ସଂସଦରେ ରାଷ୍ଟ୍ରପତିଙ୍କ ଅଭିଭାଷଣ : ମୋ ସରକାର ଭୟଶୂନ୍ୟ, ନିର୍ଣ୍ଣାୟକ

ମୋ ସରକାର ଭୟଶୂନ୍ୟ-1

ନୂଆଦିଲ୍ଲୀ: ୨୦୨୩ ବଜେଟ୍ ଅଧିବେଶନ ପ୍ରାରମ୍ଭରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଙ୍ଗଳବାର ସଂସଦର ମିଳିତ ଅଧିବେଶନକୁ ସମ୍ବୋଧିତ କରିଛନ୍ତି। ଗତ ଜୁଲାଇରେ କାର୍ଯ୍ୟଭାର ଗ୍ରହଣ କରିବା ପରେ ରାଜ୍ୟସଭା ଓ ଲୋକସଭା ସଦସ୍ୟଙ୍କ ମିଳିତ ଅଧିବେଶନରେ ଏହା ରାଷ୍ଟ୍ରପତି ମୁର୍ମୁଙ୍କର ପ୍ରଥମ ଉଦ୍‌ବୋଧନ। ଦେଶରେ ଏବେ ସ୍ଥିର, ଭୟଶୂନ୍ୟ ଏବଂ ନିର୍ଣ୍ଣାୟକ ସରକାର ରହିଛି ଏବଂ କୌଣସି ପାତରଅନ୍ତର ନଥାଇ ସବୁ ଶ୍ରେଣୀର ବିକାଶ ପାଇଁ ସରକାର ଅହରହ କାମ କରୁଛି ବୋଲି ରାଷ୍ଟ୍ରପତି କହିଛନ୍ତି। ଆଜି ଭାରତର ଆତ୍ମବିଶ୍ୱାସ ସର୍ବୋଚ୍ଚ ସ୍ତରରେ ରହିଛି ଏବଂ ବିଶ୍ୱ ଆମକୁ ଏକ ଭିନ୍ନ ଦୃଷ୍ଟିକୋଣରୁ ଦେଖୁଛି। ଭାରତ ବିଶ୍ୱକୁ ସମାଧାନ ଯୋଗାଉଛି। ୨୦୪୭ ସୁଦ୍ଧା ଆମକୁ ଏପରି ଏକ ରାଷ୍ଟ୍ର ଗଠନ କରିବାକୁ ପଡିବ ଯେଉଁଥିରେ ଅତୀତର ଗୌରବ ସହିତ ଆଧୁନିକତାର ସମସ୍ତ ସୁବର୍ଣ୍ଣ ଅଧ୍ୟାୟ ସଂଯୁକ୍ତ ରହିବ। ଏପରି ଏକ ଭାରତ ଗଠନ କରିବାକୁ ପଡିବ ଯାହା ‘ଆତ୍ମନିର୍ଭର’ ହେବ ଏବଂ ସମସ୍ତ ମାନବିକ କର୍ତ୍ତବ୍ୟ ପାଳନ କରୁଥିବ। ଏଭଳି ଭାରତରେ ଦାରିଦ୍ର୍ୟ ରହିବ ନାହିଁ ମଧ୍ୟବିତ୍ତ ମଧ୍ୟ ସମୃଦ୍ଧ ହେବେ ବୋଲି ରାଷ୍ଟ୍ରପତି କହିଛନ୍ତି।
ସଂସଦରେ ରାଷ୍ଟ୍ରପତି ମୁର୍ମୁଙ୍କ ଭାଷଣର ସାରାଂଶ :-
 ଅମୃତ କାଳର ୨୫ ବର୍ଷର ଅବଧି ହେଉଛି ସ୍ୱାଧୀନତାର ସୁବର୍ଣ୍ଣ ଯୁଗ ଏବଂ ଏକ ବିକଶିତ ଭାରତ ଗଢ଼ିବାର ସମୟ।
 ଆଜି ଦେଶରେ ଏକ ସ୍ଥିର, ନିର୍ଭୀକ ଏବଂ ନିର୍ଣ୍ଣାୟକ ସରକାର ଅଛି ଯାହା ବଡ଼ ସ୍ୱପ୍ନ ପୂରଣ ଦିଗରେ କାର୍ଯ୍ୟ କରୁଛି।
 ଜମ୍ମୁ-କାଶ୍ମୀରରେ ଧାରା ୩୭୦ ଉଚ୍ଛେଦ କରିବାଠାରୁ ଆରମ୍ଭ କରି ତିନି ତଲାକ୍ ରଦ୍ଦ କରିବା ପର୍ଯ୍ୟନ୍ତ ମୋ ସରକାର ଅନେକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି।
 ଆଜି ଘଟିଥିବା ସବୁଠୁ ବଡ ପରିବର୍ତ୍ତନ ହେଉଛି ପ୍ରତ୍ୟେକ ଭାରତୀୟଙ୍କ ଆତ୍ମବିଶ୍ୱାସ ସର୍ବୋଚ୍ଚ ସ୍ତରରେ ରହିଛି ଏବଂ ଭାରତ ପ୍ରତି ବିଶ୍ବର ଦୃଷ୍ଟିକୋଣ ବଦଳିଛି।
 ଦୁର୍ନୀତି ଦୂର କରିବା ପାଇଁ ଏକ ପ୍ରଭାବଶାଳୀ ବ୍ୟବସ୍ଥା କରାଯାଇଛି। ଦୁର୍ନୀତି ଗଣତନ୍ତ୍ର ଏବଂ ସାମାଜିକ ନ୍ୟାୟର ସବୁଠାରୁ ବଡ ଶତ୍ରୁ ବୋଲି ସରକାର ସ୍ପଷ୍ଟ ମତ ପ୍ରକାଶ କରିଛନ୍ତି।
 ପୂର୍ବରୁ ଫେରସ୍ତଯୋଗ୍ୟ ଟିକସ ଫେରସ୍ତ ପାଇଁ ଦୀର୍ଘ ସମୟ ଅପେକ୍ଷା କରିବାକୁ ପଡ଼ୁଥିଲା। ଆଜି ଆୟକର ରିଟର୍ଣ୍ଣ ଦାଖଲ କରିବାର ଅଳ୍ପଦିନ ମଧ୍ୟରେ ତାହା ଫେରସ୍ତ ମିଳିପାରୁଛି।
 ଏକ ବିଶ୍ବବ୍ୟାଙ୍କ ରିପୋର୍ଟରେ ଦର୍ଶାଯାଇଛି ଯେ ସଫଳ ଯୋଜନା ଓ ପ୍ରଣାଳୀ ଦ୍ବାରା ଭାରତ କୋଭିଡ୍‌-୧୯ ମହାମାରୀ ସମୟରେ କୋଟି କୋଟି ଲୋକଙ୍କୁ ଦାରିଦ୍ର୍ୟ ସୀମାରେଖା ତଳକୁ ଖସିବାରୁ ରୋକିବାରେ ସକ୍ଷମ ହୋଇଛି।
 ‘ଗରିବୀ ହଟାଓ’ ଏବେ କେବଳ ଏକ ସ୍ଲୋଗାନ ନୁହେଁ, ଗରିବ ଲୋକଙ୍କ ସମସ୍ୟାର ସ୍ଥାୟୀ ସମାଧାନ ତଥା ସେମାନଙ୍କୁ ସଶକ୍ତ କରିବାକୁ ମୋ ସରକାର କାର୍ଯ୍ୟ କରୁଛି।
 ‘ଆକାଂକ୍ଷୀ ଜିଲ୍ଲା’ କାର୍ଯ୍ୟକ୍ରମ ବର୍ତ୍ତମାନ ବ୍ଲକ୍‌ ସ୍ତରରେ ଦୋହରାଯାଉଛି, ଯେଉଁଥିପାଇଁ ଦେଶରେ ୫୦୦ଟି ବ୍ଲକ୍‌ ଚିହ୍ନଟ କରାଯାଇଛି। ସୀମାନ୍ତବର୍ତ୍ତୀ ଅଞ୍ଚଳରେ ଗ୍ରାମଗୁଡିକର ବିକାଶ ପାଇଁ ‘ପ୍ରାଣବନ୍ତ ଗ୍ରାମ’ (ଭାଇବ୍ରାଣ୍ଟ ଭିଲେଜ୍) କାର୍ଯ୍ୟକ୍ରମ ମଧ୍ୟ ଆରମ୍ଭ କରାଯାଇଛି।
 ମୋ ସରକାର ୧୧ କୋଟି କ୍ଷୁଦ୍ର ଚାଷୀଙ୍କୁ ପ୍ରାଥମିକତା ଦେଉଛି ଯେଉଁମାନେ ଅନେକ ଦଶନ୍ଧି ଧରି ସରକାରୀ ସୁବିଧାରୁ ବଞ୍ଚିତ ଥିଲେ।
 ମହିଳା ସଶକ୍ତୀକରଣ ପାଇଁ ସରକାର ବିଭିନ୍ନ ଯୋଜନା ଆରମ୍ଭ କରିଛନ୍ତି। ଆଜି ଆମେ ‘ବେଟି ବଚାଓ, ବେଟି ପଢ଼ାଓ’ର ସଫଳତା ଦେଖୁଛୁ। ଦେଶରେ ପ୍ରଥମ ଥର ପାଇଁ ମହିଳାଙ୍କ ସଂଖ୍ୟା ପୁରୁଷଙ୍କ ତୁଳନାରେ ଅଧିକ ହୋଇଛି ଏବଂ ମହିଳାଙ୍କ ସାମଗ୍ରିକ ସ୍ୱାସ୍ଥ୍ୟରେ ମଧ୍ୟ ଉନ୍ନତି ଆସିଛି।
 କୌଣସି କାର୍ଯ୍ୟ କ୍ଷେତ୍ରରେ ମହିଳାଙ୍କ ପାଇଁ କୌଣସି ପ୍ରତିବନ୍ଧକ ନାହିଁ ବୋଲି ସରକାର ନିଶ୍ଚିତ କରିଛନ୍ତି।
 ମୋ ସରକାରଙ୍କ ନୂତନ ପଦକ୍ଷେପ ଯୋଗୁଁ ଆମର ପ୍ରତିରକ୍ଷା ରପ୍ତାନି ୬ ଗୁଣ ବୃଦ୍ଧି ପାଇଛି। ମୁଁ ଗର୍ବିତ ଯେ ଆଜି ଆଇଏନ୍‌ଏସ୍ ବିକ୍ରାନ୍ତ ଆକାରରେ ପ୍ରଥମ ସ୍ୱଦେଶୀ ବିମାନ ପରିବହନକାରୀ ଜାହାଜ ମଧ୍ୟ ଆମର ନୌସେନାରେ ସାମିଲ ହୋଇଛି।
 ଗୋଟିଏ ପଟେ ଆମେ ଆମର ତୀର୍ଥସ୍ଥାନ ଏବଂ ଐତିହ୍ୟର ବିକାଶ କରୁଛୁ, ଅନ୍ୟ ପଟେ ଭାରତ ବିଶ୍ୱର ଏକ ପ୍ରମୁଖ ମହାକାଶ ଶକ୍ତି ପାଲଟିଛି। ଭାରତ ମଧ୍ୟ ଏହାର ପ୍ରଥମ ଘରୋଇ ଉପଗ୍ରହ ଉତ୍‌କ୍ଷେପଣ କରିଛି।
ଦାସତ୍ୱର ପ୍ରତ୍ୟେକ ଚିହ୍ନରୁ ମୁକ୍ତି ପାଇବାକୁ ସରକାର ଚେଷ୍ଟା କରୁଛନ୍ତି। ଏହାର ଏକ ଉଦାହରଣ ହେଉଛି ରାଜପଥକୁ କର୍ତ୍ତବ୍ୟ ପଥ ରୂପେ ନାମ ପରିବର୍ତ୍ତନ।
 ଭାରତୀୟ ରେଳ ବିଶ୍ୱର ସର୍ବବୃହତ୍ ବୈଦ୍ୟୁତିକ ରେଳ ନେଟୱର୍କ ହେବା ଦିଗରେ ଦ୍ରୁତ ଗତିରେ ଆଗକୁ ବଢ଼ୁଛି।
 ପ୍ରଗତି ଏବଂ ପ୍ରକୃତି ଏକାଠି ଯାଇପାରିବ ନାହିଁ ବୋଲି ଭାରତ ବିଶ୍ୱାସ କରେ ନାହିଁ। ସରକାର ‘ସବୁଜ ଅଭିବୃଦ୍ଧି’ ଉପରେ ଧ୍ୟାନ ଦେଉଛନ୍ତି।

Share Now:

Kalinga News Beuro

Next Post

ବାଘଛାଲ ଡିଲ ବେଳେ ମାଡ଼ି ବସିଲା ପୁଲିସ, ୮ଜଣ ଗିରଫ

Wed Feb 1 , 2023
ବାରିପଦା: ପୁଣି ଏକ ବାଘଛାଲ ଜବତ କରିଛି ପୁଲିସ। ମୟୁରଭଞ୍ଜ ଜିଲ୍ଲାର ବାଙ୍ଗିରିପୋଷି ଥାନା ଅଞ୍ଚଳର କତରା ଠାରେ ୪୯ ନମ୍ବର ଜାତୀୟ ରାଜପଥ କଡ଼ର ଟାୱାର ଢ଼ାବାରୁ ବାଘ ଛାଲ ଡିଲ୍‌ ବେଳେ ଜବତ ହୋଇଛି। ସୂଚନା ଅନୁଯାୟୀ, ଉକ୍ତ ଢ଼ାବାରେ ବାଘ ଛାଲ ଡିଲ୍‌ ନେଇ ପୁଲିସ ବିଭାଗ ପାଖରେ ଖବର ଥିଲା। ଢ଼ାବାରେ ବୁଧବାର ଏକ କଲରାପତରିଆ ବାଘଛାଲ ଡିଲ ହେଉଥିବା ବେଳେ ପୂର୍ବ ଯୋଜନା […]
ବାଘଛାଲ ଡିଲ ବେଳେ ମାଡ଼ି ବସିଲା ପୁଲିସ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial