ନୂଆଦିଲ୍ଲୀ: ମହାରାଷ୍ଟ୍ରର ପାଲଘରରେ ଦୁଇ ସାଧୁ ଏବଂ ସେମାନଙ୍କ ଡ୍ରାଇଭର ହତ୍ୟା ଘଟଣାର ତଦନ୍ତକୁ ରାଜ୍ୟ ସରକାର ସିବିଆଇକୁ ହସ୍ତାନ୍ତର କରିବେ। ରାଜ୍ୟ ସରକାରଙ୍କଠାରୁ ଏହି ସୂଚନା ପାଇବା ପରେ ସୁପ୍ରିମକୋର୍ଟ ଏହି ମାମଲାର ଶୁଣାଣି ବନ୍ଦ କରିଦେଇଛନ୍ତି। ୨୦୨୦ ମସିହାରେ ଏହି ଘଟଣାର ତଦନ୍ତ ସିବିଆଇକୁ ହସ୍ତାନ୍ତର ଦାବିରେ ଦୁଇଟି ଆବେଦନ ବିଚାରାଧୀନ ଥିଲା। ତେବେ ଉଦ୍ଧବ ଠାକରେ ସରକାର ଏହାକୁ ବିରୋଧ କରିଥିଲେ। ବର୍ତ୍ତମାନ ସିନ୍ଦେ ସରକାର ତଦନ୍ତକୁ ସିବିଆଇକୁ ହସ୍ତାନ୍ତର କରିବାକୁ କହିଛନ୍ତି। ଏପ୍ରିଲ ୧୬, ୨୦୨୦ରେ ୭୨ ବର୍ଷୀୟ ସନ୍ଥ ମହାରାଜ କଳ୍ପବୃକ୍ଷ ଗିରି ଏବଂ ୩୫ ବର୍ଷୀୟ ସୁଶୀଲ ଗିରି ମହାରାଜ ନିଜ ଗୁରୁଙ୍କ ଅନ୍ତିମ ସଂସ୍କାରରେ ଯୋଗଦେବା ପାଇଁ ମୁମ୍ବାଇରୁ ସୁରଟକୁ ଯାଉଥିଲେ। ତାଙ୍କ କାରକୁ ଡ୍ରାଇଭର ନୀଲେଶ ତେଲଗେଡେ ଚଳାଉଥିଲେ। ମୁମ୍ବାଇଠାରୁ ୧୪୦ କିଲୋମିଟର ଦୂରରେ ଥିବା ପାଲଘରରେ ସେମାନଙ୍କ କାରକୁ କିଛି ଲୋକ ଆକ୍ରମଣ କରିଥିଲେ।
ଏହି ଅଞ୍ଚଳରେ ଶିଶୁ ଅପହରଣକାରୀ ଗ୍ୟାଙ୍ଗ ସକ୍ରିୟ ଥିବା ଗୁଜବ ଯୋଗୁଁ ଲୋକଙ୍କ ଭିଡ ଜମିଥିଲା। ଆଉ ଏହି ଲୋକମାନେ କାରରେ ଯାଉଥିବା ସନ୍ଥ ଓ ଡ୍ରାଇଭରଙ୍କୁ ଅପହରଣକାରୀ ଗ୍ୟାଙ୍ଗର ସଦସ୍ୟ ବୋଲି ଭାବି ପିଟିପିଟି ହତ୍ୟା କରିଥିଲେ। ଏହି ଘଟଣାର ଭିଡିଓ ସାମ୍ନାକୁ ଆସିବା ପରେ ସାରା ଦେଶରୁ ବିରୋଧର ସ୍ୱର ଉଠିଥିଲା। ଭିଡିଓରେ ଦେଖିବାକୁ ମିଳିଥିଲା ଯେ ସାଧୁଙ୍କୁ ସୁରକ୍ଷା ଦେବା ପରିବର୍ତ୍ତେ ପୁଲିସ ତାଙ୍କୁ ସୁରକ୍ଷା ଦେଇନଥିଲା। ଏହି ଘଟଣାକୁ ନେଇ ମହନ୍ତ ସିଦ୍ଧାନନ୍ଦ ସରସ୍ୱତୀ ଏବଂ ଓକିଲ ଶଶାଙ୍କ ଶେଖର ଏକ ନିରପେକ୍ଷ ଏଜେନ୍ସି ଦ୍ୱାରା ଯାଞ୍ଚ କରାଯିବାକୁ ସୁପ୍ରିମକୋର୍ଟରେ ପିଟିସନ ଦାଖଲ କରିଥିଲେ। ପୂର୍ବ ରାଜ୍ୟ ସରକାରଙ୍କ ପକ୍ଷରୁ ତଦନ୍ତକୁ ସିଆଇଡି ହସ୍ତାନ୍ତର କରିବାକୁ ଆବେଦନକାରୀମାନେ ବିରୋଧ କରିଥିଲେ। ରାଜ୍ୟ ସରକାରଙ୍କ ତଦନ୍ତ ପର୍ଯ୍ୟାପ୍ତ ନୁହେଁ ବୋଲି କହିଥିଲେ।
ପାଲଘର ସାଧୁ ହତ୍ୟା ଘଟଣାର ତଦନ୍ତ କରିବ ସିବିଆଇ : ସୁପ୍ରିମକୋର୍ଟରେ ସୂଚନା ଦେଲେ ମହାରାଷ୍ଟ୍ର ସରକାର

Share Now: