଥିବାବେଳେ ଗୋଟିଏ ମେସିନ୍ ଉପରେ ପୂରା ବ୍ୟବସ୍ଥା ନିର୍ଭର କରୁଛି। କେତେକ ଓ୍ଵାର୍ଡରୁ ଦିନ ଦିନ ଧରି ଅଳିଆ ନ ଉଠିବା ଏବଂ ଅଧିକାଂଶ ସମୟରେ ସଂଧ୍ୟାରେ ଅଳିଆ ଉଠିବା ନେଇ ସଫେଇ ସଂସ୍ଥାଙ୍କ ଯୁକ୍ତି ଯେ, ଅଳିଆ ଗାଡ଼ି ଡମ୍ପିଂୟାର୍ଡରେ ଆବର୍ଜନା ଖାଲି କରିବାକୁ ଆସିବାରେ ବିଳମ୍ବ ହେଉଥିବାରୁ ଆମେ ଧାର୍ଯ୍ୟ ସମୟରେ ଅଳିଆ ଉଠାଇପାରୁନୁ। ଗୋଟିଏ ୱେ ବ୍ରିଜ୍ ଥିବାରୁ ଗୋଟେ ଟ୍ରିପ୍ ଅଳିଆ ଅନଲୋଡ୍ କରିବାକୁ ପ୍ରାୟ ଘଣ୍ଟାଏ ଲାଗିଯାଉଛି। ଏନେଇ ବିଏମ୍ସି କର୍ତ୍ତୃପକ୍ଷଙ୍କୁ ବାରମ୍ବାର ଅଭିଯୋଗ କଲେ ବି କିଛି ଲାଭ ହେଉନି। ବିଏମ୍ସି ଯେଉଁ ବ୍ୟବସ୍ଥା କରିଛି ସେଥିରେ ଧାର୍ଯ୍ୟ ସମୟରେ ଅଳିଆ ଉଠାଇବାକୁ ହେଲେ ପ୍ରତି ଓ୍ଵାର୍ଡ ପାଇଁ ଗୋଟିଏ ଲେଖାଏଁ ଗାଡ଼ି ସ୍ୱତନ୍ତ୍ର ଭାବେ ନିୟୋଜିତ କରିବାକୁ ପଡ଼ିବ। ଏହା ସମ୍ଭବ ନୁହେଁ। ଯଦି ଦୁଇଟି ଯାକ ୱେ ବ୍ରିଜ୍ କାର୍ଯ୍ୟକ୍ଷମ ହେବ ତେବେ ସମୟରେ ଅଳିଆ ଉଠିବା କିଛି ମାତ୍ରାରେ ସମ୍ଭବପର ହେବ। ଏହାବାଦ୍ ଦାରୁଠେଙ୍ଗସ୍ଥିତ ଡମ୍ପିଂୟାର୍ଡରେ ଯଦି ୱେ ବ୍ରିଜ୍ ଲଗାଯିବ ତେବେ ଖଣ୍ଡଗିରି ଅଞ୍ଚଳରୁ ଅଳିଆ ଆଣି ସୈନିକ ସ୍କୁଲ ନିକଟକୁ ଆସିବାକୁ ପଡ଼ିବନି।
ଏନେଇ ବିଏମ୍ସିର ଜଣେ ବରିଷ୍ଠ ଅଧିକାରୀଙ୍କୁ ଯୋଗଯୋଗ କରିବାରୁ ସେ କହିଛନ୍ତି ଯେ, ଦୈନିକ ପ୍ରତି ଓ୍ଵାର୍ଡରୁ ଅଳିଆ ଉଠିବ ଏବଂ ଅପରାହ୍ଣ ୨ଟା ସୁଦ୍ଧା ଅସ୍ଥାୟୀ ଡମ୍ପିଂୟାର୍ଡରେ ଅଳିଆ ପକାଇବାକୁ କୁହାଯାଇଛି। କିନ୍ତୁ କେତେକ ସଂସ୍ଥା ଏହାକୁ ମାନୁନାହାନ୍ତି। ଆବଶ୍ୟକତାଠାରୁ କମ୍ ଗାଡ଼ି ଆବର୍ଜନା ପରିବହନରେ ଲଗାଉଥିବାରୁ ଏହି ସମସ୍ୟା ଉପୁଜୁଛି। ତେଣୁ ସଫେଇ ସଂସ୍ଥା ଯେପରି ଧାର୍ଯ୍ୟ ସମୟରେ ଆବର୍ଜନା ଉଠାଇବେ ସେନେଇ ଖୁବ୍ ଶୀଘ୍ର ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ବିଏମ୍ସି ନଗର ସ୍ୱାସ୍ଥ୍ୟ ଅଧିକାରୀ ଡା. ରାମଚନ୍ଦ୍ର ରାଉତଙ୍କୁ ଯୋଗାଯୋଗ କରିବାରୁ ସେ କହିଛନ୍ତି ଯେ, ରାଜଧାନୀ କିପରି ସ୍ୱଚ୍ଛ ସହର ହେବ ସେଥିପାଇଁ ପଦକ୍ଷେପ ନିଆଯାଉଛି। ୱେ ବ୍ରିଜ୍ ସମସ୍ୟା ସମାଧାନ ପାଇଁ ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିିଟେଡ୍ ପକ୍ଷରୁ ସୈନିକ ସ୍କୁଲ ନିକଟସ୍ଥ ଟିଟିଏସ୍ରେ ଦୁଇଟି ୱେ ବ୍ରିଜ୍ ଲଗାଯିବ। ଦାରୁଠେଙ୍ଗସ୍ଥିତ ଡମ୍ପିଂୟାର୍ଡରେ ୱେ ବ୍ରିଜ୍ ଲଗାଇବା ଏବେ ସୁରକ୍ଷିତ ନୁହେଁ। ସେଠାରେ ପ୍ଲାଣ୍ଟ ନିର୍ମାଣ ହେବା ପରେ ୱେ ବ୍ରିଜ୍ ଲାଗିବ।
ନଭେମ୍ବରରୁ ଯାନ୍ତ୍ରିକ ସଫେଇ
ଭୁବନେଶ୍ୱର: ହକି ବିଶ୍ୱକପ୍ ପୂର୍ବରୁ ରାଜଧାନୀରେ ଯାନ୍ତ୍ରିକ ସଡ଼କ ସଫେଇ ବ୍ୟବସ୍ଥା ଆରମ୍ଭ ହେବ। ଏଥିପାଇଁ ବିଏମ୍ସି ଦୁଇଟି ସଂସ୍ଥାକୁ ବାଛିଛି। ଦୁଇଟି ସଂସ୍ଥା ରାଜଧାନୀର ୮୦କିମି ରାସ୍ତାରେ ମେସିନ୍ ସହାୟତାରେ ସଫେଇ କରିବେ। ଏନେଇ ଖୁବ୍ ଶୀଘ୍ର କାର୍ଯ୍ୟାଦେଶ ଦିଆଯିବ ବୋଲି ବିଏମ୍ସି ପକ୍ଷରୁ କୁହାଯାଇଛି। ମୋଟ୍ ୮୦କିମି ରାସ୍ତାକୁ ଦୁଇଟି ପ୍ୟାକେଜ୍ରେ ବିଭକ୍ତ କରାଯାଇଥିବାବେଳେ ପ୍ୟାକେଜ୍ ୧ରେ ୩୭କିମି ଏବଂ ପ୍ୟାକେଜ୍-୨ରେ ୪୩.୫କିମି ରାସ୍ତା ରହିଛି। ପଞ୍ଜାବର ପ୍ରୋ ପାଓ୍ଵାର ସୁଇପିଂ କମ୍ପାନି ପ୍ରା ଲିଃ ଏବଂ ଲାୟନ୍ସ ସର୍ଭିସେସ୍ ଲିଃ ମିଳିତ ଭାବେ ପ୍ୟାକେଜ୍-୧ରେ ସଫେଇ କରିବାକୁ ଥିବାବେଳେ ପ୍ୟାକେଜ୍-୨ରେ ଝାଡ଼ଖଣ୍ଡର ୟୁନାଇଟେଡ୍ ଏୟାର ଏକ୍ସପ୍ରେସ୍ ପ୍ୟାକେଜ୍-୨ରେ ସଫେଇ କରିବେ। ଏହି ଦୁଇଟି ସଂସ୍ଥା ରାତି ୧୦ଟାରୁ ସକାଳ ୬ଟା ମଧ୍ୟରେ ମେସିନ୍ ମାଧ୍ୟମରେ ସଫେଇ କରିବେ।
ବିଏମ୍ସିର ସୂଚନା ଅନୁଯାୟୀ, ପ୍ୟାକେଜ୍-୧ରେ କିଟ୍ ଛକରୁ ଜୟଦେବ ବିହାର ଛକ, ସିଆର୍ପିରୁ ପାୱାରହାଉସ୍, ଷ୍ଟିୱାର୍ଟ ସ୍କୁଲରୁ ଡେଲ୍ଟା, ଗଭର୍ଣ୍ଣର ହାଉସରୁ ଗୋପବନ୍ଧୁ ଛକ, ଗୋପବନ୍ଧୁ ଛକରୁ ଶିରିପୁର ଛକ, ଗୋପବନ୍ଧୁ ଛକରୁ ପାଇକ ନଗର ଛକ, ଡେଲ୍ଟାରୁ ଫାୟାରଷ୍ଟେସନ୍ ଛକ, ଡେଲ୍ଟାରୁ ଗଙ୍ଗନଗର, ଗଭର୍ଣ୍ଣର ହାଉସ୍ରୁ ଗଙ୍ଗନଗର ଛକ, ଜୟଦେବ ବିହାରରୁ ଗଭର୍ଣ୍ଣର ହାଉସ, କିଟ୍ ଛକରୁ ଶିଖରଚଣ୍ଡୀ, ଶିଖରଚଣ୍ଡୀରୁ ଇନ୍ଫୋସିସ୍ ଛକ, ପଟିଆ ଛକରୁ ଇନ୍ଫୋସିସ୍, ଆଇଆର୍ସି ଭିଲେଜ୍ ରିଙ୍ଗ୍ରୋଡ୍ (ସିଆର୍ପି ଛକ – ଏକାମ୍ରକାନନ – ଜୟଦେବ ବିହାର), ଖଣ୍ଡଗିରି ଛକ ରସୁଲଗଡ ଛକ ଜାତୀୟରାଜପଥ।
ପ୍ୟାକେଜ୍-୨ରେ ରାଜ୍ୟ ସଂଗ୍ରହାଳୟରୁ ଗ୍ୟାରେଜ୍ ଛକ, ବାଣୀବିହାରରୁ ଶିଶୁଭବନ, ଶିଶୁଭବନରୁ କ୍ୟାପିଟାଲ ହସ୍ପିଟାଲ, ନୂଆ ଏୟାରପୋର୍ଟରୁ ଏୟାରପୋର୍ଟ ଗୋଲେଇ, କଳ୍ପନା ଛକରୁ ଗଭର୍ଣ୍ଣର ହାଉସ୍, ରାଜ୍ୟ ସଂଗ୍ରହାଳୟରୁ ରସୁଲଗଡ, ଗଙ୍ଗନଗରରୁ ଶିଶୁଭବନ ଛକ, ଶିଶୁଭବନରୁ ମାଉସୀମା’ ଛକ, ମାଉସୀମା’ ଛକରୁ ରାଜ୍ୟ ସଂଗ୍ରହାଳୟ, ମାଉସୀ ମା’ ଛକରୁ ବଢ଼େଇବାଙ୍କ, ବଢେଇବାଙ୍କରୁ ପୁନାମା ଗେଟ୍ ଛକ, ପୁନାମା ଗେଟରୁ ଫରେଷ୍ଟ ପାର୍କ ବସ୍ଷ୍ଟାଣ୍ଡ, ବଢ଼େଇବାଙ୍କ ଛକରୁ ଗ୍ୟାରେଜ୍ ଛକ, ଗଙ୍ଗନଗରରୁ ଏଲ୍ଆଇସି ଛକ, ପଟେଲମାର୍ଗ, ମଧୁସୂଦନ ମାର୍ଗ, ରବୀନ୍ଦ୍ରମଣ୍ଡପ ଛକରୁ ୧୨୦ ବାଟାଲିୟାନ୍ ଛକ, ନିକୋ ପାର୍କରୁ ମହର୍ଷି କଲେଜ ଛକ, ଖଣ୍ଡଗିରିରୁ ଲିଙ୍ଗରାଜ ଷ୍ଟେସନ୍ ଗେଟ୍- ପୁନାମାଗେଟ୍ ଫ୍ଲାଇ-ଓଭର, ଆଚାର୍ଯ୍ୟ ବିହାର ଛକରୁ କଳିଙ୍ଗହସ୍ପିଟାଲ୍ ଏବଂ ପ୍ରେସ୍ ଛକରୁ ଓମଫେଡ୍ ଛକ। ନିୟୋଜିତ ସଂସ୍ଥାଗୁଡ଼ିକ ନିର୍ମାଣ ଜନିତ ବର୍ଜ୍ୟବସ୍ତୁ ସଫା କରି ତାହାକୁ ପୋଖରୀପୁଟ ଓ ପଟିଆରେ ଥିବା ନିର୍ଦ୍ଧାରିତ ସ୍ଥାନରେ ଜମାକରିବେଏବଂ ଅନ୍ୟ ସାଧାରଣ ଆବର୍ଜନାକୁ ସୈନିକ ସ୍କୁଲ୍ ନିକଟରେରହିଥିବା ଅସ୍ଥାୟୀ ଡମ୍ପିଂୟାର୍ଡରେ ଜମା କରିବେ। ଏହାସହ ରାଜଧାନୀରେ ଲାଗିଥିବା ଫଳକ, ଷ୍ଟ୍ରିଟ୍ ଫର୍ଣ୍ଣିଚର୍ଏବଂ ପ୍ରତିମୂର୍ତ୍ତିଗୁଡ଼ିକ ଯେପରି ସଫା ରହିବ ତାହା ନିଶ୍ଚିତ କରିବେ।