ନୂଆଦିଲ୍ଲୀ: କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଆଜି ସରକାରୀ ବଙ୍ଗଳା(୧୨, ତୁଗଲକ୍ ଲେନ୍) ଛାଡିଦେଇଛନ୍ତି। ରାହୁଲ ଗାନ୍ଧିଙ୍କ ବଙ୍ଗଳାରେ ଥିବା ତାଙ୍କ ଆସବାବପତ୍ର ଓ ଅନ୍ୟ ସାମଗ୍ରୀକୁ ଏକ ଟ୍ରକରେ ସୋନିଆ ଗାନ୍ଧିଙ୍କ ବାସଭବନ (୧୦ ଜନପଥ)କୁ ସ୍ଥାନାନ୍ତର କରାଯାଇଛି। ଆଉ ରାହୁଲ ନିଜ ମା’ଙ୍କ ପାଖକୁ ଚାଲିଯାଇଛନ୍ତି। ସେହିପରି ସରକାରୀ ବଙ୍ଗଳା ଖାଲି କରିବା ପରେ ଏହାର ଚାବି ସେ ଲୋକସଭା ସଚିବାଳୟର ଅଧିକାରୀଙ୍କୁ ହସ୍ତାନ୍ତର ମଧ୍ୟ କରିଛନ୍ତି। ଉଲ୍ଲେଖ ଥାଉ କି ଏପ୍ରିଲ୍ ୧୪ରେ, ରାହୁଲ ଗାନ୍ଧୀ ତାଙ୍କ କାର୍ଯ୍ୟାଳୟ ଏବଂ କିଛି ବ୍ୟକ୍ତିଗତ ଜିନିଷକୁ ତାଙ୍କ ମା ସୋନିଆ ଗାନ୍ଧୀଙ୍କ ସରକାରୀ ବାସଭବନକୁ ସ୍ଥାନାନ୍ତର କରିଥିଲେ। ଆଉ ଆଜି ବଳକା ଜିନିଷକୁ ସ୍ଥାନାନ୍ତର କରିଛନ୍ତି। ଗତକାଲି କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ଆଜି ଶକ୍ତ ଝଟ୍କା ଲାଗିଥିଲା। ମୋଦୀ ସାଙ୍ଗିଆ ଟିପ୍ପଣୀ ମାମଲାରେ ହୋଇଥିବା ଜେଲ୍ ଦଣ୍ଡାଦେଶ ଉପରେ ରୋକ୍ ଲଗାଇବା ପାଇଁ ସେ ସୁରଟ ସେସନ୍ସ କୋର୍ଟରେ ଆବେଦନ କରିଥିଲେ। କିନ୍ତୁ କୋର୍ଟ ରାହୁଲଙ୍କ ଆବେଦନ ଖାରଜ କରିଦେଇଥିଲେ। ଫଳରେ ସାଂସଦ ରହିବାକୁ ସେ ଅଯୋଗ୍ୟ ଘୋଷିତ ହୋଇଛନ୍ତି।

ରାହୁଲ ପ୍ରାୟ ଦୁଇ ଦଶନ୍ଧି ଧରି ଏହି ବଙ୍ଗଳାରେ ରହୁଥିଲେ। ମାର୍ଚ୍ଚ ୨୩ରେ ସୁରତର ଏକ ଅଦାଲତ ମୋଦୀ ସାଙ୍ଗିଆ ନେଇ ନକାରାତ୍ମକ ଟିପ୍ପଣୀ ସଂକ୍ରାନ୍ତୀୟ ମାନହାନୀ ମାମଲାରେ ତାଙ୍କୁ ୨ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଥିଲେ। ତେବେ ଏହାର କିଛି ସମୟ ପରେ ତାଙ୍କୁ ଜାମିନ ମଧ୍ୟ ମିଳିଥିଲା। କିନ୍ତୁ ଏହାର ପରଦିନ ତାଙ୍କର ସଂସଦ ସଦସ୍ୟପଦ ରଦ୍ଦ କରାଯାଇଥିଲା। ସେ କେରଳର ୱାୟାନାଡରୁ ଲୋକସଭା ସଦସ୍ୟ ଥିଲେ। ସଂସଦର ସଦସ୍ୟତା ରଦ୍ଦ ହେବା ପରେ ମାର୍ଚ୍ଚ ୨୭ତାରିଖରେ ଏପ୍ରିଲ ୨୨ ସୁଦ୍ଧା ତାଙ୍କୁ ବଙ୍ଗଳା ଖାଲି କରିବାକୁ ନୋଟିସ୍ ଦିଆଯାଇଥିଲା। ଉଲ୍ଲେଖ ଥାଉ କି କିଛି ବର୍ଷ ପୂର୍ବେ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ଏସପିଜି ସୁରକ୍ଷା ହଟାଯିବା ପରେ ଲୋଧି ଇଷ୍ଟେଟରେ ଥିବା ବଙ୍ଗଳା ଖାଲି କରିବାକୁ କୁହାଯାଇଥିଲା। ରାହୁଲ ଗାନ୍ଧୀ ପ୍ରଥମେ ୨୦୦୪ରେ ଉତ୍ତରପ୍ରଦେଶର ଆମେଥିରୁ ସାଂସଦ ଭାବରେ ନିର୍ବାଚିତ ହୋଇଥିଲେ ଏବଂ ୨୦୧୯ରେ ସେ କେରଳର ୱାୟାନାଡରୁ ଲୋକସଭା ନିର୍ବାଚନ ଜିତିଥିଲେ।