କଟକ : ରାଜ୍ୟରେ ଲକଡାଉନ ସ୍ଥିତି ଜାରି ରହିଥିବାରୁ ଗାଡ଼ିର ଫିଟନେସ, ପରମିଟ୍, ଡ୍ରାଇଭିଂ ଲାଇସେନ୍ସ ଏବଂ ରେଜିଷ୍ଟ୍ରେସନ ସଂକ୍ରାନ୍ତ କାଗଜପତ୍ରର ବୈଧତା ବୃଦ୍ଧି କରାଯାଇଛି। ଏ ସମସ୍ତ କାଗଜପତ୍ରର ବୈଧତା ଆସନ୍ତା ସେପ୍ଟେମ୍ବର ୩୦ ତାରିଖ ଯାଏ ବୃଦ୍ଧି କରାଯାଇଛି। ଏହି ସମୟସୀମା ମଧ୍ୟରେ କୌଣସି କାଗଜପତ୍ରର ବୈଧତା ଶେଷ ହେଲେ ବି ତାକୁ ବୈଧ ବୋଲି ବିଚାର କରାଯିବାକୁ ପରିବହନ କମିଶନର ନିର୍ଦ୍ଦେଶ ଦେଇଛନ୍ତି। ସୂଚନା ଅନୁଯାୟୀ, ଗାଡ଼ିର ଫିଟନେସ, ସମସ୍ତ ପ୍ରକାର ପରମିଟ, ଡ୍ରାଇଭିଂ ଲାଇସେନ୍ସ, ପଞ୍ଜିକରଣ ସାର୍ଟିଫିକେଟ ଏବଂ ଅନ୍ୟାନ୍ୟ ଯାନବାହାନ ସଂକ୍ରାନ୍ତ ଯେଉଁ ପ୍ରମାଣପତ୍ରର ବୈଧତା ଫେବୃଆରୀ ୧ ତାରିଖରୁ ଶେଷ ହୋଇଯାଇଛି, ସେଗୁଡ଼ିକର ବୈଧତା ଆସନ୍ତା ସେପ୍ଟେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ମୋଟର ଯାନ ଆଇନ ୧୯୮୮ ଏବଂ କେନ୍ଦ୍ରୀୟ ମୋଟର ଭେଇକିଲ୍ ରୁଲ ୧୯୮୯ ଆଧାରରେ ଲକଡାଉନ ପାଇଁ ବୈଧତା ବୃଦ୍ଧି କରାଯାଇଛି। ଯେଉଁ ଯାନବାହାନର ଫିଟନେସ୍, ନନ୍ ଟ୍ରାନସପୋର୍ଟ ଭେଇକିଲର ପଞ୍ଜିକରଣ ସାର୍ଟିଫିକେଟ୍, ଡ୍ରାଇଭିଂ ଲାଇସେନ୍ସ ଫେବ୍ରୁଆରି ୧ ତାରିଖରୁ ସେପ୍ଟେମ୍ବର ୩୦ ତାରିଖ ମଧ୍ୟରେ ଶେଷ ହେଉଥିବ, ସେଗୁଡ଼ିକର ବୈଧତା ସେପ୍ଟେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ବୈଧ ବୋଲି ଧରାଯିବ। ସେହିପରି ଯେଉଁ ଲର୍ଣ୍ଣିଂ ଲାଇସେନ୍ସ ଗୁଡ଼ିକର ବୈଧତା ମାର୍ଚ୍ଚ ୧୮ ତାରିଖରୁ ସେପ୍ଟେମ୍ବର ୩୦ ଭିତରେ ଶେଷ ହେଉଛି, ସେଗୁଡ଼ିକର ବୈଧତା ସେପ୍ଟେମ୍ବର ୩୦ ଯାଏ ରହିବ। ଯେଉଁ ମାଲ ପରିବହନ ଗାଡ଼ି, ଶିକ୍ଷାନୁଷ୍ଠାନରେ ବ୍ୟବହାର ହେଉଥିବା ବସ, ବ୍ୟକ୍ତିଗତ ଗାଡ଼ିର ପରମିଟ୍ ଗଲା ଫେବୃଆରୀ ୧ ତାରିଖରୁ କିମ୍ବା ସେପ୍ଟେମ୍ବର ୩୦ ତାରିଖରେ ଶେଷ ହେବ, ସେଗୁଡ଼ିକ ସେପ୍ଟମ୍ବର ୩୦ ଯାଏ ବୈଧ ବୋଲି ବିଚାର କରାଯିବ। ପରିବହନ କମିଶନର ସଂଜୀବ ପଣ୍ଡା କହିଛନ୍ତି ଯେ ଲୋକଙ୍କ ସୁବିଧା ପାଇଁ ବୈଧତା ସମୟସୀମା ବୃଦ୍ଧି କରାଯାଇଛି।
କୋହଳ ହେଲା ପରିବହନ ବିଭାଗ କାଗଜପତ୍ରର ବୈଧତା

Share Now: